ଅମ୍ବାଲା: ହରିୟାଣାର ଏକ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପିଅନ ରୂପେ ନିଯୁକ୍ତ କମଲ ସିଂହ ନବମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ସଫଳତାର ସହ ଗଣିତ ପାଠ ପଢ଼ାଉଥିବା ଘଟଣା ଏବେ ସମଗ୍ର ହରିୟାଣାରେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ହଁ! ଶୁଣିବାକୁ ଆଶ୍ଚର୍ଯ୍ୟ ମନେ ହେଉଥିଲେ ବି ଘଟଣାଟି ସତ। ହରିୟାଣାର ଅମ୍ବାଲା ଜିଲ୍ଲା ଅନ୍ତର୍ଗତ ମାଜ୍‌ରୀ ଗ୍ରାମରେ ଥିବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପିଅନ ରୂପେ ନିଯୁକ୍ତି ପାଇଛନ୍ତି କମଲ ସିଂହ। ତେବେ, କମଲ ସିଂହଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି ପଦାର୍ଥ ବିଜ୍ଞାନରେ ସ୍ନାତ୍ତକୋତ୍ତର। ହେଲେ, ବିଡ଼ମ୍ବନା କୌଣସି ଆଡ଼ୁ ନିଯୁକ୍ତି ନପାଇ ଶେଷରେ ସ୍କୁଲରେ ପିଅନ ପଦବୀରେ ଚାକିରି କରିଛନ୍ତି କମଲ ସିଂହ।

publive-image ScoopWhoop

ଏହି ବିଦ୍ୟାଳୟରେ ୪୦୦ ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ଶିକ୍ଷକ ଅଛନ୍ତି ମାତ୍ର ୧୯ ଜଣ। ସେଥିରେ ପୁଣି ସମଗ୍ର ବିଦ୍ୟାଳୟରେ ଜଣେ ମାତ୍ର ଗଣିତ ଶିକ୍ଷକ ଅଛନ୍ତି। ସପ୍ତାହକୁ ୫୪ଟି ପିରିୟଡ୍‌ରେ ଛାତ୍ରଛାତ୍ରୀଙ୍କୁ ଗଣିତ ପଢ଼ାଇ ପଢ଼ାଇ ହାଲିଆ ହୋଇ ପଡ଼ୁଥିଲେ ସଂପୃକ୍ତ ଗଣିତ ଶିକ୍ଷକ।

ତେବେ, ସ୍କୁଲର ପ୍ରଧାନ ଶିକ୍ଷକ ପିଅନ କମଲଙ୍କର ଶିକ୍ଷାଗତ ଯୋଗ୍ୟତା ବିଷୟରେ ଜାଣିବା ପରେ ତାଙ୍କୁ ପଚାରିଥିଲେ, ‘ତୁମେ କ’ଣ ପିଲାଙ୍କୁ ଗଣିତ ପଢ଼ାଇ ପାରବ’? ପ୍ରଧାନ ଶିକ୍ଷକଙ୍କର ଏ ପ୍ରଶ୍ନର ଉତ୍ତର ‘ହଁ’ ରେ ଦେବାପରେ ତାଙ୍କୁ କିଛି ଡେମୋ କ୍ଲାସ୍‌ କରିବାକୁ କହିବା ସହ ଡେମୋ କ୍ଲାସ୍‌ରେ ଛାତ୍ରଛାତ୍ରୀଙ୍କ ସହ ନିଜେ ଉପସ୍ଥିତ ରହିଲେ ଖୋଦ୍‌ ପ୍ରଧାନ ଶିକ୍ଷକ। ତେବେ, କମଳଙ୍କ ଶିକ୍ଷାଦାନ ଦେଖି ସନ୍ତୁଷ୍ଟ ହେବା ପରେ ନବମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ଗଣିତ ପଢ଼ାଇବାର ଦାୟିତ୍ୱ ଏବେ କମଲଙ୍କୁ ଦେଇଛନ୍ତି ପ୍ରଧାନ ଶିକ୍ଷକ। ଛାତ୍ରଛାତ୍ରୀମାନେ ମଧ୍ୟ କମଲଙ୍କ କ୍ଲାସ୍‌ରେ ଗଣିତ ପଢ଼ିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। କମଲଙ୍କ ବିଷୟରେ ଏବେ ପ୍ରଧାନଶିକ୍ଷକ ଜିଲ୍ଲା ଶିକ୍ଷା ବିଭାଗକୁ ଜଣାଇବା ପରେ ଏବେ କମଲଙ୍କୁ ଶିକ୍ଷକ ରୂପେ ନିଯୁକ୍ତି ଦେବାକୁ ଯୋଜନା କରାଯାଉଥିବା ଜାଣିବାକୁ ମିଳିଛି।