ପେଗାସସ୍‌ ତାତି, ସଂସଦ ବାରମ୍ବାର ମୁଲତବୀ

ଚାଷୀଙ୍କ ପାଇଁ ସାମାନ୍ୟ ଦରଦ ଥିଲେ ବିରୋଧୀ ଦଳ ଆଲୋଚନା ପାଇଁ ଆସନ୍ତୁ: ତୋମର

ନୂଆଦିଲ୍ଲୀ: ପେଗାସସ୍‌ ସ୍ପାଏୱେର ଗୁଇନ୍ଦାଗିରି ଏବଂ ନୂଆ କୃଷି ଆଇନକୁ ନେଇ ଆଜି ମଧ୍ୟ ଉଭୟ ଲୋକସଭା ଓ ରାଜ୍ୟସଭାରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ମୌସୁମୀ ଅଧିବେଶନର ଆଜି ସପ୍ତମ ଦିବସରେ ଗୃହ କାର୍ଯ୍ୟ ପୂର୍ବାହ୍ନ ୧୧ଟାରେ ଆରମ୍ଭ ହୋଇଥିଲା। କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ସଦସ୍ୟମାନେ ହଙ୍ଗାମା ଆରମ୍ଭ କରିଥିଲେ। ରାଜ୍ୟସଭାରେ ବିରୋଧୀ ଦଳ ସାଂସଦମାନଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକୁ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ତେବେ ୧୨ଟାରେ ଦ୍ବିତୀୟ ବାର ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ପୁଣି ହଟ୍ଟଗୋଳ ଆରମ୍ଭ ହୋଇଯିବାରୁ ଗୃହକୁ ଅପରାହ୍ନ ୨ଟା ଏବଂ ପରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ପେଗାସସ୍‌ ଏବଂ ନୂଆ କୃଷି ଆଇନ ବିରୋଧରେ ବିରୋଧୀ ଦଳ ସାଂସଦମାନେ ସ୍ଲୋଗାନ ଦେଇ ଗୃହର ମଧ୍ୟ ଭାଗକୁ ମାଡ଼ିଯାଇଥିଲେ।

ଲୋକସଭାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ଲୋକସଭାରେ ଆସାମା-ମିଜୋରାମ ସୀମାରେ ହୋଇଥିବା ହିଂସାକୁ ନେଇ କଂଗ୍ରେସ ସାଂସଦମାନେ ପ୍ରବଳ ପାଟିତୁଣ୍ଡ କରିଥିଲେ। ରାଜ୍ୟ ସୀମା ବିବାଦ ସମାଧାନ କରିବାରେ କେନ୍ଦ୍ର ଗୃହମନ୍ତ୍ରୀ ବିଫଳ ହୋଇଛନ୍ତି ବୋଲି କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ କହିଥିଲେ। ବିରୋଧୀ ଦଳମାନେ ଗୃହ କାର୍ଯ୍ୟ କରାଇ ଦେଉନଥିବାରୁ ଆଜି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଏହାର କଡ଼ା ସମାଲୋଚନା କରିଛନ୍ତି। ବିରୋଧୀ ଦଳ ଗୃହର ମର୍ଯ୍ୟାଦାକୁ ନଷ୍ଟ କରିବା ସହ ଲୋକଙ୍କ କଲ୍ୟାଣରେ ପ୍ରତିବନ୍ଧକ ସାଜିଛନ୍ତି ବୋଲି ତୋମର କହିଥିଲେ। ଯଦି ବିରୋଧୀ ଦଳମାନଙ୍କର କୃଷକଙ୍କ ପାଇଁ ସାମାନ୍ୟ ବି ଦରଦ ଅଛି ତା’ହେଲେ ସେମାନେ ଗୃହରେ ଏହି ପ୍ରସଙ୍ଗରେ ଶାନ୍ତିପୂର୍ଣ୍ଣ ଭାବେ ଆଲୋଚନା ପାଇଁ ସହଯୋଗ କରନ୍ତୁ। କେବଳ ହଟ୍ଟଗୋଳ କରି ବିଭ୍ରାନ୍ତି ସୃଷ୍ଟି କଲେ କୌଣସି ସୁଫଳ ମିଳିବ ନାହିଁ ବୋଲି ତୋମର କହିଥିଲେ।

ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ମଧ୍ୟ ଗୃହ କାର୍ଯ୍ୟକୁ ସ୍ବାଭାବିକ କରିବା ପାଇଁ ସହଯୋଗ କରିବାକୁ ବିରୋଧୀ ଦଳ ସାଂସଦମାନଙ୍କୁ କହିଥିଲେ। ବିରୋଧୀ ଦଳମାନେ ଯେଉଁ ପ୍ରସଙ୍ଗରେ ଆଲୋଚନା ଚାହୁଛନ୍ତି ତାହା କରିବା ପାଇଁ ପ୍ରଥମେ ଗୃହରେ ଶୃଙ୍ଖଳା ରକ୍ଷା ଆବଶ୍ୟକ ବୋଲି ସେ କହିଥିଲେ। ପ୍ରବଳ ବିଶୃଙ୍ଖଳା ଦ୍ବାରା ଗୃହକୁ ଅଚଳ କରି ରଖିବା ଗ୍ରହଣୀୟ ନୁହେଁ ବୋଲି ବାଚସ୍ପତି କହିଥିଲେ।

ସମ୍ବନ୍ଧିତ ଖବର