କୃଷ୍ଣ ସାଗରରେ ଡ୍ରୋନ ଖସିବା ଘଟଣାର ଭିଡିଓ ଜାରି କଲା ଆମେରିକା

ନ୍ୟୁୟର୍କ : କୃଷ୍ଣ ସାଗରରେ ରୁଷିଆର ଲଢୁଆ ବିମାନ ଏବଂ ଆମେରିକାର ଡ୍ରୋନ ସାମନା ସାମନି ହେବାର ଏକ ଭିଡିଓ ଫୁଟେଜ ଜାରି କରିଛି ଆମେରିକାର ପ୍ରତିରକ୍ଷା ସଂସ୍ଥା ପେଣ୍ଟାଗନ । ଭିଡିଓରେ ଦେଖାଯାଉଛି ଯେ ମାର୍ଚ୍ଚ ୧୪ରେ ଆମେରିକାର ଏକ ଏମକ୍ୟୁ-୯ ରିପର ଡ୍ରୋନ ଉଡ଼ୁଥିବାବେଳେ ରୁଷର ଏକ ସୁଖୋଇ-୨୭ ତା’ଉପରେ ଅତିକ୍ରମ କରୁଛି ଓ ଏହି ସମୟରେ ଡ୍ରୋନ ଉପରେ କିଛି ଇନ୍ଧନ ପକାଉଛି । ଏହା ପରେ ଆମେରିକୀୟ ଡ୍ରୋନଟି ଦୁର୍ଘଟଣାଗ୍ରସ୍ତ ହୋଇଯାଇଥିଲା ।

ଆମେରିକାର ବୟାନ ଅନୁଯାୟୀ, କ୍ଷେପଣାସ୍ତ୍ର ଏମକ୍ୟୁ-୯ ରିପର ସର୍ଭିଲାନ୍ସ ଡ୍ରୋନ୍ ଅନ୍ତର୍ଜାତୀୟ ଆକାଶମାର୍ଗ ଦେଇ ଉଡୁଥିବା ବେଳେ ଋଷିଆର ଦୁଇଟି ଲଢୁଆ ବିମାନ ଅନ୍ତର୍ଜାତୀୟ ଆଇନକୁ ଉଲ୍ଲଂଘନ କରି ଡ୍ରୋନକୁ ଖସାଇ ଦେଇଥିଲା ।

ଆମେରିକୀୟ ୟୁରୋପୀୟ କମାଣ୍ଡ ଟ୍ୱିଟରରେ ପୋଷ୍ଟ କରିଥିବା ଫୁଟେଜରେ ରୁଷିଆର ବିମାନଟି ଆମେରିକା ବାୟୁସେନାର ଏମକ୍ୟୁ-୯ ମାନବ ବିହୀନ ଡ୍ରୋନ ପଛକୁ ଆସୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ରୁଷୀୟ ବିମାନ ଅତିକ୍ରମ କରିବା ମାତ୍ରେ ହଠାତ୍ ଭିଡିଓ ପ୍ରସାରଣ ବନ୍ଦ ହୋଇଯାଉଛି । ଡ୍ରୋନର ପ୍ରୋପେଲର ଅକ୍ଷତ ଅବସ୍ଥାରେ ଦେଖିବାକୁ ମିଳୁଛି ଏବଂ ଏହା ପରେ ରୁଷୀୟ ଜେଟ୍ ଦ୍ୱିତୀୟ ପ୍ରୟାସ କରୁଛି । ଏଥର ଏହା ଆହୁରି ନିକଟତର ହେଉଥିବା ବେଳେ ପୁଣି ଥରେ ଏହା ଉପରେ ଇନ୍ଧନ ଛାଡ଼ୁଛି । ଦ୍ବିତୀୟ ଉଦ୍ୟମ ପରେ ଡ୍ରୋନର ଏକ ପ୍ରୋପେଲର୍ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି ।

ରୁଷୀୟ ଯୁଦ୍ଧ ବିମାନର କାର୍ଯ୍ୟକଳାପକୁ ଆମେରିକୀୟ ସେନା ବେପରୁଆ ବୋଲି ବର୍ଣ୍ଣନା କରି କହିଛି ଯେ ଦୁର୍ଘଟଣା ପୂର୍ବରୁ ଅନେକ ଥର ଏସୟୁ-୨୭ଏସ୍ ତୈଳ ଫିଙ୍ଗିଥିଲା ଏବଂ ଏମକ୍ୟୁ-୯ ସମ୍ମୁଖରେ ବେପରୁଆ ଭାବେ ଉଡ଼ିଥିଲା ।

 

ସମ୍ବନ୍ଧିତ ଖବର