ସିମି ଭେଲି, କାଲିଫର୍ଣ୍ଣିଆ: କ୍ଷେପଣାସ୍ତ୍ର ଆକ୍ରମଣରୁ ଦେଶକୁ ରକ୍ଷା କରୁଥିବା ଆମେରିକୀୟ ଏଜେନ୍ସିକୁ ପଶ୍ଚିମ ତଟର ବିଭିନ୍ନ ସ୍ଥାନକୁ ପଠାଯାଇଛି। ସେଠାରେ ସେମାନେ ନୂତନ କ୍ଷେପଣାସ୍ତ୍ର-ନିରୋଧକ ପ୍ରତିରକ୍ଷା ଉପକରଣ ସ୍ଥାପନା କରିବେ। ଏ କଥା ଆମେରିକା କଂଗ୍ରେସର ଦୁଇ ଜଣ ସଦସ୍ୟ କହିଛନ୍ତି। ଉତ୍ତର କୋରିଆର କ୍ଷେପଣାସ୍ତ୍ର ପରୀକ୍ଷା ଯୋଗୁଁ ଆମେରିକା ସମ୍ଭାବ୍ୟ ଆକ୍ରମଣରୁ ନିଜକୁ ରକ୍ଷାକରିବା ଲାଗି ଏ ପରି ପଦକ୍ଷେପ ନେଇଛି।
ପଶ୍ଚିମ ତଟ ପ୍ରତିରକ୍ଷାରେ ଟର୍ମିନାଲ୍ ହାଇ ଆଲ୍ଟିଚ୍ୟୁଡ୍ ଏରିଆ ଡିଫେନ୍ସ୍ (ଥାଡ୍) ଆଣ୍ଟି-ବାଲିଷ୍ଟିକ୍ ମିସାଇଲ୍କୁ ଅନ୍ତର୍ଭୁକ୍ତ କରାଯାଇ ପାରେ। ଉତ୍ତର କୋରିଆ ଆକ୍ରମଣରୁ ବର୍ତ୍ତିବା ପାଇଁ ଦକ୍ଷିଣ କୋରିଆରେ ସେ ଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି।
୨୦୧୭ରେ ଉତ୍ତର କୋରିଆର କ୍ଷେପଣାସ୍ତ୍ର ପରୀକ୍ଷାର ବେଗ ବୃଦ୍ଧି ଏବଂ ତା’ ସହାୟତାରେ ଆଗାମୀ କେତେ ବର୍ଷ ମଧ୍ୟରେ ଉତ୍ତର କୋରିଆ ଆମେରିକୀୟ ମେନ୍ଲାଣ୍ଡ୍ ଆକ୍ରମଣ କରିବାର ସମ୍ଭାବନା ଥିବାରୁ ଆମେରିକା ସରକାର ମିସାଇଲ୍ ପ୍ରତିରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ବାଧ୍ୟ ହୋଇଛି।
କଂଗ୍ରେସ ସଦସ୍ୟ ମାଇକ୍ ରୋଜର୍ସ କହିଛନ୍ତି ଯେ ପଶ୍ଚିମ ତଟବର୍ତ୍ତୀ ଅଞ୍ଚଳରେ ମିସାଇଲ୍ ଡିଫେନ୍ସ୍ ଏଜେନ୍ସି ଅଧିକ ଦୃଢ଼ ନିରାପତ୍ତା ବ୍ୟବସ୍ଥା କରିବାକୁ ମନସ୍ଥ କରିଛି।
ପଶ୍ଚିମ ତଟର ନିର୍ଦ୍ଦିଷ୍ଟ କେଉଁ ଅଞ୍ଚଳଗୁଡ଼ିକରେ ‘ଥାଡ୍’ସ୍ଥାପନା କରାଯିବ ସେ ବିଷୟରେ କୌଣସି ସୂଚନା ମିଳିନାହିଁ।