ନୂଆଦିଲ୍ଲୀ: କରୋନା ବିରୋଧରେ ଚାଲିଥିବା ଲଢ଼େଇକୁ ଆହୁରି ବ୍ୟାପକ କରିବା ପାଇଁ କେନ୍ଦ୍ର ସରକାର ବିଦେଶୀ କରୋନା ଟିକାକୁ ସ୍ବୀକୃତି ଦେବା କ୍ଷେତ୍ରରେ ବହୁତ ବଡ଼ ପରିବର୍ତ୍ତନ ଆଣିଛନ୍ତି। ଆମେରିକା, ଜାପାନ, ବ୍ରିଟେନ୍‌, ୟୁରୋପୀୟ ସଂଘ ଏବଂ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଦ୍ବାରା ସ୍ବୀକୃତ ସମସ୍ତ ପ୍ରମୁଖ କୋଭିଡ୍‌ ଟିକା ଭାରତରେ ଉପଲବ୍ଧ କରାଇବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ବିଭିନ୍ନ ରା‌ଷ୍ଟ୍ରରୁ ଏସବୁ ଟିକା ଭାରତ ଆମଦାନି କରିବ। ରୁଷ୍‌ର ସ୍ପୁଟ୍‌ନିକ-ଭି ଟିକାକୁ ଭାରତ ସରକାର ଗତକାଲି ମଂଜୁରି ଦେଇଥିବା ବେଳେ ଏବେ ନୂତନ ବ୍ୟବସ୍ଥାରେ ଫାଇଜର, ମଡର୍ଣ୍ଣା, ଜନ୍‌ସନ୍‌ ଆଣ୍ଡ୍‌ ଜନସନ ଟିକା ମଧ୍ୟ ଖୁବ୍‌ଶୀଘ୍ର ଉପଲବ୍ଧ ହେବ। ସିରମ୍‌ ଇନ୍‌ଷ୍ଟିଚ୍ୟୁଟର ନୋଭାଭାକ୍ସ ଟିକା ମଧ୍ୟ ଖୁବ୍‌ଶୀଘ୍ର ଭାରତୀୟ ବଜାରରେ ମିଳିବ। ଏହି ଯୋଜନା ଆସନ୍ତା ମାସରୁ କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି।

Advertisment

ଏହାଦ୍ବାରା ଲୋକେ ନିଜ ମନପସନ୍ଦର ଟିକା ନେଇପାରିବେ। ତେବେ ଏ ସବୁ ଟିକା ପ୍ରଥମେ ୧୦୦ ଜଣଙ୍କୁ ଦିଆଯିବ ଏବଂ ସେମାନଙ୍କୁ ସପ୍ତାହକ ପାଇଁ ନିରୀକ୍ଷଣରେ ରଖାଯିବ। ଏହାପରେ ଟିକାକରଣ ପ୍ରକ୍ରିୟାରେ ଗୋଟିଏ ପରେ ଗୋଟିଏ ଟିକାକୁ ସାମିଲ କରାଯିବ। ଦେଶରେ ଏବେ କରୋନା ସଂକ୍ରମଣ ଅତି ଉଦ୍‌ବେଗଜନ ଭାବେ ବଢ଼ୁଥିବାରୁ ସମସ୍ତଙ୍କୁ ଟିକା ଉପଲବ୍ଧ କରାଇବାକୁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଦେଶରେ ସକ୍ରିୟ ମାମଲା ପ୍ରାୟ ୧୩ ଲକ୍ଷ ଅତିକ୍ରମ କରିବାକୁ ଯାଉଥିବା ବେଳେ ସରକାରଙ୍କ ଏହି ପଦକ୍ଷେପ ଟିକାକରଣ କ୍ଷେତ୍ରରେ ବଡ଼ ଧରଣର ପରିବର୍ତ୍ତନ ଆଣିବ।

ଭାରତରେ ଏବେ କୋଭିସିଲ୍‌ଡ ଏବଂ କୋଭାକ୍ସିନର ଦୈନିକ ଉତ୍ପାଦନ ୨୫ ଲକ୍ଷ ଡୋଜ୍‌ ରହିଛି। ପ୍ରତିଦିନ ଟିକାକରଣ କାର୍ଯ୍ୟକ୍ରମରେ ପ୍ରାୟ ୩୨ ଲକ୍ଷ ଡୋଜ୍ ଦିଆଯାଉଛି। ‘ସ୍ପୁଟ୍‌ନିକ ଭି’କୁ ମଂଜୁରି ମିଳିସାରିଥିବାରୁ ଭାରତରେ ଡ. ରେଡିଜ୍‌ ଲେବୋରେଟୋରି ଏହି ଟିକା ଉତ୍ପାଦନକୁ ତ୍ବରାନ୍ବିତ କରିବାକୁ ପଦକ୍ଷେପ ନେଇଛି।