ନୂଆଦିଲ୍ଲୀ: ହିଂସାପ୍ରବଣ ମଣିପୁର ଛାଡ଼ିବା ପାଇଁ ଲୋକମାନେ ବ୍ୟାକୁଳ ହୋଇଥିବାବେଳେ ଇଣ୍ଡିଗୋ ଏବଂ ଏୟାରଏସିଆ ପରି ବିମାନ ସଂସ୍ଥା ଗୁଡ଼ିକ ହଠାତ୍‌ ଟିଟେକ ଦର ବୃଦ୍ଧି କରିଦେଇଛନ୍ତି। ହଠାତ ଯାତ୍ରୀଙ୍କ ଭିଡ଼ ଦେଖି ବିମାନ ସଂସ୍ଥା ପକ୍ଷରୁ ଟିକେଟ ମୂଲ୍ୟ ପ୍ରାୟ ୧୦ ଗୁଣା ବୃଦ୍ଧି କରାଯାଇଛି। ସାଧାରଣତଃ ଇମ୍ଫାଲ ଏବଂ କୋଲକାତା ମଧ୍ୟରେ ବିମାନ ଯାତ୍ରା ପାଇଁ ଟିକେଟ୍‌ ଦାମ୍‌ ୨୫୦୦ରୁ ୫୦୦୦ ପଡ଼େ । ଇମ୍ଫାଲରୁ ଗୌହାଟୀ ଯାତ୍ରା ପାଇଁ ଟିକେଟ ଦର ବି ସମାନ ପଡ଼େ।

Advertisment

ଇମ୍ଫାଲରୁ କୋଲକାତାର ଦୂରତା ହେଉଛି ୬୧୫ କିମି ଏବଂ ଇମ୍ଫାଲରୁ ଗୌହାଟୀ ଦୂରତା ହେଉଛି ୨୬୯ କିମି। କିନ୍ତୁ ମେ’ ୩ ତାରିଖରେ ମଣିପୁରରେ ହିଂସା ଘଟିବା ପରଠାରୁ ଇମ୍ଫାଲରୁ କୋଲକାତାକୁ ଟିକେଟ ଦର ୧୦ ଗୁଣା ବଢ଼ିଯାଇଛି। ଇମ୍ଫାଲରୁ କୋଲକାତାକୁ କେବଳ ଗୋଟିଏ ଥର ଯାତ୍ରା ପାଇଁ ଟିକେଟ୍‌ ଦର ୧୨ ହଜାରରୁ ୨୫ ହଜାର ପଡ଼ିଯାଉଛି। ସେହିପରି ଇମ୍ଫାଲରୁ ଗୌହାଟୀକୁ ‌ଟିକେଟ ଦର ୧୫ ହଜାର ପଡ଼ୁଛି। ମେକ୍‌ମାଇଁ ଟ୍ରିପ୍‌ ଭଳି ଟିକେଟ ବୁକିଂ ୱେବସାଇଟ୍‌ ଅନୁଯାୟୀ ଇମ୍ଫାଲରୁ କୋଲକାତାକୁ ଗୋଟିଏ ଥର ଯାତ୍ରା ପାଇଁ ଏବଂ ଇମ୍ଫାଲରୁ ଗୌହାଟୀକୁ ଗୋଟିଏ ଥର ଯାତ୍ରା ପାଇଁ ମେ’ ୧୨ ପର୍ଯ୍ୟନ୍ତ ଟିକେଟ ଦର ୧୦ ହଜାରରୁ ୧୫ ହଜାର ରହିଛି। ଇତି ମଧ୍ୟରେ ବିଭିନ୍ନ ରାଜ୍ୟ ସରକାର ସେମାନଙ୍କ ନାଗରିକଙ୍କୁ ଘରକୁ ଫେରାଇ ଆଣିବାପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରୟାସ ଚଳାଇଥିବାବେଳେ ଇମ୍ଫାଲ ଏବଂ କୋଲକାତାକୁ ଅତିରିକ୍ତ ବିମାନ ଚଳାଯାଉଛି। ମଣିପୁର‌ ହିଂସାରେ ପ୍ରାୟ ୬୦ ଲୋକଙ୍କ ମୃତ୍ୟୁ ହୋଇଛି। ପ୍ରାୟ ୧୭୦୦ ଘର ଜଳି ଯାଇଛି। ଲୋକମାନଙ୍କୁ ଶାନ୍ତି ରକ୍ଷା କରିବାପାଇଁ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ ସିଂହ ଅନୁରୋଧ କରିଛନ୍ତି। ଫସିଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେନା ଦ୍ବାରା ମୋଟ୍‌ ୨୩ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।