ପେଗାସସ୍‌ ମାମଲା: ସତ୍ୟପାଠ ଦେଲାନି କେନ୍ଦ୍ର, ରାୟ ସଂରକ୍ଷିତ ରଖିଲେ ସୁପ୍ରିମ କୋର୍ଟ

ପ୍ରଧାନ ବିଚାରପତିଙ୍କ କଡ଼ା ପ୍ରତିକ୍ରିୟା

ନୂଆଦିଲ୍ଲୀ: ପେଗାସସ୍ ସ୍ପାଏୱେର ମାମଲାରେ କେନ୍ଦ୍ର ସରକାର ସୁପ୍ରିମ କୋର୍ଟରେ ଶପଥପାଠ ଦାଖଲ କରିବା ସଂପର୍କରେ ଆଜି ନିଜର ମତ ବଦଳାଇଛନ୍ତି। ଶପଥପାଠ ଦାଖଲ କରିବା ପାଇଁ ସୁପ୍ରିମ କୋର୍ଟରେ ସରକାର ଦୁଇଥର ସମୟ ‌ମାଗିଥିଲେ ମଧ୍ୟ ଆଜି ବିସ୍ତୃତ ସତ୍ୟପାଠ ଦାଖଲ କରିବାକୁ ମନା କରିଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମ କୋର୍ଟର ପକ୍ଷ ରଖି ସଲିସିଟର ଜେନେରାଲ ତୁଷାର ‌ମେହେଟ୍ଟା କହିଛନ୍ତି ଯେ କୌଣସି ନିର୍ଦ୍ଦିଷ୍ଟ ସଫ୍ଟୱେର ବ୍ୟବହାର ହୋଇଥିଲା କି ନାହିଁ ତାହା ସର୍ବସାଧାରଣରେ ପ୍ରକାଶ ପାଇବା ଉଚିତ ନୁହେଁ। ତେବେ ଏହି ପ୍ରସଙ୍ଗକୁ ଏକ ସ୍ବାଧୀନ ବିଶେଷଜ୍ଞ କମିଟି ଦ୍ବାରା ଯାଞ୍ଚ କରାଯାଇ ପାରିବ ଏବଂ ଉକ୍ତ କମଟିର ରିପୋର୍ଟକୁ ସୁପ୍ରିମ କୋର୍ଟରେ ଦାଖଲ କରାଯାଇ ପାରିବ। କେନ୍ଦ୍ର ସରକାର ସୋମବାର ସୁପ୍ରିମ୍‌କୋର୍ଟରେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କର କିଛି ଲୁଚାଇବାର ନାହିଁ। କିନ୍ତୁ ଜାତୀୟ ସୁରକ୍ଷା ଦୃଷ୍ଟିରୁ ସବୁକଥା ସର୍ବସାଧାରଣରେ ପ୍ରକାଶ କରିହେବ ନାହିଁ। ତେଣୁ ପେଗାସସ୍ ଗୁପ୍ତଚରଗିରି ମାମଲାକୁ ନେଇ ଏକ ଆନୁଷ୍ଠାନିକ ତଦନ୍ତ ପାଇଁ ଯେଉଁ ପିଟିସନ ଦାୟର କରାଯାଇଛି, ତା’ର ପ୍ରତିକ୍ରିୟାରେ ସରକାର ବିସ୍ତୃତ ସତ୍ୟପାଠ ଦାଖଲ କରିପାରିବେ ନାହିଁ।

ସୁପ୍ରିମ୍‌କୋର୍ଟରେ ସରକାର ଦେଇଥିବା ଯୁକ୍ତି ଅନୁସାରେ, ବିସ୍ତୃତ ସତ୍ୟପାଠ ଦାଖଲ କରିବା ଓ ତାକୁ ସାର୍ବଜନୀନ କରିବା ସମ୍ଭବ ନୁହେଁ। ସରକାର କେଉଁ ସଫ୍ଟୱେର ବ୍ୟବହାର କରୁଛନ୍ତି, ତାହା ଆତଙ୍କବାଦୀଙ୍କୁ ଜଣାଇପାରିବେ ନାହିଁ ବୋଲି ସଲିସିଟର ଜେନେରାଲ ମେହେଟ୍ଟା ପ୍ରଧାନ ବିଚାରପତି ଏନ୍‌ ଭି ରମଣାଙ୍କ ନେତୃତ୍ବାଧୀନ ତିନିଜଣିଆ ଖଣ୍ଡପୀଠ ଆଗରେ କହିଥିଲେ। ଏହାର ଉତ୍ତରରେ ପ୍ରଧାନ ବିଚାରପତି କଡ଼ା ପ୍ରତିକ୍ରିୟା ରଖିଛନ୍ତି। ପ୍ରଧାନ ବିଚାରପତି କହିଛନ୍ତି ଯେ, ସତ୍ୟପାଠ ଦାଖଲ କରିବା ପାଇଁ ସରକାରଙ୍କୁ ସମୟ ଦିଆଯାଇଥିଲା। ବର୍ତ୍ତମାନ ଏପରି କଥା କହୁଛନ୍ତି। ଜାତୀୟ ସୁରକ୍ଷା ବିଷୟରେ କୋର୍ଟ ଜାଣିବାକୁ ଚହୁଁନାହାନ୍ତି। କିନ୍ତୁ ଅଭିଯୋଗ ଆସୁଛି ଯେ, ସାଧାରଣ ନାଗରିକଙ୍କ ଫୋନ୍ ଟ୍ୟାପ୍ କରାଯାଉଛି। ତା’ ଉପରେ ସ୍ପଷ୍ଟୀକରଣ ଦରକାର। ଏପଟ ସେପଟ କଥା ନକହି ମୂଳ ବିନ୍ଦୁକୁ ଆସିବା ପାଇଁ ଖଣ୍ଡପୀଠ କହିଥିଲେ। ଏଥିସହିତ ଏଭଳି ପରିସ୍ଥିତିରେ ଆମେ କି ରାୟ ଦେବୁ ବୋଲି ପ୍ରଧାନ ବିଚାରପତି ପଚାରିଥି‌ଲେ।

ମେହେଟ୍ଟା କହିଥିଲେ ଯେ, କୌଣସି ନିର୍ଦ୍ଦଷ୍ଟ ସଫ୍ଟୱେର ବ୍ୟବହାର କରାଯାଉଛି କି ନା ତାହା ସର୍ବସାଧାରଣଙ୍କ ଜ୍ଞାତବ୍ୟ ବିଷୟ ନୁହେଁ। ତେବେ ଏ ପ୍ରସଙ୍ଗ ଏକ ବିଶେଷଜ୍ଞ କମିଟି ଦ୍ବାରା ତଦନ୍ତ କରାଯାଇପାରିବ ଏବଂ ତାହା ସର୍ବୋଚ୍ଚ ଅଦାଲତରେ ଉପସ୍ଥାପିତ କରାଯାଇପାରିବ। ସରକାର ଏପରି ବିଶେଷଜ୍ଞ କମିଟି ଗଠନ କରିବାକୁ ରାଜି ଅଛନ୍ତି। ବିଶେଷଜ୍ଞମାନେ ଅଭିଯୋଗକାରୀମାନଙ୍କ ଫୋନ୍ ଯାଞ୍ଚ କରି ଜଣାଇବେ ଯେ ସେମାନଙ୍କ ଫୋନ୍ ପ୍ରକୃତରେ ହ୍ୟାକ୍ ହୋଇଛି ନା ନାହିଁ। ସବୁ ଶୁଣିବା ପରେ କୋର୍ଟ ଏକ ଅନ୍ତରୀଣ ରାୟ ଦେବାକୁ ଚାହିଁଲେ। କିନ୍ତୁ ସେହି ରାୟକୁ ସଂରକ୍ଷିତ ରଖିଛନ୍ତି ଏବଂ ଏହାକୁ ଦୁଇ ତିନିଦିନ ପରେ ପ୍ରକାଶ କରିବେ ବୋଲି କହିଛନ୍ତି। ତା’ ଭିତରେ ସରକାର ନିଜର ମନ ବଦଳାଇ ସତ୍ୟପାଠ ଦାଖଲ କରିବା କଥା ଚିନ୍ତା କରିପାରନ୍ତି ବୋଲି ମାନ୍ୟବର ବିଚାରପତି କହିଥିଲେ। ତା’ ନ ହେଲେ କୋର୍ଟ ଅନ୍ୟ ପକ୍ଷମାନଙ୍କଠାରୁ ଶୁଣାଣି କରିବା ପରେ ଅନ୍ତିମ ରାୟ ଶୁଣାଇଦେବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର