ଗାଡ଼ି ପଛସିଟ୍‌ରେ ବେଲ୍‌ଟ ବାନ୍ଧି ନଥିଲେ ଜରିମାନା: ତିନିଦିନ ଭିତରେ ଜାରି ହେବ ବିଜ୍ଞପ୍ତି

ନୂଆଦିଲ୍ଲୀ: ଗାଡ଼ିର ପଛସିଟ୍‌ରେ ବସି ବେଲ୍‌ଟ ବାନ୍ଧି ନଥିଲେ ଆଗାମୀ ଦିନରେ ଯାତ୍ରୀଙ୍କୁ ଜରିମାନା ଦେବାକୁ ହେବ। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ବିଭାଗ ମନ୍ତ୍ରୀ ନୀତୀନ ଗଡ଼କରୀ ଆଜି ଏହା କହିଛନ୍ତି। ଏ ସଂକ୍ରାନ୍ତ ବିଜ୍ଞପ୍ତି ଆସନ୍ତା ୩ ଦିନ ମଧ୍ୟରେ ଜାରି ହେବ। କେନ୍ଦ୍ରମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଭାରତରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ମଧ୍ୟରୁ ଅଧିକ ଲୋକଙ୍କ ବୟସ ୧୮ରୁ ୩୪ ବର୍ଷ ମଧ୍ୟରେ। ଦୁର୍ଘଟଣାରେ ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ ପରେ ଏହାକୁ ନେଇ ଦେଶରେ ବଡ଼ ଧରଣର ଚର୍ଚ୍ଚା ଚାଲିଛି। ଡ୍ରାଇଭର ସିଟ୍‌ରେ ବସି ସିଟବେଲ୍ଟ ବାନ୍ଧି ନଥିଲେ ଯେପରି ଆଲାର୍ମ ବାଜୁଛି ପଛ ସିଟ୍ ପାଇଁ ମଧ୍ୟ ସେଭଳି ବ୍ୟବସ୍ଥା କରାଯିବ। ବେଲ୍ଟ ନବାନ୍ଧିଲେ ଜରିମାନା ଦେବାକୁ ହେବ ବୋଲି ମନ୍ତ୍ରୀ କହିଛନ୍ତି। ତେଣୁ ଆଗାମୀ ଦିନରେ କାର୍ କିମ୍ବା ଏସୟୁଭିରେ ବସିଥିବା ସବୁଯାତ୍ରୀ ସିଟ୍‌ବେଲ୍ଟ ବାନ୍ଧି ନଥିଲେ ଜରିନାମା ଦେବେ। ଗାଡ଼ିର ଶବ୍ଦ ପ୍ରଦୂଷଣ କମାଇବା ପାଇଁ ହର୍ଣ୍ଣ ବଦଳରେ ଭାରତୀୟ ବାଦ୍ୟଯନ୍ତ୍ରର ଶବ୍ଦ ଲଗାଇବା ବ୍ୟବସ୍ଥା ପାଇଁ ସେ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର