ନାବାଳିକାକୁ ଦୁଷ୍କର୍ମ: ଜେଲଗଲେ ଅଭିନେତା ପର୍ଲ ପୁରୀ

ମୁମ୍ବାଇ: ଟେଲିଭିଜନ ଅଭିନେତା ପର୍ଲ ପୁରୀ ଜନୈକା ନାବାଳିକାଙ୍କୁ ଦୁଷ୍କର୍ମ କରିବା ଓ ତାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ମୁମ୍ବାଇ ପୁଲିସ୍‌ ହାତରେ ଗିରଫ ହୋଇଛନ୍ତି।
ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ ଏହି ଦୁଷ୍କର୍ମ ଘଟଣା ସଂପର୍କରେ ୩୧ ବର୍ଷ ବୟସ୍କ ଟେଲିଭିଜନ ଅଭିନେତା ପର୍ଲ ପୁରୀଙ୍କ ବିରୋଧରେ ଏକ ଅଭିଯୋଗ ମୁମ୍ବାଇ ପୁଲିସ ନିକଟରେ ଗତ ଶୁକ୍ରବାର ଆଗତ ହୋଇଥିଲା। ପରେ ୱାଲିଭ ଥାନା ପକ୍ଷରୁ ଘଟଣାର ତଦନ୍ତ କରାଯାଇଥିଲା। ତଦନ୍ତ କାଳରେ ଆଗତ ଅଭିଯୋଗରେ ସତ୍ୟତା ରହିଥିବା ଜଣାପଡ଼ିବା ପରେ ପୁଲିସ୍‌ ଅଭିନେତା ପର୍ଲ ପୁରୀଙ୍କୁ ଗିରଫ କରିଥିଲା। ପରେ ଗିରଫ ଅଭିନେତା ପୁରୀଙ୍କ ବିରୋଧରେ ପୋକସୋ ଆଇନ ଓ ଆଇପିସିର ୩୭୬ ଧାରାରେ ଅଭିଯୋଗ ଫର୍ଦ୍ଦ ପ୍ରସ୍ତୁତ କରି ଆଜି ଅପରାହ୍ନରେ ତାଙ୍କୁ କୋର୍ଟ ଚାଲାଣ କରିଥିଲା। କୋର୍ଟରେ ବିଚାରପତି ଅଭିନେତା ପର୍ଲ ପୁରୀଙ୍କ ଜାମିନ ଆବେଦନକୁ ଖାରଜ କରି ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ବୋଲି ଡିସିପି ଜୋନ୍‌-୨ ସଞ୍ଜୟ ପାଟିଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର