ଅମ୍ଳଜାନ ଅଭାବରୁ ଲୋକ ମରୁଥିବା ବେଳେ ସରକାର ବେଦାନ୍ତ ୟୁନିଟ୍‌କୁ କାହିଁକି ନିଜ ଅଧୀନକୁ ନେଉନାହାନ୍ତି : ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଅମ୍ଳଜାନ ଅଭାବରୁ ସଂପ୍ରତି ଦେଶରେ ବହୁ ସଂଖ୍ୟାରେ କରୋନା ଆକ୍ରାନ୍ତ ରୋଗୀ ପ୍ରାଣ ହରାଉଛନ୍ତି। ଏ ପରିସ୍ଥିତିରେ ତାମିଲନାଡୁ ସରକାର ତୁତିକୋରିନରେ ଥିବା ବେଦାନ୍ତର ଷ୍ଟର୍ଲିଟ୍‌ ତମ୍ବା ୟୁନିଟ୍‌କୁ କାହିଁକି ନିଜ ଅଧୀନକୁ ନେଇ ସେଠାରୁ ଅମ୍ଳଜାନ ଉତ୍ପାଦନ କରୁ ନାହାନ୍ତି ବୋଲି ସୁପ୍ରିମ୍‌କୋର୍ଟ ଆଜି ପ୍ରଶ୍ନ କରିଛନ୍ତି। ମେ ୨୦୧୮ ଠାରୁ ବନ୍ଦ ହୋଇପଡ଼ିଥିବା ଏହି କାରଖାନାରୁ କୋଭିଡ୍‌-୧୯ ରୋଗୀଙ୍କ ଚିକିତ୍ସା ପାଇଁ ଅମ୍ଳଜାନ ଉତ୍ପାଦନ କରାଯାଇ ପାରନ୍ତା ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି।

ଆମେ ଆଗ୍ରହୀ ନୁହଁ ଯେ ବେଦାନ୍ତ କିମ୍ବା ଅନ୍ୟ କାହାର ଏ କାରଖାନା। ଆମେ ଆଗ୍ରହୀ ଯେ ବର୍ତ୍ତମାନ ପରିସ୍ଥିତିରେ ଏଠାରୁ ଅମ୍ଳଜାନ ଉତ୍ପାଦନ କରାଯିବା ଉଚିତ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ କହିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ଏଲ ଏନ ରାଓ ଏବଂ ଜଷ୍ଟିସ୍‌ ଏସ ଆର ଭଟ୍ଟଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ବର୍ତ୍ତମାନ ଦେଶରେ ଅମ୍ଳଜାନ ଅଭାବରୁ ଲୋକେ ଦୟନୀୟ ଭାବେ ମୃତ୍ୟୁବରଣ କରୁଥିବାବେଳେ ଠୋସ୍‌ ବା ବାସ୍ତବ କଥା କୁହାଯିବା ଉଚିତ ଏବଂ ତା’ ଉପରେ କାର୍ଯ୍ୟ କରାଯିବା ଉଚିତ୍‌।

ଦେଶ ବର୍ତ୍ତମାନ ଏକ ସଙ୍ଗିନ୍‌ ପରିସ୍ଥିତି ମଧ୍ୟ ଦେଇ ଗତି କରୁଥିବା ବେଳେ ତାମିଲନାଡ଼ୁର ତୁତିକୋରିନରେ ଥିବା ବେଦାନ୍ତର ଷ୍ଟର୍ଲିଟ୍‌ ତମ୍ବା ୟୁନିଟ୍‌କୁ ସରକାର କାହିଁକି ହାତକୁ ନେଉ ନାହାନ୍ତି। ଏହା ହଜାରେ ଟନ୍‌ ଅମ୍ଳଜାନ ଉତ୍ପାଦନ କରିବ ଏବଂ ରୋଗୀଙ୍କୁ ଚିକିତ୍ସା ପାଇଁ ଯୋଗାଇ ଦେବ।

ଯଦି ତାମିଲନାଡୁ ରାଜ୍ୟ ସରକାର ଏହି ପ୍ଲାଣ୍ଟକୁ ହାତକୁ ନେଇ ଏଠାରୁ ଅମ୍ଳଜାନ ଉତ୍ପାଦନ କରନ୍ତି ତେବେ ଆମର କୌଣସି ଅସୁବିଧା ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି। ଏହି ଅବସରରେ ଦେଶର ଜାତୀୟ ସମ୍ପତ୍ତିକୁ ନାଗରିକଙ୍କ ମଧ୍ୟରେ ସମାନ ଭାବରେ ବଣ୍ଟନ କରାଯିବା ଉଚିତ ବୋଲି ସୁପ୍ରିମ୍‌କୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି।

ସମ୍ବନ୍ଧିତ ଖବର