ନୂଆଦିଲ୍ଲୀ : ସାଂସଦ ଓ ବିଧାୟକମାନଙ୍କ ବିରୋଧରେ ବିଚାରାଧୀନ ଅପରାଧିକ ମାମଲାରେ ଆମିକସ୍ କ୍ୟୁରି ବିଜୟ ହଂସାରିଆଙ୍କ ଦ୍ବାରା ଦିଆଯାଇଥିବା ପରାମର୍ଶ ଉପରେ ଉତ୍ତର ରଖିବା ପାଇଁ ସୁପ୍ରିମକୋର୍ଟ ଦେଶର ସମସ୍ତ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସାଂସଦ ଓ ବିଧାୟକମାନଙ୍କ ଅପରାଧିକ ସଂପର୍କିତ ମାମଲାରେ ଆମିକସ କ୍ୟୁରିଙ୍କ ପକ୍ଷରୁ ୧୭ଟି ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି। ଶେଷ ରିପୋର୍ଟ ଗତବର୍ଷ ନଭେମ୍ବର ୧୪ରେ ଦାଖଲ ହୋଇଥିଲା।
ରିପୋର୍ଟରେ ଆମିକସ୍ କ୍ୟୁରି ଦେଶର ୨୬ଟି ହାଇକୋର୍ଟରୁ ବର୍ତ୍ତମାନ ଓ ପୂର୍ବ ସାଂସଦ ଓ ବିଧାୟକମାନଙ୍କ ବିରୋଧରେ ବିଚାରାଧୀନ ମାମଲାର ସଦ୍ୟତମ ତଥ୍ୟ ଉପସ୍ଥାପନ କରିଛନ୍ତି। ସାଂସଦ ଓ ବିଧାୟକମାନଙ୍କ ବିରୋଧରେ ମାମଲା ବିଚାର ହେଉଥିବା ଅଦାଲତରେ ଅନ୍ୟମାମଲାର ବିଚାର ନକରିବା, ସିଆର୍ପିସିର ଧାରା ୩୦୯ ଅଧୀନରେ ନିୟମିତ ବିଚାରକରିବା, ବିଚାର କାର୍ଯ୍ୟର ଆବଣ୍ଟନ ଉଚ୍ଚନ୍ୟାୟାଳୟ କିମ୍ବା ଉକ୍ତ ଜିଲ୍ଲାର ପ୍ରମୁଖ ସେସନ୍ ଜଜ୍ଙ୍କ ଦ୍ବାରା କରିବା, ଅଭିଯୁକ୍ତମାନଙ୍କ ଦ୍ବାରା ବିଚାର ପ୍ରକ୍ରିୟାକୁ ବିଳମ୍ବ କରାଯିବା ପ୍ରୟାସ କରାଗଲେ ତାଙ୍କ ଜାମିନକୁ ବାତିଲ କରିବା, ସ୍ବତନ୍ତ୍ର କୋର୍ଟରେ ଦୁଇଜଣ ପିପି ନିଯୁକ୍ତି ଭଳି ୧୧ଟି ସୁପାରିସ ଆମିକସ କ୍ୟୁରିଙ୍କ ଦ୍ବାରା କରାଯାଇଛି।
ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ ଓ ବିଚାରପତି ଜଷ୍ଟିସ୍ ପି.ଏସ୍ ନରସିଂହଙ୍କ ଖଣ୍ଡପୀଠରେ ହୋଇଥିଲା। ଖଣ୍ଡପୀଠ ଏହି ଅବସରରେ କହିଥିଲେ ଯେ ମାମଲାର ଶୀଘ୍ର ଶୁଣାଣି ପାଇଁ ଅଦାଲତଙ୍କ ନିକଟରେ ପର୍ଯ୍ୟାପ୍ତ ତଥ୍ୟ ଉପଲବ୍ଧ କରିବାକୁ ପଡ଼ିବ। ହାଇକୋର୍ଟମାନଙ୍କୁ ଆମିକସ କ୍ୟୁରି ୨୦୨୨ ନଭେମ୍ବର ୧୪ରେ ଦାଖଲ କରିଥିବା ୧୭ତମ ରିପୋର୍ଟର ଜବାବ ଦାଖଲ କରିବାକୁ ପଡ଼ିବ। ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଖଣ୍ଡପୀଠ ଏପ୍ରିଲ ୧୮କୁ ଧାର୍ଯ୍ୟ କରିଛନ୍ତି।
ଆମିକସ୍ କ୍ୟୁରି ବିଜୟ ହଂସାରିଆ କହିଥିଲେ ଯେ ଏହି ମାମଲାରେ ସର୍ବୋଚ୍ଚ ଅଦାଲତ ପୂର୍ବ ଶୁଣାଣିଗୁଡ଼ିକରେ ଅନେକ ଆଦେଶ ଦେଇଛନ୍ତି, ହେଲେ ସେଗୁଡ଼ିକର ଆଂଶିକ ପ୍ରଭାବ ରହିଛି। ଆମିକସ କ୍ୟୁରିଙ୍କ ଦ୍ବାରା ଦାଖଲ ୧୭ତମ ରିପୋର୍ଟରେ ଓଡ଼ିଶା ସମେତ ୨୬ଟି ରାଜ୍ୟର ସାଂସଦ ଓ ବିଧାୟକମାନଙ୍କ ବିରୋଧରେ ୩୦୬୯ ଫୌଜଦାରି ମାମଲା ବିଚାରାଧୀନ ରହିଛି। ଓଡ଼ିଶାର ବର୍ତ୍ତମାନ ଓ ପୂର୍ବ ସାଂସଦ ଓ ବିଧାୟକମାନଙ୍କ ନାମରେ ୪୫୪ଟି ଫୋଜଦାରି ମାମଲା ବିଚାରାଧୀନ ଥିବା ରିପୋର୍ଟରେ ଉଲ୍ଲେଖ ରହିଛି।
ବିଚାରାଧୀନ ମାମଲା ସଂଖ୍ୟା ଦୃଷ୍ଟିରୁ ମହାରାଷ୍ଟ୍ର ପରେ ଓଡ଼ିଶା ଦ୍ବିତୀୟ ସ୍ଥାନରେ ରହିଛି। ମହାରାଷ୍ଟ୍ରରେ ସର୍ବାଧିକ ୪୮୨ ଟି ମାମଲା ରହିଛି। ଦେଶରେ ୫ ବର୍ଷରୁ ଅଧିକ ୯୬୨ଟି ମାମଲା ବିଚାରାଧୀନ ଥିବାବେଳେ ଓଡ଼ିଶାରେ ସର୍ବାଧିକ ୩୨୩ଟି ମାମଲା ରହିଛି ବୋଲି ଆମିକସ କ୍ୟୁରି ୧୭ତମ ରିପୋର୍ଟରେ ଦର୍ଶାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/supreme-court-bk.jpg)