ନୂଆଦିଲ୍ଲୀ : ୨୦୨୧ ତୁଳନାରେ ୨୦୨୨ରେ ଓଡ଼ିଶା ସମେତ ସାରା ଦେଶରେ ବିଚାରାଧୀନ ମାମଲା ସଂଖ୍ୟା ବଢ଼ିଛି। ୨୦୨୧ରେ ଓଡ଼ିଶା ହାଇକୋର୍ଟରେ ବିଚାରାଧୀନ ମାମଲା ସଂଖ୍ୟା ୧,୯୬,୪୮୩ ଥିବା ବେଳେ ୨୦୨୨ରେ ଏହି ସଂଖ୍ୟା ବଢ଼ି ୨,୧୨,୨୦୩ରେ ପହଞ୍ଚିଛି। ସେହି ଭଳି ଓଡ଼ିଶାର ଜିଲ୍ଲା ଓ ଅଧସ୍ତନ ଅଦାଲତଗୁଡ଼ିକରେ ବିଚାରାଧୀନ ମାମଲା ସଂଖ୍ୟା ୨୦୨୧ରେ ୧୭,୮୯,୬୭୭ ଥିବା ବେଳେ ଏହି ସଂଖ୍ୟା ବୃଦ୍ଧି ପାଇ ୨୦୨୨ରେ ୧୮,୪୬,୫୨୦ରେ ପହଞ୍ଚିଛି। ଲୋକସଭାରେ ଓଡ଼ିଶା ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଓ ସପ୍ତଗିରି ଶଙ୍କର ଉଲାକାଙ୍କ ସମେତ ୧୬ ଜଣ ସାଂସଦଙ୍କ ସମ୍ମିଳିତ ପ୍ରଶ୍ନର ଉତ୍ତର ଦେଇ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ କିରେନ୍‌ ରିଜିଜୁ।

Advertisment

ସାଂସଦମାନଙ୍କ ପ୍ରଶ୍ନ କ୍ରମେ ଶ୍ରୀ ରିଜିଜୁ ୨୦୧୪ରୁ ୨୦୨୨ ପର୍ଯ୍ୟନ୍ତ ବିଚାରାଧୀନ ଓ ଫଏସଲା ହୋଇଥିବା ମାମଲା ସମ୍ପର୍କରେ ତଥ୍ୟ ରଖିଛନ୍ତି। ଓଡ଼ିଶା ପ୍ରସଙ୍ଗରେ ଆଇନମନ୍ତ୍ରୀଙ୍କ ସୂଚନା ହେଲା, ଓଡ଼ିଶା ହାଇକୋର୍ଟରେ ୨୦୨୨ ଡିସେମ୍ବର ୧୪ ସୁଦ୍ଧା ୨୬ ଟି ନିର୍ବାଚନୀ ମାମଲା, ୭୩ ହଜାର ୩୨୨ ରିଟ୍‌ ପିଟିସନ ଓ ୧୪୫୪ ଅଦାଲତ ଅବମାନନା ମାମଲା ବିଚାରାଧୀନ ରହିଛି। ମହିଳାମାନଙ୍କ ଦ୍ବାରା ହାଇକୋର୍ଟରେ ଡିସେମ୍ବର ୧୫, ୨୦୨୨ ସୁଦ୍ଧା ଦାଖଲ କରାଯାଇଥିବା ୧୧ ହଜାର ୬୯୮ ସିଭିଲ ଓ ୧୫୦୬ଟି ଫୌଜଦାରୀ ମାମଲା ବିଚାରାଧୀନ ରହିଛି। ଓଡ଼ିଶାର ଜିଲ୍ଲା ଓ ଅଧସ୍ତନ ନ୍ୟାୟାଳୟମାନଙ୍କରେ ଡିସେମ୍ବର ୧୫, ୨୦୨୨ ସୁଦ୍ଧା ମହିଳାମାନଙ୍କ ଦ୍ବାରା ଦାଖଲ କରାଯାଇଥିବା ମୋଟ ୮୦ ହଜାର ୪୬ ମାମଲା ବିଚାରଧୀନ ରହିଛି। ଏଥିରେ ସିଭିଲ ମାମଲା ସଂଖ୍ୟା ୪୩ ହଜାର ୬୪୪ ହୋଇଥିବା ବେଳେ ଫୌଜଦାରୀ ମାମଲା ସଂଖ୍ୟା ୩୬ ହଜାର ୪୦୨ ରହିଛି।

ଓଡ଼ିଶା ହାଇକୋର୍ଟରେ ୨୦୨୧ ତୁଳନାରେ ୨୦୨୨ରେ ଫଇସଲା ହୋଇଥିବା ମାମଲା ସଂଖ୍ୟା କମ୍‌ ରହିଛି। ୨୦୨୧ରେ ୧,୦୫, ୫୨୫ ମାମଲା ଫଏସଲା ହୋଇଥିବା ବେଳେ ୨୦୨୨ରେ ଏହି ସଂଖ୍ୟା ୩୮ ହଜାର ୮୪୬ ରହିଛି। ଜିଲ୍ଲା ଓ ଅଧସ୍ତନ ଅଦାଲତରେ ୨୦୨୧ ତୁଳନାରେ ୨୦୨୨ରେ ମଧ୍ୟ କମ୍‌ ମାମଲା ମଧ୍ୟ ଫଏସଲା ହୋଇଛି। ୨୦୨୧ରେ ଜିଲ୍ଲା ଏବଂ ଅଧସ୍ତନ ଅଦାଲତଗୁଡିକରେ ୨ ଲକ୍ଷ ୨୩ ହଜାର ୪୮୫ ମାମଲା ଫଏସଲା ହୋଇଛି। ତେବେ ୨୦୨୨ରେ ଏହି ସଂଖ୍ୟା ଏକ ଲକ୍ଷ ୭୫ ହଜାର ୯୫୪ ଥିଲା। ଭର୍ଚୁଆଲ୍‌ ମାଧ୍ୟମରେ ଟ୍ରାଫିକ୍‌ ଚାଲାଣ ସମ୍ବନ୍ଧୀୟ ମାମଲାଗୁଡ଼ିକ ସମ୍ପର୍କରେ ମଧ୍ୟ ମନ୍ତ୍ରୀ ବିବରଣୀ ପ୍ରଦାନ କରିଛନ୍ତି। ଓଡ଼ିଶାରେ ଡିସେମ୍ବର ୧, ୨୦୨୨ ସୁଦ୍ଧା ଟ୍ରାଫିକ ଚାଲାଣ ସଂପର୍କିତ ୨ ଲକ୍ଷ ୨ ହଜାର ୯୯୨ ମାମଲା ମଧ୍ୟରୁ ଏକ ଲକ୍ଷ ୮୬ ହଜାର ୨୯୮ ମାମଲାରେ ପ୍ରସିଡିଂ ହୋଇଛି ଓ ୧୩ ହଜାର ୪୪୪ ମାମଲ‌ାରେ ଚାଲାଣ ପୈଠ ହୋଇଛି।

ଡିସେମ୍ବର ୩୧, ୨୦୨୨ ସୁଦ୍ଧା ଜାତୀୟ ଲୋକ ଅଦାଲତରେ ଓଡ଼ିଶାର ୮ ଲକ୍ଷ ୨୧ ହଜାର ୧୭ ମାମଲାରୁ ୩ ଲକ୍ଷ ୩୭ ହଜାର ୬୫ ମାମଲା ଫଏସଲା ହୋଇଥିଲା। ଓଡିଶାରେ ଅକ୍ଟୋବର ୩୧, ୨୦୨୨ ସୁଦ୍ଧା ଫାଷ୍ଟ ଟ୍ରାକ୍‌ କୋର୍ଟଗୁଡ଼ିକରେ ୩୦୪ ମାମଲାର ଫଏସଲା ହୋଇଥିବା ସୂଚନା ଦିଆଯାଇଛି। ସେହି ଭଳି ଫାଷ୍ଟ ଟ୍ରାକ ସ୍ବତନ୍ତ୍ର କୋର୍ଟଗୁଡ଼ିକରେ ଅକ୍ଟୋବର ୩୧, ୨୦୨୨ ସୁଦ୍ଧା ୧୨ ହଜାର ୯ ମାମଲା ବିଚାରାଧୀନ ରହିଥିବାବେଳେ ୫ ହଜାର ୯୭୧ ମାମଲା ଫଏସଲା ହୋଇଛି। ଅନ୍ୟ ପକ୍ଷରେ ସୁପ୍ରିମକୋର୍ଟରେ ଅକ୍ଟୋବର ୨୦୨୨ ସୁଦ୍ଧା ୬୯ ହଜାର ୭୮୧ ମାମଲା ବିଚାରାଧୀନ ଥିବା ବେଳେ ୨୦୨୧ରେ ବିଚାରାଧୀନ ମାମଲା ସଂଖ୍ୟା ଥିଲା ୭୦ ହଜାର ୨୩୯ ରହିଛି ବୋଲି ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି।