ଦେୱାସ: ମଧ୍ୟପ୍ରଦେଶର ଇକଲେରା ନିକଟ ଏକ ଗାଁକୁ ପଶିଆସିଥିବା ଏକ ରୋଗଣା କଲରାପତରିଆ ବାଘକୁ ଲୋକମାନେ ହଇରାଣ କରୁଥିବାର ଏକ ଭିଡ଼ିଓ ଭାଇରାଲ ହୋଇଛି। ଭିଡ଼ିଓରେ ଦେଖିବାକୁ ମିଳୁଛି ଯେ ଗାଁର ବହୁ ସ୍ତ୍ରୀ-ପୁରୁଷ ଅସୁସ୍ଥ କଲରାପତରିଆକୁ ବେଢ଼ିଯାଇଛନ୍ତି। କିଏ ତା’ ପିଠିରେ ବସିପଡ଼ୁଛି ତ କିଏ ତାକୁ ପଛରୁ ଠେଲୁଛି। କିଛିଦିନ ହେଲା ଦେୱାସ ଜିଲ୍ଲା ଅନ୍ତର୍ଗତ ଇକଲେରା ନିକଟସ୍ଥ ଜଙ୍ଗଲରେ ଉକ୍ତ କଲରାପତରିଆ ବୁଲୁଥିବା ଦେଖିବାକୁ ମିଳିଥିଲି। କେତେକ ଗ୍ରାମବାସୀ ପ୍ରଥମେ ତାକୁ ଦେଖି ଡରିଯାଇଥିଲେ। କିନ୍ତୁ ସେମାନେ ଯେତେବେଳେ ଦେଖିଲେ ଯେ ବାଘଟି ଚାଲିପାରୁନି ଓ ଆକ୍ରମଣାତ୍ମକ ନୁହେଁ, ସେତେବେଳେ ସେମାନେ ଜାଣିଲେ ଯେ ସେ ଅସୁସ୍ଥ ଅଛି। ତା’ପରେ ଗ୍ରାମବାସୀ ବାଘ ଚାରିପଟେ ବେଢ଼ିଯିବା ସହିତ ତା’ ସହ ଖେଳିବାକୁ ଆରମ୍ଭ କରିଦେଲେ।

Advertisment

ସେମାନେ ତାକୁ ପୋଷା ମନେଇ ତା’ ସହ ସେଲ୍‌ଫି ନେଲେ। ଜଣେ ଲୋକ ତା’ ପିଠିରେ ବି ଯାଇ ବସିଲା। ଖବର ପାଇ ଉଜ୍ଜୟିନୀରୁ ଜଙ୍ଗଲ ବିଭାଗର ଦଳ ଆସି ବାଘଟିକୁ ନିରାପଦ ସ୍ଥାନକୁ ନେଇଯାଇଛନ୍ତି। ଏବେ ବାଘ ସହ ଲୋକମାନେ ଖେଳିବାର ଭିଡ଼ିଓ ଭାଇରାଲ ହୋଇଛି। ଜଙ୍ଗଲ ଅଧିକାରୀ ସନ୍ତୋଷ ଶୁକ୍ଳା କହିଛନ୍ତି ଯେ ଦୁଇ ବର୍ଷର ଅସୁସ୍ଥ କଲରାପତରିଆକୁ ସେମାନେ ଭୋପାଳସ୍ଥିତ ବନବିହାରକୁ ନେଇଛନ୍ତି। ସେଠାରେ ତା’ର ଚିକିତ୍ସା କରାଯାଉଛି। ତା’ର ଅବସ୍ଥା ଏବେ ଜଟିଳ ଅଛି। ତେବେ ଚିକିତ୍ସା ଦ୍ବାରା ସେ ସୁସ୍ଥ ହୋଇଉଠିବ ବୋଲି ଆଶା କରାଯାଉଛି।