ପେନସନଭୋଗୀଙ୍କ ପାଇଁ ଜୀବନ ପ୍ରମାଣପତ୍ର ଦାଖଲ ସମୟସୀମା ଡିସେମ୍ବର ୩୧କୁ ବୃଦ୍ଧି

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଚାକିରିରୁ ଅବସର ନେଇ ପେନସନ ପାଉଥିବା ବୟସ୍କ ଲୋକମାନଙ୍କ ପାଇଁ ଏକ ଭଲ ଖବର । କରୋନା ମହାମାରୀକୁ ଦୃଷ୍ଟିରେ ରଖ କେନ୍ଦ୍ର ସରକାର ପେନସନଭୋଗୀ ପ୍ରତି ବର୍ଷ ପ୍ରଦାନ କରୁଥିବା ଜୀବନ ପ୍ରମାଣପତ୍ର ବା ଲାଇଫ ସାର୍ଟିଫିକେଟ ଦାଖଲ ମିଆଦକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ସାଧାରଣତଃ କେନ୍ଦ୍ର ସରକାରଙ୍କଠାରୁ ପେନସନ ପାଉଥିବା ବୟସ୍କ ବ୍ୟକ୍ତିମାନେ ପ୍ରତିବର୍ଷ ନଭେମ୍ବର ମାସରେ ଜୀବନ ପ୍ରମାଣପତ୍ର ପ୍ରଦାନ କରିଥାଆନ୍ତି । ଯଦି କୌଣସି ପେନସନଭୋଗୀ ନଭେମ୍ବର ମାସରେ ଜୀବନ ପ୍ରମାଣପତ୍ର ଦିଅନ୍ତି ନାହିଁ, ତେବେ ଡିସେମ୍ବରଠାରୁ ତାଙ୍କର ପେନସନ ବନ୍ଦ ହୋଇଯାଏ । ପରେ ସେ ଜୀବନ ପ୍ରମାଣପତ୍ର ଦାଖଲ କଲେ ତାଙ୍କ ପେନସନ ପୁଣି ଆରମ୍ଭ ହୁଏ ।

କିନ୍ତୁ ଏ ବର୍ଷ ଦେଶରେ କରୋନା ମହାମାରୀ ବ୍ୟାପି ଚାଲିଥିବାରୁ ଓ ବୟସ୍କ ଲୋକମାନଙ୍କ ପ୍ରତି ବିପଦଆଶଙ୍କା ଅଧିକ ଥିବାରୁ ସରକାର ଏହି ମିଆଦକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହା ଦ୍ୱାରା ବ୍ୟାଙ୍କଗୁଡ଼ିକରେ ହେଉଥିବା ଗହଳି ହ୍ରାସ ପାଇବା ଆଶା କରାଯାଉଛି । ଆହୁରି ମଧ୍ୟ ବ୍ୟାଙ୍କକୁ ଆସିବାକୁ ଥିବା ପେନସନଭୋଗୀଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା ଆଦି ନିୟମ ପାଳନ କରିବାକୁ କୁହାଯାଇଛି ।

ପୂର୍ବରୁ ୮୦ ବର୍ଷରୁ ଅଧିକ ବୟସ୍କ ବିଶିଷ୍ଟ ପେନସନଭୋଗୀଙ୍କ ସୁବିଧା ପାଇଁ ପ୍ରମାଣପତ୍ର ପ୍ରଦାନ ମିଆଦକୁ ଅକ୍ଟୋବର ୧ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ କରାଯାଇଥିଲା ।

ଏହାଛଡ଼ା ରିଜର୍ଭ ବ୍ୟାଙ୍କ ଦ୍ୱାରା ଅନୁମୋଦିତ ଭିଡିଓ ଭିତ୍ତିକ ଚିହ୍ନଟ ବ୍ୟବସ୍ଥାର ଉପଯୋଗ କରି ବୟସ୍କ ବ୍ୟକ୍ତିମାନଙ୍କ ଲାଇଫ ସାର୍ଟିଫିକେଟ ସଂଗ୍ରହ କରିବାକୁ ମଧ୍ୟ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସମ୍ବନ୍ଧିତ ଖବର