ସାଓ ପାଓଲ : ବ୍ରାଜିଲ୍ର କିଂବଦନ୍ତି ଫୁଟ୍ବଲ୍ ଖେଳାଳି ପେଲେ ଆଉ ନାହାନ୍ତି। ଗୁରୁବାର ରାତିରେ ତାଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୮୨ ବର୍ଷ ହୋଇଥିଲା। ବିଶ୍ବର ଏହି ମହାନ ଫୁଟ୍ବଲ୍ ଖେଳାଳି ଦୁଇ ବର୍ଷ ଧରି କର୍କଟ ରୋଗରେ ପୀଡ଼ିତ ଥିଲେ।
ପେଲେ ନାମରେ ପରିଚିତ ଏଡସନ୍ ଅରାଣ୍ଟେସ୍ ଡୁ ନାସ୍କିମେଣ୍ଟୋ ଗତ ନଭେମ୍ବର ୨୯ ତାରିଖରେ ସାଓ ପାଓଲସ୍ଥିତ ଏକ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ସେହିଦିନଠାରୁ ସେ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ। ଗୁରୁବାର ଦିନ ତାଙ୍କ ଶରୀର ଆଉ କେମୋଥେରୋପି ଗ୍ରହଣ ନକରିବାରୁ ତାଙ୍କ ମୃତ୍ୟୁ ଘଟିଥିଲା ବୋଲି ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି।
ପେଲେ ହେଉଛନ୍ତି ବିଶ୍ବର ଏକମାତ୍ର ଖେଳାଳି ଯିଏକି ତିନି ଥର ଫିଫା ବିଶ୍ବକପ୍ ଜିତିବାର ଗୌରବ ହାସଲ କରିଛନ୍ତି। ଗତ ବିଶ୍ବକପ୍ ମ୍ୟାଚ୍ ବେଳେ ସେ ହସପିଟାଲ ବେଡ୍ରେ ଥାଇ ବ୍ରାଜିଲ ଟିମ୍କୁ ଉତ୍ସାହିତ କରିଥିଲେ। ୧୬ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରୀଡ଼ା ଜୀବନ ଆରମ୍ଭ କରିଥିବା ଏହି ମହାନ ଖେଳାଳି ୯୨ ମ୍ୟାଚ୍ରେ ୭୭ ଗୋଲ୍ ଦେଇ ସର୍ବକାଳୀନ ଗୋଲ୍ ସ୍କୋରର୍ ହେବାର ଗୌରବ ଅର୍ଜନ କରିଥିଲେ। ୩ ଫିଫା ବିଶ୍ବକପ୍ (୧୯୫୮, ୧୯୬୨ ଓ ୧୯୭୦) ବିଜୟୀ ଦଳର ସଦସ୍ୟ ରହିବାରେ ସେ ଥିଲେ ଏକମାତ୍ର ଖେଳାଳି। ଏହି ବ୍ରାଜିଲ୍ ତାରକା ୧୮ ବର୍ଷ ବୟସରେ ପ୍ରଥମଥର ବିଶ୍ବକପ୍ ଜିତିଥିଲେ। ୧୯୫୮ରେ ହୋଇଥିବା ଏହି ବିଶ୍ବକପ୍ର ସ୍ବିଡେନ୍ ବିପକ୍ଷ ଫାଇନାଲ୍ରେ ଦୁଇଟି ଗୋଲ୍ ଦେବା ସହ ମୋଟ ୬ ଗୋଲ୍ ସ୍କୋର କରିଥିଲେ। ୧୯୬୨ ବିଶ୍ବକପ୍ରେ ସେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ୧୯୭୦ ବିଶ୍ବକପ୍ ଫାଇନାଲ୍ରେ ତାଙ୍କ ପ୍ରାରମ୍ଭିକ ଗୋଲ୍ରେ ବ୍ରାଜିଲ ୪-୧ରେ ଇଟାଲିକୁ ମାତ୍ ଦେଇଥିଲା। ସେ ବ୍ରାଜିଲୀୟ କ୍ଲବ୍ ସାଣ୍ଟୋସ୍ ପକ୍ଷରୁ ସବୁଠୁ ଅଧିକ ସମୟ ଖେଳିଥିଲେ। ଏହି କ୍ଲବ୍ ପାଇଁ ମଧ୍ୟରେ ୬୫୯ ମ୍ୟାଚ୍ ଖେଳି ୬୪୩ ଗୋଲ୍ କରିଥିଲେ।