ଆଜିର ଇନଷ୍ଟାଣ୍ଟ ନୁଡୁଲ୍ସ ଯୁଗରେ ଲୋକମାନେ ତୁରନ୍ତ ନ୍ୟାୟ ଚାହୁଁଛନ୍ତି : ପ୍ରଧାନ ବିଚାରପତି

ନୂଆଦିଲ୍ଲୀ : ଆଜି କାଲି ଇନଷ୍ଟାଣ୍ଟ ନୁଡୁଲ୍ସର ଯୁଗରେ ଲୋକମାନେ ନ୍ୟାୟ ମଧ୍ୟ ତୁରନ୍ତ ଚାହୁଁଛନ୍ତି । ମାତ୍ର ଲୋକମାନେ ବୁଝିବା ଆବଶ୍ୟକ ଯେ ତୁରନ୍ତ ନ୍ୟାୟ ପାଇବା ଲକ୍ଷ୍ୟରେ ପ୍ରକୃତ ନ୍ୟାୟ ମିଳିନପାରେ ବୋଲି କହିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନଭି ରମନ୍ନା ।

ମାଡ୍ରାସ ହାଇକୋର୍ଟର ପ୍ରଶାସନିକ ଭବନ ଓ ତାମିଲନାଡୁର ଭିଲ୍ଲୁପୁରମ ଓ ନମକ୍କଲ ଜିଲ୍ଲାରେ ନିର୍ମିତ କୋର୍ଟର ଉଦଘାଟନ କରି ସେ କହିଛନ୍ତି ଯେ ନ୍ୟାୟ ପ୍ରଦାନ ଏକ ସହଜ ପ୍ରକ୍ରିୟା ନୁହେଁ । ମାତ୍ର ଆଜିର ଇନଷ୍ଟାଣ୍ଟ ନୁଡୁଲ୍ସର ଯୁଗରେ ଲୋକମାନେ ତୁରନ୍ତ ନ୍ୟାୟ ଚାହୁଁଛନ୍ତି । କିନ୍ତୁ ଆମେ ଯଦି ତୁରନ୍ତ ନ୍ୟାୟ ପଛରେ ଯିବା, ପ୍ରକୃତ ନ୍ୟାୟ ମିଳିପାରିବ ନାହିଁ । ଆଧୁନିକ ବିଶ୍ବ ଦ୍ରୁତ ଗତିରେ ବଦଳିଚାଲିଛି । ଲୋକମାନେ ଜୀବନର ପ୍ରତ୍ୟେକ ଜିନିଷକୁ ତୁରନ୍ତ ଚାହୁଁଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ନ୍ୟାୟପାଳିକା ଉପରେ ଏକ ବଡ଼ ସମ୍ବିଧାନିକ ଦାୟିତ୍ବ ନ୍ୟସ୍ତ ରହିଛି । ଏହି ଦାୟିତ୍ବକୁ ବିଚାରପତିମାନେ ଶପଥ ନେବା ବେଳେ ଗ୍ରହଣ କରିଥାନ୍ତି । ସେ ମଧ୍ୟ କୋର୍ଟରେ ସ୍ଥାନୀୟ ଭାଷାର ପ୍ରୟୋଗ ସପକ୍ଷରେ ମତ ରଖିଛନ୍ତି । ଏହା ଦ୍ବାରା ବାଦୀ ପ୍ରତିବାଦୀମାନେ ମାମଲାର ଅଗ୍ରଗତି ସମ୍ପର୍କରେ ବୁଝିପାରିବେ ।

ସମ୍ବନ୍ଧିତ ଖବର