ଲୋକଙ୍କୁ ଭୋଟ୍ ଦେବାକୁ ଧମକ ଦିଆଯାଉଛି: ବଡ଼ ଅଭିଯୋଗ ଆଣିଲେ ସଞ୍ଜୟ ରାଉତ

ମୁମ୍ବାଇ: ସାରା ଦେଶରେ ଲୋକସଭା ନିର୍ବାଚନର ପରିବେଶ ରହିଛି। ରାଜନୈତିକ ଦଳଙ୍କ ମଧ୍ୟରେ ପରସ୍ପର ପ୍ରତି ଆରୋପ ପ୍ରତ୍ୟାରୋପ ରାଜନୀତି ଜାରି ରହିଛି। ଏପରିସ୍ଥଳେ ଉଦ୍ଧବ ଠାକରେଙ୍କ ନେତୃତ୍ବ ଶିବସେନା ନେତା ସଞ୍ଜୟ ରାଉତ ଏକ ବଡ଼ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଶାସକ ମହାୟୁତି ନେତାମାନେ ଲୋକଙ୍କୁ ଭୋଟ୍ ଦେବାକୁ ଧମକ ଦେଉଛନ୍ତି।

ସଞ୍ଜୟ ରାଉତ କହିଛନ୍ତି, ଗୋଟିଏ ଦିନ ତଳେ ରବିବାର ସୋଲାପୁରରେ ଲୋକଙ୍କୁ ଭୋଟ୍ ଦେବା ପାଇଁ ଧମକ ଦିଆଯାଇଥିଲା। ମହାରାଷ୍ଟ୍ରରେ ଶାସକ ମହାୟୁତି ମେଣ୍ଟର ସହଯୋଗୀ ନେତାଙ୍କୁ ସଞ୍ଜୟ ପ୍ରଶ୍ନ କରିଛନ୍ତି ଯଦି ତୁମ ପାଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଛନ୍ତି ଏବଂ ତୁମେ ବିଜୟ ନେଇ ଏତେ ଆତ୍ମବିଶ୍ୱାସୀ, ତେବେ ତୁମେ ଏସବୁ କାହିଁକି କରୁଛ ? ଭୋଟରଙ୍କୁ କାହିଁକି ଧମକ ଦେଉଛ ?

ସଞ୍ଜୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିବୃତ୍ତି ନେଇ କଡ଼ା ସମାଲୋଚନା କରିଛନ୍ତି। ମୋଦୀ କହିଥିଲେ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ କ୍ଷମତାକୁ ଆସିଲେ ପ୍ରତିବର୍ଷ ଜଣେ ପ୍ରଧାନମନ୍ତ୍ରୀ ହେବେ।

ଏନେଇ ସଞ୍ଜୟ ରାଉତ କହିଛନ୍ତି ଜଣେ ଶାସକ ଏହି ଦେଶକୁ ୧୦ ବର୍ଷ ଧରି ଶାସନ କରୁଛନ୍ତି। ଦେଶରେ ମିଶ୍ରିତ ସରକାର ହେବା ଭଲ। ଆମେ ଦୁଇ ଜଣ ପ୍ରଧାନମନ୍ତ୍ରୀ କିମ୍ବା ଚାରିଜଣ ପ୍ରଧାନମନ୍ତ୍ରୀ କରିବୁ ତାହା ଆମର ପସନ୍ଦ। କିନ୍ତୁ ଆମେ ଏହି ଦେଶକୁ ଏକଛତ୍ରବାଦୀ ଶାସନ ଆଡକୁ ଯିବାକୁ ଦେବୁ ନାହିଁ। ଇଣ୍ଡିଆ ବିରୋଧୀ ମେଣ୍ଟ ୩୦୦ ଆସନ ଅତିକ୍ରମ କରିବାକୁ ଯାଉଛି।

ଶିବସେନା ୟୁବିଟି ନେତା କହିଛନ୍ତି, ‘ଅଜିତ ପାୱାର ବାରାମତି ଏବଂ ଶିରୁରର ବ୍ୟବସାୟୀମାନଙ୍କୁ ଖୋଲାଖୋଲି ଧମକ ଦେଉଛନ୍ତି। ସେ ତାଙ୍କ ପତ୍ନୀଙ୍କ ପାଇଁ କାମ କରିବାକୁ ଲୋକଙ୍କୁ ଧମକ ଦେଉଛନ୍ତି। ଅଜିତ ପାୱାର ଧମକ ଦେଉଛନ୍ତି ଯେ ଯଦି ଏହା କରା ନ ଯାଏ ତେବେ ସେ ୫୦ କୋଟି ଟଙ୍କା ଜରିମାନା ଆଦାୟ କରିବେ। ଯେତେବେଳେ ଦେଶରେ ଗଣତନ୍ତ୍ର ଅଛି ତେବେ ଏସବୁର ଆବଶ୍ୟକତା କାହିଁକି ବୋଲି ସଞ୍ଜୟ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର