ନୂଆଦିଲ୍ଲୀ: ମୌସୁମୀ ଅଧିବେଶନର ଦ୍ବିତୀୟ ଦିନରେ ବି ଆଜି ସଂସଦରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ପେଗାସସ୍‌ ଗୁଇନ୍ଦାଗିରି ସମେତ ନୂଆ କୃଷି ଆଇନ, କରୋନା ମୃତ୍ୟୁ ଆଦି ପ୍ରସଙ୍ଗକୁ ନେଇ ବିରୋଧୀମାନେ ହଙ୍ଗାମା କରିବାକୁ ସଂସଦର ଉଭୟ ସଦନ ବାରମ୍ବାର ମୁଲତବୀ ହୋଇଥିଲା। ଫଳରେ ଉଭୟ ଗୃହକୁ ଆସନ୍ତା ଗୁରୁର ଦିନ ୧୧ଟା ପର୍ଯ୍ୟନ୍ତ ମୁଲତବୀ କରି ଦିଆଯାଇଛି। ଲୋକସଭାର କାର୍ଯ୍ୟ ଆରମ୍ଭ ହେବାର କିଛି ମିନିଟ୍‌ ଭିତରେ ହିଁ ପେଗାସସ୍‌ ଏବଂ ଅନ୍ୟ ପ୍ରସଙ୍ଗରେ ହଙ୍ଗାମା ଆରମ୍ଭ ହୋଇଯିବାରୁ ଗୃହକୁ ମୁଲତବୀ ରଖାଯାଇଥିଲା। ଅପରାହ୍ନ ୨ଟାରେ ପୁଣି ଥରେ ଗୃହକାର୍ଯ୍ୟ ହଟ୍ଟଗୋଳ ଭିତରେ ଆରମ୍ଭ ହୋଇଥିଲା ଏବଂ ଘଣ୍ଟାରେ ପରେ ପୁଣି ମୁଲତବୀ ହୋଇଥିଲା।

Advertisment

ପେଗାସସ୍‌ ବିବାଦ ନେଇ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ଲୋକସଭାରେ କହିଥିଲେ ଯେ ବିଜେପି ଗଣତନ୍ତ୍ର ବଦଳରେ ଗୁଇନ୍ଦା ତନ୍ତ୍ର ଚଳାଇଛି ଏବଂ ରାହୁଲ ଗାନ୍ଧିଙ୍କର ଫୋନ୍‌ ମଧ୍ୟ ହ୍ୟାକ୍‌ ହୋଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଥିଲେ ଯେ ସରକାର ଏବଂ ପେଗାସସ୍‌ ମଧ୍ୟରେ କୌଣସି ସଂପର୍କ ନଥିବା ବିରୋଧୀ ଦଳମାନେ ଜାଣନ୍ତି। କେବଳ ହଟ୍ଟଗୋଳ ଉଦ୍ଦେଶ୍ୟରେ ଏଭଳି ଅଭିଯୋଗ ଆଣିବା ଠିକ୍‌ ନୁହେଁ ବୋଲି ସେ କହିଥିଲେ। କଂଗ୍ରେସ ଏବଂ ଶିବସେନା ସାଂସଦମାନେ ଆଜି ଏହି ପ୍ରସଙ୍ଗରେ ଲୋକସଭା ବାଚସ୍ପତିଙ୍କୁ ଭେଟି ପେଗାସସ୍‌ ମାମଲାରେ ଜେପିସି ତଦନ୍ତ ଦାବି କରିଥିଲେ। ରାଜ୍ୟସଭାରେ ଆଜି ଅପରାହ୍ନ ୧ଟା ପରେ କରୋନା ଉପରେ ଚର୍ଚ୍ଚା ଆରମ୍ଭ ହୋଇଥିଲା ଏବଂ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭିୟା କରୋନା ପରିଚାଳନା ସଂକ୍ରାନ୍ତ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ।

ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ ଯେ ଟିକାକରଣ ଉପରେ ସରକାରଙ୍କ ପୂରା ଫୋକସ ରହିଛି। ଦେଶର ବୈଜ୍ଞାନିକମାନଙ୍କ ଉପରେ ଆମକୁ ଭରସା ରଖିବାକୁ ହେବ ଏବଂ ସେମାନଙ୍କୁ ନେଇ ଅଯଥା ପ୍ରଶ୍ନ ଉଠାଇବା ଠିକ୍‌ ନୁହେଁ ବୋଲି ସେ କହିଥିଲେ। ଭାରତରେ ଜାଇଡସ କାଡିଲା ବିଶ୍ବର ପ୍ରଥମ ଡିଏନ୍‌ଏ ଟିକା ପ୍ରସ୍ତୁତ କରିବାକୁ ସକ୍ଷମ ହୋଇଛି ଏବଂ ଜାଇଡସ ଏହି ଟିକାକୁ ୩ଟି ପର୍ଯ୍ୟାୟରେ ପରୀକ୍ଷଣ ସଂପୂର୍ଣ୍ଣ କରିଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ଜାଇଡସ୍‌ର ୭ କୋଟି ଟିକା ସେପ୍‌ଟେମ୍ବର-ଅକ୍ଟୋବର ସୁଦ୍ଧା ବଜାରରେ ଉପଲବ୍ଧ ହେବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ। ମହାମାରୀକୁ ନେଇ ରାଜନୀତି ହେବା ଉଚିତ ନୁହେଁ ବୋଲି ମତ ରଖି ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ ଯେ କରୋନା ମୃତ୍ୟୁକୁ ଲୁଚାଇବାର କୌଣସି କାରଣ ନାହିଁ। କରୋନା ମୃତ୍ୟୁ ସଂକ୍ରାନ୍ତରେ ସଠିକ୍‌ ତଥ୍ୟ ହିଁ ପ୍ରଦାନ କରାଯାଉଛି ଏବଂ ଯେଉଁଠି ଆବଶ୍ୟକ ହେଉଛି ସେଠାରେ ରାଜ୍ୟମାନେ ସଂଶୋଧନ କରୁଛନ୍ତି। ରାଜ୍ୟମାନେ କରୋନା ମୃତ୍ୟୁ ରିପୋର୍ଟ ପଠାଉଛନ୍ତି ଏବଂ ସେହି ଆଧାରରେ କେନ୍ଦ୍ର ସରକାର ରିପୋର୍ଟ ସାର୍ବଜନୀନ କରୁଛନ୍ତି।

ଆଜି ରାଜ୍ୟସଭାରେ ଶିବସେନା ସାଂସଦ ସଂଜୟ ରାଉତ କରୋନାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ। ଟିକାକରଣକୁ ନେଇ ଦେଶରେ ଜାରି ରହିଥିବା ସଙ୍କଟ ପାଇଁ କେନ୍ଦ୍ରକୁ ଦାୟୀ କରି ରାଉତ କହିଥିଲେ ଯେ ଟିକା ଉତ୍ପାଦନର ପ୍ରଥମ ପର୍ଯ୍ୟାୟରେ ବିଦେଶକୁ ଅଯଥାରେ ଟିକା ରପ୍ତାନି ଯୋଗୁଁ ସମସ୍ୟା ବଢ଼ିଥିଲା। କରୋନାର ଦ୍ବିତୀୟ ଲହରରେ ଯେଉଁ ସ୍ଥିତି ଉପୁଜିଥିଲା ସେଥିପାଇଁ କେନ୍ଦ୍ର ସରକାର ଦାୟୀ ବୋଲି ସେ କହିଥିଲେ। କଂଗ୍ରେସ ନେତା ମଲିକାର୍ଜୁନ ଖାଡ଼ଗେ କହିଥିଲେ ଯେ ସରକାର କରୋନା ମୁକାବିଲା ଦିଗରେ ସଂପୂର୍ଣ୍ଣ ବିଫଳ ହୋଇଥିବା କଥା ସ୍ବୀକାର କରନ୍ତୁ ଏବଂ ପ୍ରଧାନମନ୍ତ୍ରୀ ଏବାବଦରେ ଗୃହରେ ତଥ୍ୟ ରଖନ୍ତୁ।