ପେଗାସସ୍‌ ବିବାଦ: ବିରୋଧୀଙ୍କ ସହ ସ୍ବର ମିଶାଇଲେ ନୀତୀଶ

ପାଟନ‌ା: ବିହାର ମୁଖ୍ୟମନ୍ତ୍ରୀ ତଥା ଏନଡିଏ ସହଯୋଗୀ ନୀତୀଶ କୁମାର ପେଗାସସ୍‌ ଦୁର୍ନୀତି ମାମଲାରେ ତଦନ୍ତ ଦାବି କରିଛନ୍ତି। ଦେଶରେ ରାଜନେତା, ସାମ୍ବାଦିକ ଏବଂ ବିଚାରପତିମାନେ ଏହି ସ୍ପାଏୱେର ଟାର୍ଗେଟ୍‌‌ରେ ଅଛନ୍ତି ବୋଲି ଅଭିଯୋଗ ହେବାପରେ ଉକ୍ତ ମାମଲାର ତଦନ୍ତ ପାଇଁ ବିରୋଧୀ ନେତାମାନେ ଦାବି କରିଆସୁଛନ୍ତି। ତେବେ ବିରୋଧୀ ନେତାମାନଙ୍କ ସହ ସ୍ବର ମିଶାଇଛନ୍ତି ନୀତୀଶ । ସେ କହିଛନ୍ତି, ଲୋକମାନଙ୍କୁ ହଇରାଣ କରିବାପାଇଁ ଏଭଳି କାମ କରିବା ଅନୁଚିତ୍‌। ସମ୍ପୂର୍ଣ୍ଣ ଘଟଣା କ’ଣ ତାହା ସର୍ବସମ୍ମୁଖକୁ ଆସିବା ଉଚିତ୍‌। ଅନେକ ଦିନ ଧରି ଆମେମାନେ ଟେଲିଫୋନ୍‌ ଟ୍ୟାପିଂ ବିଷୟରେ ଶୁଣୁଛେ।

ତେଣୁ ଏହି ବିଷୟବସ୍ତୁ ଉପରେ ସଂସଦରେ ଆଲୋଚନା ହେବା ଉଚିତ୍‌ ବୋଲି ସେ କହିଛନ୍ତି। ତେବେ ଏନ୍‌ଡିଏର ପ୍ରଥମ ସହଯୋଗୀ ଭାବେ ନୀତୀଶଙ୍କର ଏଭଳି ମନ୍ତବ୍ୟ ଏକ ଆଲୋଚ୍ୟର ବିଷୟ ହୋଇଛି। ନୀତୀଶଙ୍କର ଏଭଳି ମନ୍ତବ୍ୟ ବିଜେପିକୁ ଅଡ଼ୁଆରେ ପକାଇପାରେ। ପେଗାସସ୍‌ ମାମଲାକୁ ନେଇ ଦେଶରେ ଏକପ୍ରକାର ରାଜନୈତିକ ଝଡ଼ ଆରମ୍ଭ ହୋଇଛି। ପେଗାସସ୍‌ ଦୁର୍ନୀତି ମାମଲା ପାଇଁ ସଂସଦରେ ବିରୋଧୀମାନେ ହଙ୍ଗାମା ଓ ହଟ୍ଟଗୋଳ କରିଛନ୍ତି। ଚଳିତ ମୌସୁମୀ ଅଧିବେଶନରେ ଉଭୟ ଗୃହର କାର୍ଯ୍ୟ ଠିକ୍‌ ଭାବେ ହୋଇପାରୁନି। ଏଭଳି ସମୟରେ ନୀତୀଶଙ୍କର ଏହି ଦାବି ଅସ୍ବାଭାବିକ ଲାଗୁଛି। ସାମ୍ବାଦିକମାନଙ୍କ ଏକ ପ୍ରଶ୍ନର ଉତ୍ତର ରଖି ନୀତୀଶ ଆଜି କହିଛନ୍ତି, ଉକ୍ତ ଘଟଣାର ତଦନ୍ତ ହେବା ଉଚିତ୍‌ ଏବଂ ପୂରା ଘଟଣା କ’ଣ ତାହା ସମସ୍ତେ ଜାଣିବା ଉଚିତ୍‌। ଉକ୍ତ ଘଟଣାରେ ପ୍ରକୃତ ବିଚାର ହେବାପରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍‌ ବୋଲି ନୀତୀଶ କହିଛନ୍ତି।

ସମ୍ବନ୍ଧିତ ଖବର