ନୂଆଦିଲ୍ଲୀ: ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ) ମୁଖ୍ୟ ଚିରାଗ ପାଶ୍ବାନ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଇଣ୍ଡି ମେଣ୍ଟ କ୍ଷମତାକୁ ଆସିଲେ ଅଗ୍ନିବୀର ଯୋଜନା ଉଚ୍ଛେଦ ହେବ ବୋଲି ରାହୁଲ ଦେଇଥିବା‌ ଟିପ୍ପଣୀକୁ ଚିରାଗ ପାଶ୍ବାନ ବିରୋଧ କରିଛନ୍ତି। ରାହୁଲଙ୍କୁ ସମାଲୋଚନା କରି ଏଲଜେପି ମୁଖ୍ୟ କହିଛନ୍ତି, ଯେଉଁ ଲୋକମାନେ କେବଳ ମଟନ୍‌ ପାର୍ଟି (ମାଂସ ଭୋଜି) କଥା ଚିନ୍ତା କରନ୍ତି ସେମାନେ ଅଗ୍ନିବୀର ଯୋଜନାକୁ ବୁଝି ପାରିବେନି। ସୂଚନାଯୋଗ୍ୟ, ଆରଜେଡି ନେତା ତେଜସ୍ବୀ ଯାଦବ ରାହୁଲଙ୍କ ସହ ଏକ ଲଞ୍ଚ୍‌ ଭିଡିଓ ସେୟାର କରିଥିଲେ। ଏଥିରେ ରାହୁଲ ଏବଂ ତେଜସ୍ବୀ ମଟନ୍‌ ଖାଉଥିବା ଦେଖିବାକୁ ମିଳିଥିଲା।