ନୂଆଦିଲ୍ଲୀ: ଡୋନାଲ୍ଡ୍ ଟ୍ରମ୍ପ୍ଙ୍କ ପ୍ରତିମୂର୍ତ୍ତିର ରଙ୍ଗ ସୁନେଲି, ଚାହାଣି ମଧ୍ୟ ନରମ, ଧ୍ୟାନ କେନ୍ଦ୍ରିକ, ଠିକ୍ ରାଷ୍ଟ୍ରପତିଙ୍କ ପରି। କିନ୍ତୁ, ଏ ଭଳି ମହାନ୍ ଦୃଶ୍ୟକୁ ନଷ୍ଟ କରି ଦେଉଛି ମୂର୍ତ୍ତି ତଳର ଲେଖା: ‘‘ମୋ ଉପରେ ପରିସ୍ରା କର।’’
Sambad is now on WhatsApp
Join and get latest news updates delivered to you via WhatsApp
ନ୍ୟୁୟର୍କ ସହରରେ କୁକୁରମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି ମୂର୍ତ୍ତିଗୁଡ଼ିକର ଛବି ଟୁଇଟର୍ ସାରା ଛାଇ ହୋଇଯାଇଛି। କିଏ ଏଇ ମୂର୍ତ୍ତି ଗଢ଼ିଛନ୍ତି? ଏହାର ନିର୍ମାତା ହେଉଛନ୍ତି ଭିଡିଓ କଣ୍ଟେଣ୍ଟ୍ ଷ୍ଟୁଡିଓ ‘ପର୍କ୍ୟୁପାଇନ୍ ଆର୍ମାଡିଲୋ’ର ସଂସ୍ଥାପକ ଓ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଫିଲ୍ ଗାବଲ୍।
ସେ କହନ୍ତି: ତାଙ୍କର ଏଇ ସୃଷ୍ଟି ଉଭୟ ରାଷ୍ଟ୍ରପତି ଓ ବ୍ୟକ୍ତିଭାବେ ଡୋନାଲ୍ଡ୍ ଟ୍ରମ୍ପ୍ଙ୍କ ପ୍ରତି ଥିବା ତାଙ୍କ ବ୍ୟକ୍ତିଗତ ଘୃଣାର ଏକ ପରିପ୍ରକାଶ ମାତ୍ର। ନ୍ୟୁୟର୍କର ପାଞ୍ଚଟି ପ୍ରମୁଖ ଅଞ୍ଚଳ ମଧ୍ୟରୁ ଅନ୍ୟତମ ବ୍ରୁକ୍ଲିନ୍ ଠାରେ ସେ ଏ ଭଳି କେତେଗୁଡ଼ିଏ ମୂର୍ତ୍ତି ସ୍ଥାପନ କରିଛନ୍ତି।
ଆମେରିକାର ରାଷ୍ଟ୍ରପତି ଭାବେ ଟ୍ରମ୍ପ୍ଙ୍କ ସମ୍ମାନ ଅନେକ ବାଦବିସମ୍ବାଦ ଯୋଗେ ନଷ୍ଟ ହୋଇଯାଇଛି। ହ୍ଵାଇଟ୍ହାଉସ୍ ନିମନ୍ତେ ତାଙ୍କୁ ବିଜୟୀ କରାଇବାରେ ରୁଷ୍ର ହାତ ରହିଥିବା ଅଭିଯୋଗର ମଧ୍ୟ ତଦନ୍ତ ଦାବି ହୋଇଥିଲା। ଟୁଇଟର୍ ଜରିଆରେ ତାଙ୍କୁ ବଦନାମ କରି କେତେକ ବିଚିତ୍ର ଘୋଷଣା, ତାଙ୍କ ନିଜ ବିଷୟରେ ଏବଂ ତାଙ୍କ ରାଷ୍ଟ୍ରପତିତ୍ୱ ସଂକ୍ରାନ୍ତରେ ମଧ୍ୟ ଅନେକ କଥା ପୁସ୍ତକଗୁଡ଼ିକରେ ପ୍ରକାଶିତ ହୋଇଛି। ତଥାପି ସେ ସମ୍ପୂର୍ଣ୍ଣରୂପେ ଜନସାଧାରଣଙ୍କ ଅପ୍ରିୟ ହୋଇ ନାହାନ୍ତି।
ଟ୍ରମ୍ପ୍ଙ୍କୁ ବିଦ୍ରୂପ କରାଇବାରେ ଫିଲ୍ ଗାବଲ୍ଙ୍କ ମୂର୍ତ୍ତି ପ୍ରଥମ ଉଦାହରଣ ନୁହେଁ। ଏ ବର୍ଷ ଲଣ୍ଡନ୍ଗସ୍ତ କାଳରେ ଲଣ୍ଡନ୍ର ପାର୍ଲାମେଣ୍ଟ୍ ଛକରେ ଉଡୁଥିବା ବିଶାଳ ବେଲୁନ୍ରେ ସେ ଏକ ନାପି ପିନ୍ଧିଥିବାର ଦୃଶ୍ୟ ଥିଲା। ସେଠାକାର ମେୟର୍ ଏହା କରାଇଥିଲେ।
ଗାବଲ୍ କହନ୍ତି: ମୁଁ ଜାଣେ ପ୍ରତିବାଦ କରିବା ନିମନ୍ତେ ଏଇଟା ଗୋଟାଏ ବଡ଼ ମାଧ୍ୟମ ନୁହେଁ। ତାଙ୍କର ଏକ ଛୋଟିଆ ପ୍ରତିମୂର୍ତ୍ତି ଉପରେ କୁକୁର ପରିସ୍ରା କରିବା କଥାକୁ ସେ ଧ୍ୟାନ ଦେବେ ନାହିଁ, ଖାଲି କହିବେ: ଏଇଆ ତ, ମୁଁ ଇସ୍ତଫା ଦେଉଛି। କିନ୍ତୁ ସମସ୍ୟାକୁ ମୁକାବିଲା କରିବାକୁ ପ୍ରତ୍ୟେକଙ୍କ ନିଜସ୍ୱ ଉପାୟ ରହିଥାଏ। ମୋ ଲାଗି କୌତୁକ ଓ ବିଦ୍ରୂପ। କିନ୍ତୁ, ବିଦ୍ରୂପର ମଧ୍ୟ ସୀମା ରହିଛି। ଟ୍ରମ୍ପ୍ଙ୍କର ଏବେ ମଧ୍ୟ ଅନେକ ସମର୍ଥକ ଥିବାରୁ ଏହା ବିଦ୍ୱେଷର କାରଣ ହେବ।