୫୦-୫୯ ବର୍ଷ ବୟସର ବ୍ୟକ୍ତି କରୋନା ଯୋଗୁଁ ସର୍ବାଧିକ ପ୍ରଭାବିତ

ନୂଆଦିଲ୍ଲୀ : ଦେଶରେ ଏକ ନିର୍ଦ୍ଦିଷ୍ଟ ବୟସର ଗୋଷ୍ଠୀ ତଥା ୫୦ରୁ ୫୯ ବର୍ଷ ବୟସ ମଧ୍ୟରେ ଅଧିକାଂଶ ଲୋକ କରୋନା ଯୋଗୁଁ ପ୍ରଭାବିତ ହୋଇଛନ୍ତି। ଦେଶରେ କରୋନା ମୃତ୍ୟୁ ସଂକ୍ରାନ୍ତରେ ହୋଇଥିବା ଏକ ବିସ୍ତୃତ ଅନୁଶୀଳନରୁ ଏହା ଜଣାପଡ଼ିଛି। ୫୦ରୁ ୫୯ ବର୍ଷ ବୟସ ମଧ୍ୟରେ ଅଧିକାଂଶ ଲୋକ ଉଭୟ ସଂକ୍ରମଣ ଏବଂ ମୃତ୍ୟୁ ଯୋଗୁଁ ସର୍ବାଧିକ ପ୍ରଭାବିତ ବୋଲି ଏହି ଅନୁଶୀଳନରୁ ଜଣାପଡ଼ିଛି। ଦେଶର ମୋଟ କରୋନା ମୃତ୍ୟୁରୁ ପ୍ରାୟ ୨୫ ହଜାର ମୃତ୍ୟୁ ରିପୋର୍ଟ ଅନୁଧ୍ୟାନରୁ ଜଣାପଡ଼ିଛି ଯେ ୫୦ରୁ ୫୯ ବର୍ଷ ଆୟୁ ବର୍ଗରେ ମୃତ୍ୟୁ ହାର ୨୩.୭୫ ପ୍ରତିଶତ ରହିଛି। ଏହି ରିପୋର୍ଟ ଅନୁଯାୟୀ ଏହି ବର୍ଗର ଗୋଟିଏ କୋଭିଡ୍‌ ମୃତ୍ୟୁ ଯୋଗୁଁ ହାରାହାରି ୨୦ ବର୍ଷର ଜୀବନହାନି ହେଉଛି। ‌‌ ଦିଲ୍ଲୀ ମ୍ୟାକ୍ସ ହସ୍ପିଟାଲ୍‌ର କ୍ଲିନିକାଲ୍‌ ରିସର୍ଚ୍ଚ ବିଭାଗର ବିଶେଷଜ୍ଞମାନଙ୍କ ଦ୍ବାରା ହୋଇଥିବା ଅଧ୍ୟୟନରୁ ଜଣାପଡ଼ିଛି ଯେ, କରୋନା ଯୋଗୁଁ ୨ ନିୟୁତରୁ ଅଧିକ ବର୍ଷର ଆୟୁ ନଷ୍ଟ ହୋଇଯାଇଛି। ଆଗକୁ ୪ ନିୟୁତରୁ ଅଧିକ ବର୍ଷର ଜୀବନହାନି ହୋଇପାରେ। ପ୍ରତି କରୋନା ମୃତ୍ୟୁ ଯୋଗୁଁ ପ୍ରାୟ ୨୦ ବର୍ଷ ନଷ୍ଟ ହୋଇଯାଉଛି। ସେହିପରି ୧ହଜାର ମାମଲା ପାଇଁ ୩୦୩ ବର୍ଷ ନଷ୍ଟ ହେଉଛି। ନିର୍ଦ୍ଦିଷ୍ଟ ଭାବ‌େ ୫୦ରୁ ୫୯ ବର୍ଷ ବୟସର ବ୍ୟକ୍ତି କରୋନା ଯୋଗୁଁ ସର୍ବାଧିକ ପ୍ରଭାବିତ।

ଭାରତରେ ୬୩ ପ୍ରତିଶତ କରୋନା ମୃତ୍ୟୁ ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ହୋଇଥିବା ବେଳେ ୟୁରୋପରେ ଏହି ପ୍ରତିଶତ ଆହୁରି ଅଧିକ। ତେବେ ଭାରତରେ ଯୁବକ ଏବଂ ବରିଷ୍ଠଙ୍କ ମଧ୍ୟରେ କରୋନା ସଂକ୍ରମଣ ହାରରେ ବିଶେଷ ଫରକ ନାହିଁ। ଦେଶରେ ୨୦ରୁ ୨୯ ବର୍ଷର ଆୟୁ ବର୍ଗରେ ପ୍ରତି ୧୦ ଲକ୍ଷରେ କରୋନା ସଂକ୍ରମଣ ହାର ୪୦.୫ ରହିଥିବା ବେଳେ ୩୦ରୁ ୩୯ ଆୟୁ ବର୍ଗରେ ୪୮.୬ ପ୍ରତିଶତ ରହିଛି। ୪୦ରୁ ୪୯ ବର୍ଷର ଆୟୁ ବର୍ଗରେ ସଂକ୍ରମଣ ହାର ୫୦.୧ ରହିଥିବା ବେଳେ ୫୦ରୁ ୫୯ ଆୟୁ ବର୍ଗରେ ସଂକ୍ରମଣ ହାର ସର୍ବାଧିକ ୬୪.୯ ପ୍ରତିଶତ ରହିଛି। ୪୫ରୁ ୬୦ ବର୍ଷ ବୟସ ଆୟୁ ବର୍ଗରେ କରୋନା ମୃତ୍ୟୁ ହାର ୩୫ ପ୍ରତିଶତ ରହିଛି । ୨୬ରୁ ୪୪ ବର୍ଷର ଆୟୁ ବର୍ଗରେ କରୋନା ମୃତ୍ୟୁ ହାର ୧୦ ପ୍ରତିଶତ ରହିଥିବା ବେଳେ ୧୮ରୁ ୨୫ ବର୍ଷର ଆୟୁବର୍ଗରେ ମୃତ୍ୟୁ ହାର ୧ ପ୍ରତିଶତ ରହିଛି।

ସମ୍ବନ୍ଧିତ ଖବର