ସ୍କୁଟି ୧୫,୦୦୦ଟଙ୍କାର ହୋଇଥିବା ବେଳେ ଫାଇନ୍ ୨୩,୦୦୦ ଟଙ୍କା ! ଚିନ୍ତାରେ ଚାଳକ, ଜରିମାନା ଦେଇ ଗାଡ଼ି ମୁକାଳିବେ ନା ନୂଆ ଗାଡ଼ି କିଣିବେ ?

ନୂଆଦିଲ୍ଲୀ : ସେପ୍ଟେମ୍ବର ୧ରୁ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଦିଲ୍ଲୀରେ ଜଣେ ଯୁବକଙ୍କ ୨୩,୦୦୦ ଟଙ୍କାର ଚାଲାଣ କଟିଥିବା ଜଣାପଡ଼ିଛି । ବିନା ହେଲ୍‌ମେଟରେ ସେ ଗାଡ଼ି ଚଳାଉଥିବା ଦେଖି ଟ୍ରାଫିକ ପୁଲିସ ତାଙ୍କୁ ଅଟକାଇଥିଲେ । ଯାହା ପରେ ତାଙ୍କ ପାଖରେ ଗାଡ଼ିର କୌଣସି କାଗଜପତ୍ର ନ ଥିବା ଦେଖି ୨୩,୦୦୦ ଟଙ୍କା ଜରିମାନା ଲଗାଇଥିଲା ପୁଲିସ । ତେବେ ଯୁବକଙ୍କ ଗାଡ଼ିର ଦାମ୍‌ ୧୫,୦୦୦ଟଙ୍କା ହୋଇଥିବା ବେଳେ ସେ ୨୩,୦୦୦ ଟଙ୍କା ଜରିମାନା ଦେଇ ଗାଡ଼ି ଆଣିବେ ନା ନାହିଁ ଚିନ୍ତା କରୁଛନ୍ତି ।

Image result for penalty-amount-exceeded-by-vehicle-in-gurgaon-haryana
News Track English

ସୂଚନା ମୁତାବକ, ଦିଲ୍ଲୀର ଗୀତା କଲୋନୀରେ ରହୁଥିବା ଦିନେଶ ମଦାନ ହରିୟାଣାର ଗୁଡ଼୍‍ଗାଓଁ କୋର୍ଟରେ କାମ କରୁଛନ୍ତି । ସୋମବାର ସେ ନିଜର କିଛି ଛୋଟ କାମ ପାଇଁ ୨୦୧୫ ମଡେଲର ସ୍କୁଟି ଧରି ବାହାରକୁ ବାହାରିଥିଲେ । ତେବେ ଦିନେଶ ହେଲ୍‌ମେଟ ନେବାକୁ ଭୁଲି ଯାଇଥିବା ବେଳେ ଟ୍ରାଫିକ୍‌ ପୁଲିସ ତାଙ୍କୁ ଅଟକାଇଥିଲେ । ଏହା ପରେ ଗାଡ଼ିର ରେଜିଷ୍ଟ୍ରେସନ, ଲାଇସେନ୍ସ, ଏୟାର ପଲ୍ୟୁସନ୍‌ ଏନ୍‌ଓସି ଓ ଥାର୍ଡ ପାର୍ଟି ଇନ୍‌ସ୍ୟୁରାନ୍ସ ବିଷୟରେ ପଚରାଯିବା ପରେ ଦିନେଶଙ୍କ ପାଖରେ କୌଣସି କାଗଜପତ୍ର ନ ଥିଲା । କିଛି ସମୟ ପରେ କାଗଜପତ୍ର ଦେବାକୁ କହିବା ବେଳକୁ ଟ୍ରାଫିକ୍‌ ପୁଲିସ ଚାଲାଣ କାଟି ସାରିଥିଲେ । ଏହା ସହ ୨୩,୦୦୦ ଟଙ୍କା ଜରିମାନା ଦେଇ ନ ପାରିବାରୁ ତାଙ୍କ ଗାଡ଼ିକୁ ପୁଲିସ ଉଠାଇ ନେବା ସହ ମାମଲା ଏବେ ଅଦାଲତରେ ପହଞ୍ଚି ସାରିଛି । ୨୩,୦୦୦ ଟଙ୍କା ଦେଇ ୧୫,୦୦୦ଟଙ୍କାର ଗାଡ଼ି ମୁକୁଳାଇବେ ନା ନୂଆ ଗାଡ଼ି କିଣିବେ ସେ ନେଇ ଚିନ୍ତାରେ ଦିନେଶ ।

ସମ୍ବନ୍ଧିତ ଖବର