ପେଗାସସ୍‌ ପ୍ରସଙ୍ଗରେ ସଂସଦ ଅଚଳ: ବାଚସ୍ପତି, ମନ୍ତ୍ରୀଙ୍କ ଉପରକୁ କାଗଜ ଫୋପାଡ଼ିଲେ ବିରୋଧୀ

ବିରୋଧୀଙ୍କ ସ୍ବରକୁ ଚପାଇ ଦିଆଯାଉଛି: ରାହୁଲ, ୧୦ ବିରୋଧୀ ଦଳ ସାଂସଦ ନିଲମ୍ବିତ ହୋଇପାରନ୍ତି

ନୂଆଦିଲ୍ଲୀ: ପେଗାସସ୍‌ ଗୁଇନ୍ଦାଗିରି ପ୍ରସଙ୍ଗ ଏନଂ ନୂଆ କୃଷି ଆଇନକୁ ନେଇ ବିରୋଧୀ ଦଳମାନେ ଆଜି ମଧ୍ୟ ସଂସଦର ଉଭୟ ଗୃହରେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ପରିସ୍ଥିତିରେ କୌଣସି ସୁଧାର ହେଉନଥିବାରୁ ମୌସୁମୀ ଅଧିବେଶନର ଦ୍ବିତୀୟ ସପ୍ତାହ ମଧ୍ୟ ହଙ୍ଗାମାରେ ବଳି ପଡ଼ିଯିବା ଆଶଙ୍କା କରାଯାଉଛି । ଆଜି ମଧ୍ୟ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଲୋକସଭା ଓ ରାଜ୍ୟସଭାରେ ପେଗାସସ୍‌ ମାମଲା ନେଇ ବିରୋଧୀ ସାଂସଦମାନେ ଜୋରଦାର ବିରୋଧ ପ୍ରଦର୍ଶନ କରିଥିଲେ ଏବଂ କୌଣସି କାର୍ଯ୍ୟ କରାଇ ଦେଇନଥିଲେ। ଫଳରେ ଉଭୟ ଗୃହକୁ ବାରମ୍ବାର ମୁଲତବୀ ରଖାଯାଇଥିଲା। କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ସଂସଦରେ କହିଥିଲେ ଯେ ପେଗାସସ୍‌ ମାମଲାରେ ବିରୋଧୀ ଦଳଙ୍କ ସ୍ବରକୁ ସରକାର ଚପାଇବାକୁ ଚେଷ୍ଟା କରୁଛନ୍ତି। ସରକାର ପେଗାସସ୍‌ ସ୍ପାଏୱେର କ୍ରୟ କରିଥିଲେ କି ନାହିଁ ଏବଂ ଏହା ମାଧ୍ୟମରେ ଗୁଇନ୍ଦାଗିରି ହୋଇଥିଲା କି ନାହିଁ ତାହାର ଜବାବ ସଂସଦରେ ଦେବାକୁ ପଡ଼ିବ ବୋଲି ରାହୁଲ କହିଥିଲେ।

ଆଜି ଲୋକସଭାରେ ପ୍ରଶ୍ନକାଳ ସମୟରେ କଂଗ୍ରେସ ସମେତ ବିଭିନ୍ନ ବିରୋଧୀ ଦଳର ସାଂସଦ ପ୍ରବଳ ବିଶୃଙ୍ଖଳା ସୃଷ୍ଟି କରିଥିଲେ। ତେବେ ଏହା ସତ୍ତ୍ବେ ପ୍ରଶ୍ନକାଳ ଜାରି ରହିବାରୁ କଂଗ୍ରେସ ଏବଂ ଟିଏମ୍‌ସିର ପ୍ରାୟ ୧୦ ସାଂସଦ ପୀଠାସୀନ ବାଚସ୍ପତି ରାଜେନ୍ଦ୍ର ଅଗ୍ରୱାଲ, ମନ୍ତ୍ରିମଣ୍ଡଳ ସଦସ୍ୟ ଏବଂ ପ୍ରେସ୍‌ ଗ୍ୟାଲେରିକୁ ଲକ୍ଷ୍ୟ କରି କାଗଜ ଫୋପାଡ଼ିଥିଲେ କୌଣସି କୌଣସି କାମ କରାଇ ଦେଇନଥିଲେ। ଏହାପରେ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ।

କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂହ ଠାକୁର କହିଛନ୍ତି, ବିରୋଧୀ ଦଳ ସାଂସଦଙ୍କ ବ୍ୟବହାର ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ଏହା ସଂସଦର ଗରିମାକୁ ନଷ୍ଟ କରିଛି। ବିରୋଧୀ ଦଳ ସାଂସଦମାନେ ବାଚସ୍ପତି, ମନ୍ତ୍ରୀ ଏବଂ ପ୍ରେସ୍‌ ଗ୍ୟାଲେରିକୁ କାଗଜ ଫୋପାଡ଼ି ଗଣତନ୍ତ୍ରକୁ ଲଜ୍ଜିତ କରିଛନ୍ତି ବୋଲି ସେ କହିଛନ୍ତି। ସାଂସଦମାନେ ଯେଭଳି ବ୍ୟବହାର କରୁଛନ୍ତି ଅସାମାଜିକ ତତ୍ତ୍ବ ବି ସେଭଳି ବ୍ୟବହାର କରିବେ ନାହିଁ ବୋଲି ଅନୁରାଗ କହିଛନ୍ତି। ଆଜି ଗୃହରେ କାଗଜ ଚିରି ବାଚସ୍ପତି, ମନ୍ତ୍ରୀ ଏବଂ ପ୍ରେସ୍‌ ଗ୍ୟାଲେରିକୁ ଫୋପାଡ଼ିଥିବା ୧୦ ଜଣ ସାଂସଦଙ୍କୁ ନିଲମ୍ବନ କରିବା ପାଇଁ ସରକାର ପ୍ରସ୍ତାବ ରଖିବେ ବୋଲି ଜଣାପଡ଼ିଛି। ଲୋକସଭାରେ ଏଭଳି ଚରମ ବିଶୃଙ୍ଖଳାକୁ ରୋକିବା ପାଇଁ ବାଚସ୍ପତି କଠୋର ପଦକ୍ଷେପ ନେବାକୁ ଏନ୍‌ଡିଏ ସାଂସଦମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର