ଭାରତ ଋଷିଆଠାରୁ ଏସ-୪୦୦ କିଣିଲେ ଆମର ଆପତ୍ତି ନାହିଁ : ଆମେରିକା

ଓ୍ଵାସିଂଟନ:  ଋଷିଆଠାରୁ ଯେଉଁ ଦେଶମାନେ ସାମରିକ ଶସ୍ତ୍ରଶସ୍ତ୍ର କିଣୁଛନ୍ତି ଆମେରିକା ତା ଉପରେ କଟକଣା ଲଗାଉଛି । କିନ୍ତୁ ଭାରତ ପାଇଁ ଆମେରିକା କୋହଳ ମନୋଭାବ ପ୍ରଦର୍ଶନ କରୁଛି । ଭାରତ ଏବେ ଋଷିଆଠାରୁ ଏସ-୪୦୦  ଏୟାର ଡିଫେନ୍ସ ସିଷ୍ଟମ’ କିଣିବାକୁ  କଥାବାର୍ତ୍ତା ଚଳାଇଛି ।  ଏ ସଂପର୍କରେ ଆମେରିକାର ପ୍ରତିରକ୍ଷା ସଂସ୍ଥା ପେଣ୍ଟାଗନ କହିଛି ଯେ ଭାରତ ଏହା କିଣିବ କି ନା ତାହା ନିଜେ ନିଷ୍ପତ୍ତି ନେବ । ପେଣ୍ଟାଗନର ମୁଖପାତ୍ର ଡାନା ହ୍ଵାଇଟ୍‌ କହିଛନ୍ତି ଯେ ଏପରି ନିଷ୍ପତ୍ତି ଗୁଡ଼ିକ ସ୍ୱାଧୀନ ଦେଶମାନେ ନିଜେ ନିଅନ୍ତି । ଆମେରିକାରେ ସେଥିରେ କିଛି କରିବାର ନାହିଁ ।

କିନ୍ତୁ ଆମେରିକାର ଏହି ବକ୍ତବ୍ୟକୁ ଗୁରୁତ୍ୱ ଦିଆଯାଉଛି । କାରଣ ଋଷିଆ ସହ ଯେଉଁ ଦେଶମାନେ ସାମରିକ ସଂପର୍କ ରଖିଛନ୍ତି ବା ଅସ୍ତ୍ରଶସ୍ତ୍ର କିଣୁଛନ୍ତି ସେମାନଙ୍କ ବିରୋଧରେ ସିଏଏଟିଏସଏ ଆଇନ ଅନୁସାରେ କଟକଣା ଲଗାଉଛି ଆମେରିକା । କିନ୍ତୁ ଭାରତ ପ୍ରତି କୋହଳତା ପ୍ରଦର୍ଶନ କରୁଛି ଆମେରିକା । କାରଣ ଭାରତ ଅଧିକ ଶକ୍ତିଶାଳୀ ହୋଇ ଚୀନକୁ ଟକ୍କର ଦେବା ଆମେରିକା ଚାହେଁ ।

ଏସ-୪୦୦  ଏୟାର ଡିଫେନ୍ସ ସିଷ୍ଟମ’ ଆସିବା ପରେ ଭାରତର ଶକ୍ତି ବୃଦ୍ଧି ହେବ । ଏହା ଶତ୍ରୁପକ୍ଷର ଜେଟ, ମିସାଇଲ ଓ ଡ୍ରୋନକୁ ମାରି ଖସାଇଦେବ । ପ୍ରାୟ ୨୫୦ ମାଇଲ ଦୂରରୁ ଆସୁଥିବା ଶତ୍ରୁପକ୍ଷର କ୍ଷେପଣାସ୍ତ୍ର, ଯୁଦ୍ଧ ବିମାନକୁ  ଠାବ କରି ଧ୍ୱଂସ କରିଦେବ । କେବଳ ସେତିକି ନୁହେଁ ଏହା ଏକାଥରକେ ୬ଟି ଟାର୍ଗେଟକୁ ଧ୍ୱଂସ କରିପାରିବ । ଋଷିଆ ପୂର୍ବରୁ ଏହାକୁ ଚୀନ ଓ ତୁର୍କୀକୁ ବିକି ସାରିଛି ।

 

 

 

ସମ୍ବନ୍ଧିତ ଖବର