ପେଗାସସ୍‌ ପାଇଁ ସଂସଦ ଅଚଳ

ମନ୍ତ୍ରୀଙ୍କ ହାତରୁ କାଗଜ ଛଡ଼ାଇ ଚିରିଲେ ଟିଏମ୍‌ସି ସାଂସଦ

ନୂଆଦିଲ୍ଲୀ : ପେଗାସସ୍ ଗୁଇନ୍ଦାଗିରି ରିପୋର୍ଟକୁ ନେଇ ସଂସଦ ଆଜି ମଧ୍ୟ ଅଚଳ ରହିଛି। ଉଭୟ ଲୋକସଭା ଓ ରାଜ୍ୟସଭାରେ ବିରୋଧୀ ସାଂସଦ‌ମାନେ ଏହି ପ୍ରସଙ୍ଗକୁ କେନ୍ଦ୍ରକରି ପାଟିତୁଣ୍ଡ ଏବଂ ହଟ୍ଟଗୋଳ ଜାରି ରଖିଛନ୍ତି। ତେବେ ଗୁରୁବାର ରାଜ୍ୟସଭାରେ ଆଉ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପେଗାସସ୍ ସଂପର୍କରେ ବିବୃତି ରଖିବା ବେଳେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସାଂସଦ ଶାନ୍ତନୁ ସେନ୍‌ ତାଙ୍କ ହାତରୁ କାଗଜ ଛଡ଼ାଇ ନେଇ ଚିରି ଦେଇ ଗୃହରେ ଏହାର ଟୁକୁରା ଉଡ଼ାଇଥିଲେ।

ଆଇଟି ମନ୍ତ୍ରୀ ଶ୍ରୀ ବୈଷ୍ଣବ ଗୁରୁବାର ବିବୃତି ରଖିବା ବେଳେ ଟିଏମସି ସମେତ ଅନ୍ୟ ବିରୋଧୀ ସାଂସଦମାନେ ଗୃହର ମଧ୍ୟଭାଗକୁ ଚାଲିଆସି ସରକାରଙ୍କ ବିରୋଧରେ ସ୍ଳୋଗାନ ଦେଇଥିଲେ। ସେହି ସମୟରେ ଟିଏମସି ସାଂସଦ ସେନ୍ ଆଇଟି ମନ୍ତ୍ରୀଙ୍କ ହାତରୁ କାଗଜ ଛଡ଼ାଇ ନେଇଥିଲେ। ସେହି କାଗଜକୁ ଚିରି ଗୃହରେ ଉଡ଼ାଇଥିଲେ। ଏଭଳି କାଣ୍ଡ ପରେ ମନ୍ତ୍ରୀ ଆଉ ଏକ କପିକୁ ଗୃହରେ ଉପସ୍ଥାପନ କରିଥିଲେ।

ସେହି ସମୟରେ ରାଜ୍ୟସଭାରେ ଅଧ୍ୟକ୍ଷତା କରୁଥିଲେ ଉପାଧ୍ୟକ୍ଷ ହରିବଂଶ। ଏଭଳି ଅସଂସଦୀୟ ବ୍ୟବହାରରୁ ବିରତ ରହିବା ପାଇଁ‌ ସେ ସଦସ୍ୟମାନଙ୍କୁ କହିଥିଲେ। ଏହାପରେ ସେ ଗୃହକୁ ଦିନକ ପାଇଁ ମୁଲତବୀ ଘୋଷଣା କରିଥିଲେ।

ଆଇଟି ମନ୍ତ୍ରୀଙ୍କ ଠାରୁ ଟିଏମ୍‌ସି ଏମପି କାଗଜ ଛଡ଼ାଇ ନେବା ପରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏବଂ ତାଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା। ମାର୍ସଲମାନଙ୍କ ହସ୍ତକ୍ଷେପ ପରେ ଉକ୍ତ ପରିସ୍ଥିତିକୁ ନିୟନ୍ତ୍ରଣ ମଧ୍ୟକୁ ଅଣାଯାଇଥିଲା। ‌ତେବେ ଶ୍ରୀ ସେନ୍ ଅଭିଯୋଗ କରିଛନ୍ତି ଯେ ମନ୍ତ୍ରୀ ଶ୍ରୀ ପୁରୀ ତାଙ୍କୁ ମୌଖିକଭାବେ ଗାଳି ଦେଇଛନ୍ତି। ତାଙ୍କୁ ଆକ୍ରମଣ ପାଇଁ ଆଗ‌େଇ ଆସିବାବେଳେ ତାଙ୍କ ଦଳର ଅନ୍ୟ ସହଯୋଗୀ ସଦସ୍ୟମାନେ ତାଙ୍କୁ ରକ୍ଷା କରିଥିଲେ। ଏପରିକି ମନ୍ତ୍ରୀ ପୁରୀ ତାଙ୍କୁ ଧମକାଇ ଇଙ୍ଗିତ କରିଥିଲେ ବୋଲି ସେ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି।

ଏହାପୂର୍ବରୁ ରାଜ୍ୟସଭାରେ ବିରୋଧୀ ସାଂସଦମାନେ ସେମାନଙ୍କ ପାଟିତୁଣ୍ଡ ଜାରି ରଖିଥିଲେ। ଫଳରେ ରାଜ୍ୟସଭାକୁ ଦୁଇଥର ମୁଲତବୀ କରିବାକୁ ପଡ଼ିଥିଲା। ବିରୋଧୀମାନେ ଗୃହରେ ତାଲିକାଭୁକ୍ତ ହୋଇଥିବା ବିଷୟକୁ ଉପସ୍ଥାପନ କରିବା ପାଇଁ ସରକାରଙ୍କୁ ସୁଯୋଗ ଦେଇ ନଥିଲେ। ସଂସଦରେ ଶ୍ରୀ ସେନ୍‌ ଏଭଳି ଅପ୍ରୀତିକର ଘଟଣା ଘଟାଇବା ପରେ ଆଇଟି ମନ୍ତ୍ରୀ ବୈଷ୍ଣବ, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, ରାଜ୍ୟସଭାରେ ସରକାରୀ ଦଳର ନେତା ପୀୟୂଷ ଗୋୟଲ, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଭି ମୁରଲୀଧରନ୍ ଏ‌କ ବୈଠକ କରି ଏ ପ୍ରସଙ୍ଗରେ ଆଲୋଚନା କରିଥିଲେ।

ସେହିଭଳି ଲୋକସଭାରେ ମଧ୍ୟ ପେଗାସସ୍ ‌ପ୍ରସଙ୍ଗକୁ ନେଇ ଗୁରୁବାର ପ୍ରବଳ ହଟ୍ଟଗୋଳ ହୋଇଛି। ଅଧିବେଶନ ଆରମ୍ଭ ହେବା ମାତ୍ରେ ବିରୋଧୀମାନେ ଏହି ପ୍ରସଙ୍ଗରେ ବିତର୍କ ଦାବି କରିଥିଲେ। ଏଥିଯୋଗୁ ‌ଗୃହର କୌଣସି କାର୍ଯ୍ୟ ହୋଇପାରି ନଥିଲା। ବିରୋଧୀମାନେ ସଂସଦରେ ପ୍ଲାକାର୍ଡ ଦେଖାଇବା ସହିତ ସ୍ଳୋଗାନବାଜି କରିବା ଦ୍ବାରା ୫ ମିନିଟ ମଧ୍ୟରେ ଗୃହକୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ

ମୁଲତବୀ କରି ଦିଆଯାଇଥିଲା। ଏହାପରେ ଦୁଇଟାରେ ଗୃହକାର୍ଯ୍ୟ ଆରମ୍ଭ ହେବାବେଳେ ପୂର୍ବବତ୍‌ ଅଚଳାବସ୍ଥା ଲାଗି ରହିଥିଲା। ଫଳରେ ଅପରାହ୍ଣ ୩ଟାରେ ଗୃହକୁ ଆଜି ଦିନକ ପାଇଁ ମୁତଲବୀ କରି ଦିଆଯାଇଥିଲା।

ସମ୍ବନ୍ଧିତ ଖବର