ନୂଆଦିଲ୍ଲୀ: ଇସ୍ରାଏଲର ପେଗାସସ୍ ସ୍ପାଏୱେୟାର ବ୍ୟବହାର କରି ଭାରତରେ ସାମ୍ବାଦିକ, ସାମାଜିକ କର୍ମୀ ଏବଂ ରାଜନେତାମାନ କ୍ଷେତ୍ରରେ ଗୁଇନ୍ଦାଗିରି କରିବା ଅଭିଯୋଗ ମୌଳିକ ଅଧିକାରର ଉଲ୍ଲଂଘନକୁ ଦର୍ଶାଉଛି। ସରକାର କେବଳ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଦେବା ଯଥେଷ୍ଟ ନୁହେଁ ବୋଲି ସୁପ୍ରିମକୋର୍ଟ ଆଜି ଏହି ମାମଲାର ଶୁଣାଣି କରି କହିଛନ୍ତି। ପେଗାସସ୍ ଗୁଇନ୍ଦାଗିରି ମାମଲାରେ ସୁପ୍ରିମ୍କୋର୍ଟ ନିରପେକ୍ଷ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏବଂ ମାମଲାର ତଦନ୍ତ ପାଇଁ ୩ ଜଣିଆ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ଆର୍ଭି ରବିନ୍ଦ୍ରନ ଏହି କମିଟିର ମୁଖ୍ୟ ରହିଛନ୍ତି। କମିଟିର ସଦସ୍ୟମାନେ ହେଉଛନ୍ତି ଡ. ନବୀନ କୁମାର ଚୌଧାରୀ, ଡ. ପ୍ରବାହରନ ପି ଏବଂ ଡ. ଅଶ୍ବୀନ ଅନିଲ ଗୁମସ୍ତେ। ଚୌଧାରୀ ଜାତୀୟ ଫରେନ୍ସିକ ବିଶ୍ବବିଦ୍ୟାଳୟ ଜଣେ ପ୍ରଫେସର। ପ୍ରବାହରନଙ୍କର କମ୍ପ୍ୟୁଟର ବିଜ୍ଞାନ ଏବଂ ସୁରକ୍ଷା କ୍ଷେତ୍ରରେ ଦୁଇ ଦଶନ୍ଧିର ଅଭିଜ୍ଞତା ରହିଛି। କେରଳର ଅମୃତ ବିଶ୍ବ ବିଦ୍ୟାପୀଠମ୍ରେ ସେ ଜଣେ ପ୍ରଫେସର। କମିଟିର ତୃତୀୟ ସଦସ୍ୟ ଗୁମସ୍ତେ ଆଇଆଇଟି ବମ୍ବେର ଜଣେ ଆସୋସିଏଟ୍ ପ୍ରଫେସର। ଉକ୍ତ କମିଟି ମାମଲାର ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବେ ଏବଂ ୮ ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରସ୍ତୁତ କରିବେ। ମାମଲାର ପରବର୍ତ୍ତୀ ଶୁଣାଣି ୨ ମାସ ପରେ ହେବାକୁ ଥିବାବେଳେ ଏହି ସମୟରେ କମିଟି ରିପୋର୍ଟ ଦାଖଲ କରିବେ। ଅନ୍ୟପକ୍ଷେ କେନ୍ଦ୍ର ସରକାର ଏହି ମାମଲାର ତଦନ୍ତ ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ଚାହିଥିବା ବେଳେ କୋର୍ଟ ଏହାକୁ ଖାରଜ କରିଛନ୍ତି। କୋର୍ଟ କହିଛନ୍ତି, ଏହା କେତେକ ନୀତି ନିୟମର ଉଲ୍ଲଂଘନ କରିବ।
ଆଜିର ଶୁଣାଣି ସମୟରେ କୋର୍ଟ କେନ୍ଦ୍ର ସରକାରଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରଧାନ ବିଚାରପତି ଏନ୍ଭି ରମଣା କହିଛନ୍ତି, କୋର୍ଟ ପେଗାସସ୍ ମାମଲାରେ ସମସ୍ତ ତଥ୍ୟ ଦେବାପାଇଁ କେନ୍ଦ୍ର ସରକାରଙ୍କୁ ୨୦୧୯ ମସିହାରୁ ଯଥେଷ୍ଟ ସମୟ ଦେଇଛନ୍ତି। କିନ୍ତୁ ସରକାର ମାମଲାରେ ଅତି ସଂକ୍ଷିପ୍ତ ସତ୍ୟପାଠ ଦାଖଲ କରିଛନ୍ତି। ଯଦି ସରକାର ମାମଲାରେ ସ୍ପଷ୍ଟ ମତ ରଖିଥାନ୍ତେ ତେବେ ଆମ ଉପରେ ବୋଝ କମ୍ ପଡ଼ିଥାନ୍ତା ବୋଲି ବିଚାରପତି କହିଛନ୍ତି। ସଂପ୍ରତି ବିଶ୍ବରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାରୁ ବ୍ୟକ୍ତିଗତ ଗୋପନୀୟତା କ୍ଷେତ୍ରରେ ରହିଥିବା ସ୍ବାଧୀନତାରେ ଅଙ୍କୁଶ ଲଗାଯାଉଛି। ତେବେ ସବୁ ସମୟରେ ଜାତୀୟ ସୁରକ୍ଷା ଆଳରେ ବ୍ୟକ୍ତିଗତ ଗୋପନୀୟତା ଉଲ୍ଲଂଘନ ହୋଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ଏ କ୍ଷେତ୍ରରେ ଗୁରୁତର ଅଭିଯୋଗ ଆସିଥିବାରୁ ଅଦାଲତ ଏହି ମାମଲାରେ ମୂକ ଦର୍ଶକ ହୋଇ ରହିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/f4h6sf4h654sf65h4fs654fsh65fhsfhsfhsfhfhsfh.jpg)