ଜୋର ଧରିଲା ଶ୍ରୀଲଙ୍କାର ପୂର୍ବ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପ‌କ୍ଷଙ୍କ ଗିରଫ ଦାବି

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ପ୍ରବଳ ହିଂସା, ବିରୋଧ ଏବଂ ରାଜନୈତିକ ଅଶାନ୍ତି ପରେ ଗୁରୁବାର ଦିନ ୭୩ ବର୍ଷିୟ ରାନିଲ ବିକ୍ରମସିଂଘେ ଶ୍ରୀଲଙ୍କାର ୨୬ତମ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ହେବା ପରେ ବିକ୍ରମସିଂଘେ କହିଛନ୍ତି ଯେ ସେ ଭାରତ ସହ ବହୁତ ଭଲ ସମ୍ପର୍କ ସ୍ଥାପନ କରିବାକୁ ଅପେକ୍ଷା କରିଛନ୍ତି। ଆର୍ଥିକ ସଙ୍କଟରେ ଶ୍ରୀଲଙ୍କାକୁ ଆର୍ଥିକ ସହାୟତା ଦେଇଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

ଅନ୍ୟପକ୍ଷରେ, ଶ୍ରୀଲଙ୍କାରେ ବିକ୍ଷୋଭ ପ୍ରଦର୍ଶନ ବେଳେ ବିକ୍ଷୋଭକାରୀଙ୍କ ଉପରେ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଥିବାରୁ ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କୁ ଗିରଫ କରିବା ପାଇଁ ଦାବି କରାଯାଇଛି। ରିପୋର୍ଟ ଅନୁଯାୟୀ, କଲମ୍ବୋ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଏ ସମ୍ପର୍କରେ ବ୍ୟକ୍ତିଗତ ଅଭିଯୋଗ ଦାଖଲ କରାଯାଇଛି। ଏଥିରେ ମହିନ୍ଦା ରାଜପକ୍ଷଙ୍କ ସମେତ ୭ ଜଣଙ୍କୁ ଗିରଫ କରିବାକୁ ସିଆଇଡିକୁ ନିର୍ଦ୍ଦେଶ ଦେବାକୁ ଦାବି କରାଯାଇଛି।

ଉଲ୍ଲେଖଯୋଗ୍ୟ, ମହିନ୍ଦା ରାଜପକ୍ଷ ସରକାର ଉପରେ ହିଂସା ସୃଷ୍ଟି କରୁଥିବାର ଅଭିଯୋଗ ହୋଇଥିଲା। ଶାନ୍ତିପୂର୍ଣ୍ଣ ଭାବରେ ବିରୋଧ କରୁଥିବା ଲୋକଙ୍କ ଉପରେ ରାଜପକ୍ଷ ସରକାର ଆକ୍ରମଣ କରୁଥିବାର ଅଭିଯୋଗ କରିଥିଲେ ବିରୋଧୀ। ଏହି ହିଂସାରେ ଅତି କମରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଏନେଇ ଗତକାଲି ଶ୍ରୀଲଙ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ, ତାଙ୍କ ପୁଅ ତଥା ସାଂସଦ ନମଲ ରାଜପକ୍ଷଙ୍କ ସମେତ ୧୬ ନେତାଙ୍କ ବିଦେଶ ଯାତ୍ରା ଉପରେ କଟକଣା ଲଗାଯାଇଥିଲା। କଲମ୍ବୋରେ ଚାଲିଥିବା ସରକାର ବିରୋଧୀ ଆନ୍ଦୋଳନ ସମୟରେ ଆନ୍ଦୋଳନକାରୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ତଦନ୍ତ ଚାଲିଥିବାରୁ ମହିନ୍ଦା ରାଜପକ୍ଷ ଏବଂ ଅନ୍ୟମାନଙ୍କ ବିଦେଶ ଗସ୍ତ ଉପରେ ଶ୍ରୀଲଙ୍କା କୋର୍ଟ କଟକଣା ଲଗାଇଛନ୍ତି।

ସମ୍ବନ୍ଧିତ ଖବର