ସୁନା ପାଇବା ଆଶାରେ ନଦୀ ଖୋଳୁଛନ୍ତି ଲୋକ

ରାଜଗଡ଼: ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲର କୁରାବରରୁ କିଛି ଦୂର ଶିବପୁରା ଏବଂ ଗଣୁପୁରାରେ ଲୋକମାାନେ ନଦୀ ଖୋଳିବା ଦେଖିବାକୁ ମିଳିଛି। ନଦୀରେ ମୋଗଲ ଶାସନ ସମୟ ସୁନା ଓ ରୁପା ଟଙ୍କା ମିଳୁଥିବା ଗୁଜବ ପ୍ରଚାର ଦ୍ବାରା ଏଭଳି ଘଟଣା ଦେଖିବାକୁ ମିଳିଛି। ଏହି ଖବର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁଜବ ଏଭଳି ଖେଳିଯାଇଥିଲା ଯେ ପାର୍ବତୀ ନଦୀ ‌ଖୋଳିବାକୁ ଗ୍ରାମବାସୀଙ୍କ ଭିଡ଼ ଲାଗିଥିଲା। ଗ୍ରା‌ମର ପିଲାଠାରୁ ଆରମ୍ଭ କରି ବୟସ୍କ ଏବଂ ମହିଳାମାନେ ଶାବଳ ଧରି ପାଣି ନଥିବା ପଥୁରିଆ ନଦୀ ଶଯ୍ୟାକୁ ଖୋଳିଥିଲେ। ଏ ସଂପର୍କରେ ସୂଚନା ପାଇ ରାଜସ୍ବ ବିଭାଗର ଅଧିକାରୀମାନେ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରିଥିଲେ। ଅଧିକାରୀ ଜଣକ ଗ୍ରାମବାସୀଙ୍କୁ ଯେତେ ବୁଝାଇଥିଲେ ବି କେହି ତାଙ୍କ କଥା ଶୁଣି ନଥିଲେ। ବରଂ ସମସ୍ତେ ନଦୀ ଶଯ୍ୟା ଖୋଳିବାରେ ଲାଗିଥିଲେ। ପାର୍ବତୀ ନଦୀ ମଧ୍ୟ ପ୍ରଦେଶର ଦୁଇ ଜିଲ୍ଲା ସିହୋର ଓ ରାଜଗଡ଼କୁ ଭାଗ କରି ବହିଯାଇଛି। ପାଞ୍ଚ ଦିନ ପୂର୍ବରୁ କେହି ପ୍ରଚାର କରିଥିଲା ଯେ ନଦୀରେ ମୋଗଲ ଶାସନ ସମୟର ସୁନା ଓ ରୁପା ମୁଦ୍ରା ମିଳୁଛି। ଏହାପରେ ଲୋକମାନେ ନଦୀ ଶଯ୍ୟା ଖୋଳିବା କାମରେ ଲାଗିଯାଇଛନ୍ତି।

ସମ୍ବନ୍ଧିତ ଖବର