ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସଂଘର୍ଷମୟ ଜୀବନ ଓ ତାଙ୍କର ସଫଳତାକୁ ଆଧାର କରି ପେଙ୍ଗୁଇନ୍‌ ରାଣ୍ଡମ୍‌ ହାଉସ୍‌ ଇଣ୍ଡିଆ ପ୍ରକାଶ କରିବ ତାଙ୍କର ଜୀବନୀ ଗ୍ରନ୍ଥ। ‘ମ୍ୟାଡାମ୍‌ ପ୍ରେସିଡେଣ୍ଟ: ଏ ବାୟୋଗ୍ରାଫି ଅଫ୍‌ ଦ୍ରୌପଦୀ ମୁର୍ମୁ’ ଶୀର୍ଷକ ଏହି ପ୍ରସ୍ତାବିତ ପ୍ରଥମ ବିସ୍ତୃତ ଜୀବନୀ ଗ୍ରନ୍ଥକୁ ଲେଖିବେ ଓଡ଼ିଶାର ଅନ୍ତର୍ଜାତିକ ଖ୍ୟାତିସଂପନ୍ନ ସାମ୍ବାଦିକ ସନ୍ଦୀପ ସାହୁ। ଏହି ପୁସ୍ତକ ଭାରତର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତିଙ୍କ ଜୀବନ ପାଇଁ ଏକ ଝରକା ଖୋଲିବା ସହ ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରକାଶ ପାଇବ ବୋଲି ଘୋଷଣା କରିଛି ପ୍ରକାଶନୀ ସଂସ୍ଥା ପେଙ୍ଗୁଇନ୍‌।

Advertisment

ଦ୍ରୌପଦୀ ମୁର୍ମୁଙ୍କ ଦୀର୍ଘ ଏବଂ ଘଟଣାବହୁଳ ରାଜନୈତିକ ଯାତ୍ରା ହେଉଛି ପ୍ରକୃତରେ ପ୍ରେରଣାର ଏକ ଅପ୍ରତିମ କାହାଣୀ। ଦିନେ ରାଇରଙ୍ଗପୁରର ପୌରପାଳିକାରେ ଜଣେ କାଉନସିଲର ଭାବେ ନିଜର ରାଜନୈତିକ ଜୀବନ ଆରମ୍ଭ କରି ପରେ ଓଡ଼ିଶା ବିଧାନସଭା, ମନ୍ତ୍ରିପରିଷଦରୁ ଝାଡ଼ଖଣ୍ଡର ରାଜଭବନ ଦେଇ ଭାରତର ୧୫ତମ ରାଷ୍ଟ୍ରପତି ରୂପେ ରାଇସିନା ହିଲର ରାଷ୍ଟ୍ରପତି ଭବନରେ ପହଞ୍ଚିବା ଦ୍ରୌପଦୀ ମୁର୍ମୁଙ୍କ ପାଇଁ କିଛି ସହଜସାଧ୍ୟ ବ୍ୟାପାର ନଥିଲା। ଏଥିପାଇଁ ତାଙ୍କୁ ଅନେକ ପରୀକ୍ଷା, ଅସୁବିଧା ଏବଂ ସଂଘର୍ଷକୁ ସାମନା କରିବାକୁ ପଡ଼ିଥିଲା। ତାଙ୍କ ବ୍ୟକ୍ତିଗତ ଜୀବନରେ ମଧ୍ୟ ସେ ସାମନା କରିଥିଲେ ଅନେକ ଦୁଃଖ ଓ ଝଡ଼ଝଞ୍ଜା। ସାମ୍ନା କରିଥିଲେ ଅନେକ ଦୁଃଖଦ ଘଟଣା। ତାଙ୍କ ସ୍ୱାମୀ ଏବଂ ଦୁଇ ପୁଅଙ୍କୁ ହରାଇବା ପରେ ମଧ୍ୟ ଜୀବନ ଯୁଦ୍ଧରେ ହାର ମାନି ନଥିଲେ। ସମସ୍ତ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଜାରି ରଖିଥିଲେ ତାଙ୍କ ଜୀବନ ସଂଗ୍ରାମ। ତେଣୁ ତାଙ୍କ ଜୀବନୀ ଗ୍ରନ୍ଥ ସମସ୍ତଙ୍କୁ ପ୍ରଭାବିତ କରିବା ସହ ପ୍ରେରଣା ଯୋଗାଇବ।

ଏହି ଜୀବନୀ ଗ୍ରନ୍ଥ ପୁସ୍ତକର ଲେଖକ ସନ୍ଦୀପ ସାହୁ କୁହନ୍ତି, ‘ଭାରତର ରାଷ୍ଟ୍ରପତି ହେବାରେ ପ୍ରଥମ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ଓଡ଼ିଶାର ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାର ଅଟନ୍ତି, ଯେଉଁଠାରେ ମୁଁ ମୋର ସମଗ୍ର କିଶୋର ସମୟ ଅତିବାହିତ କରିଥିଲି। ତେଣୁ, ତାଙ୍କର ଜୀବନୀ ଗ୍ରନ୍ଥ ଲେଖିବା ମୋ ପାଇଁ ପ୍ରଲୋଭନକାରୀ ବ୍ୟାପାର । ଏହି ପୁସ୍ତକ ରଚନା ପାଇଁ ପେଙ୍ଗୁଇନ୍‌ ଇଣ୍ଡିଆ ଟିମ୍‌ ସହିତ କାମ କରିବା ମୋ ପାଇଁ ସମ୍ପୂର୍ଣ୍ଣ ଆନନ୍ଦଦାୟକ ହୋଇଛି।’

ଉଲ୍ଲେଖଯୋଗ୍ୟ, ସନ୍ଦୀପ ସାହୁ ହେଉଛନ୍ତି ଓଡ଼ିଶାର ଜଣେ ଖ୍ୟାତନାମା ସାମ୍ବାଦିକ। ସାମ୍ବାଦିକତାରେ ତାଙ୍କର ଦୀର୍ଘ ୩୫ ବର୍ଷର ଅଭିଜ୍ଞତା ରହିଛି। ୧୯୮୫ରେ ଅଗ୍ରଣୀ ଓଡ଼ିଆ ଦୈନିକ ‘ସମ୍ବାଦ’ ଓ ‘ସନ୍ ଟାଇମ୍ସ’ରୁ ଆରମ୍ଭ କରି ସେ  ଅନେକ ଶୀର୍ଷ ସ୍ଥାନୀୟ, ଜାତୀୟ ଏବଂ ଆନ୍ତର୍ଜାତୀୟ ଗଣମାଧ୍ୟମ ପାଇଁ କାର୍ଯ୍ୟ କରିଛନ୍ତି। ସେ ୨୭ ବର୍ଷରୁ ଅଧିକ ସମୟ ଧରି ଓଡ଼ିଶାରୁ ବିବିସି ଓ୍ଵାର୍ଲଡ ସର୍ଭିସ୍‌ ପାଇଁ ରିପୋର୍ଟିଂ କରୁଛନ୍ତି ଏବଂ ମେ ୨୦୧୮ରୁ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ‘ଆଉଟଲୁକ୍‌’ ପାଇଁ ଓଡ଼ିଶା ସମ୍ବାଦଦାତା ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ଏଥିସହ, ଅନେକ ଜାତୀୟ ସମ୍ବାଦ ୱେବସାଇଟ୍‌ ପାଇଁ ଲେଖିବା ଜାରି ରଖିଛନ୍ତି। ସେ ପୂର୍ବରୁ ଓଟିଭିର ସମ୍ପାଦକୀୟ ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେ ରାଜ୍ୟର ବହୁତ କମ୍‌ ସାମ୍ବାଦିକଙ୍କ ମଧ୍ୟରେ ଅନ୍ୟତମ ଯେଉଁମାନଙ୍କର ତିନିଟି ଭାଷା (ଓଡ଼ିଆ, ହିନ୍ଦୀ ଏବଂ ଇଂରାଜୀ)ରେ ଲେଖିବାର ଦକ୍ଷତା ରହିଛି । ନିଜର ସାମ୍ବାଦିକତା କାର୍ଯ୍ୟ ସହ ସେ ଓଡ଼ିଆ, ଇଂରାଜୀ ଏବଂ ହିନ୍ଦୀରେ ଅନେକ ପ୍ରାମାଣିକ (ଡକ୍ୟୁମେଣ୍ଟାରି), ଟେଲିଫିଲ୍ମ ଏବଂ ଟିଭି ଧାରାବାହିକ ପାଇଁ ସ୍କ୍ରିପ୍ଟ ମଧ୍ୟ ଲେଖିଛନ୍ତି।