ପେଗାସସ୍‌ ମାମଲାର ଶୁଣାଣି ଆରମ୍ଭ, ରିପୋର୍ଟ ସତ ହୋଇଥିଲେ ସାଂଘାତିକ

କେନ୍ଦ୍ରକୁ ଆବେଦନର ନକଲ ଦାଖଲ ନିର୍ଦ୍ଦେଶ, ମଙ୍ଗଳବାର ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ପେଗାସସ୍ ସ୍ପାଏୱେର୍‌ ମାମଲାର ସ୍ବାଧୀନ ତଦନ୍ତ ଦାବିରେ ଦାଖଲ ହୋଇଥିବା ଏକାଧିକ ଆବେଦନର ଶୁଣାଣି ଆଜି ସୁପ୍ରିମ କୋର୍ଟ କରିଛନ୍ତି। ଆବେଦନ ଦସ୍ତାବିଜ୍‌ର ନକଲ କେନ୍ଦ୍ର ସରକାରଙ୍କୁ ଦେବାଲାଗି ସୁପ୍ରିମ କୋର୍ଟ ଏହି ଅବସରରେ ଆବେଦନକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମଙ୍ଗଳବାର ହେବ।

ଏଡିଟର୍ସ ଗିଲ୍‌ଡ ଅଫ୍ ଇଣ୍ଡିଆ ସମେତ ବରିଷ୍ଠ ସାମ୍ବାଦିକ ଏନ୍‌ ରାମ ଏବଂ ଶଶୀ କୁମାର ପ୍ରମୁଖଙ୍କ ପକ୍ଷରୁ କରାଯାଇଥିବା ୯ଟି ପୃଥକ ଆବେଦନର ଶୁଣାଣି ପ୍ରଧାନ ବିଚାରପତି ଏନ ଭି ରମଣା ଏବଂ ବିଚାରପତି ସୂର୍ଯ୍ୟ କାନ୍ତଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ କରିଥିଲେ। ଖଣ୍ଡପୀଠ କହିଥିଲେ, ଆବେଦନକାରୀମାନେ ସମସ୍ତେ ଶିକ୍ଷିତ ଏବଂ ସମ୍ବଳ ଥିବା ବ୍ୟକ୍ତି। ତେଣୁ ସେମାନେ ଟେଲିଗ୍ରାଫ ଆଇନ ବା ସୂଚନା ପ୍ରଯୁକ୍ତି ଆଇନ ଅଧୀନରେ କାହିଁକି ଆପରାଧିକ ମାମଲା ରୁଜୁ କରିନାହାନ୍ତି ବୋଲି ଖଣ୍ଡପୀଠ କିଛି ଆବେଦନକାରୀଙ୍କ ମାମଲା ପରିଚାଳନା କରୁଥିବା ଓକିଲ କପିଲ ସିବଲଙ୍କୁ ପ୍ରଶ୍ନ କରିଥିଲେ। ମାମଲାର ଶୁଣାଣି ପ୍ରାୟ ଘଣ୍ଟାଏ କାଳ କରିବା ପରେ ଖଣ୍ଡପୀଠ କହିଥିଲେ କେନ୍ଦ୍ର ପକ୍ଷରୁ ମତ ଉପସ୍ଥାପନ ଏବଂ ଜାରି ହେବାକୁ ଥିବା ନୋଟିସ ଗ୍ରହଣ କରିବା ଲାଗି କେନ୍ଦ୍ରର ପ୍ରତନିଧିତ୍ବ ଆବଶ୍ୟକ। କେନ୍ଦ୍ରୀୟ ଏଜେନ୍ସିକୁ କିଛି ଆବେଦନକାରୀ ସେମାନଙ୍କ ପିଟିସନର ଆଗୁଆ କପି ଦାଖଲ କରିଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ଆଇନ ଅଧିକାରୀ ହାଜର ହୋଇ ନଥିଲେ।

ସେହିଭଳି ଅଦାଲତ କହିଥିଲେ ଗଣମାଧ୍ୟମରେ ଯେଉଁ ରିପୋର୍ଟ ସବୁ ପ୍ରକାଶ ପାଉଛି ତାହା ସତ ହୋଇଥିଲେ ସାଂଘାତିକ। ଅନ୍ୟପକ୍ଷରେ ଅଦାଲତ ଏହା ମଧ୍ୟ କହିଥିଲେ ଯେ ୨୦୧୯ ମସିହାରେ ପେଗାସସ୍ ଗୁଇନ୍ଦାଗିରି ପ୍ରସଙ୍ଗ ସାମ୍ନାକୁ ଆସିଥିଲା। ଏହାସତ୍ତ୍ବେ ଗୁଇନ୍ଦାଗିରି ସଂପର୍କରେ ଯାଞ୍ଚଯୋଗ୍ୟ ତଥ୍ୟ କେହି ସଂଗ୍ରହ କରିବା ଲାଗି ଗୁରୁତ୍ବର ସହ ଉଦ୍ୟମ କରିନାହାନ୍ତି। ଅଧିକାଂଶ ଜନସ୍ବାର୍ଥ ମାମଲା ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଉପରେ ଆଧାରିତ ବୋଲି ଅଦାଲତ କହିଥିଲେ।

୨୦୧୯ ମସିହାର ଏକ ରିପୋର୍ଟକୁ ଭିତ୍ତିକରି ପ୍ରଧାନ ବିଚାରପତି କହିଥିଲେ ଯେ ଏସ୍ରାଏଲର ପେଗାସସ୍ ସ୍ପାଏୱେରକୁ ବ୍ୟବହାର କରି ଭାରତରେ ଶିକ୍ଷାବିତ୍‌, ଆଇନୀଜୀବୀ, ସାମ୍ବାଦିକ, ଦଳିତ କର୍ମୀ ପ୍ରମୁଖଙ୍କ ବିରୋଧରେ ଗୁଇନ୍ଦାଗିରି କରାଯାଇଥିବା ହ୍ବାଟ୍‌ସଆପ୍ ଦାବି କରିଥିଲା। ଘଟଣା ସାମ୍ନାକୁ ଆସିବାର ୨ ବର୍ଷ ପରେ ଏବେ ହଠାତ୍‌ କାହିଁକି ଏକାଧିକ ପିଟିସନ ଦାଖଲ କରାଯାଇଛି? ଆଇନଜୀବୀ ସିବଲ କୋର୍ଟକୁ ଏହା କହିଥିଲେ ଯେ ଅଧିକାଂଶ ତଥ୍ୟ ପ୍ରତି ଆମର ପହଞ୍ଚ ନାହିଁ। ତେବେ ପିଟିସନରେ ପ୍ରାୟ ୧୦ଟି ଫୋନ ନମ୍ବରରେ ଗୁଇନ୍ଦା ସଫ୍ଟୱେରର ସିଧାସଳଖ ଅନୁପ୍ରବେଶ ସଂପର୍କରେ ସୂଚନା ରହିଛି ବୋଲି ସିବଲ ତାଙ୍କ ଉତ୍ତରରେ କହିଥିଲେ। କେବଳ ସରକାର ହିଁ ଏହାର ଉତ୍ତର ଦେଇପାରିବେ। ସରକାର ଏହାକୁ କିଣିଥିଲେ କି? ବ୍ୟବହାର କରିଥିଲେ କି? ଏବଂ ଯଦି କରିଥିଲେ ତାହେଲେ କାହିଁକି? ବୋଲି ସେ କହିଥିଲେ। ଉକ୍ତ ସ୍ପାଏୱେର ଆମ ଗଣତନ୍ତ୍ର ପାଇଁ ବଡ଼ ବିପଦ ବୋଲି ସିବଲ୍ କହିଥିଲେ।

ସମ୍ବନ୍ଧିତ ଖବର