ଜାମା ମସ୍‌ଜିଦ୍‌ରେ ପ୍ରାର୍ଥନା ପରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଡ଼କୁ ମାଡ଼ିଗଲେ ଆନ୍ଦୋଳନକାରୀ

ନୂଆଦିଲ୍ଳୀ: ନାଗରିକତା ସଂଶୋଧନ ଆଇନ୍‌ ବିରୋଧରେ ଦିଲ୍ଲୀରେ ପୁଣି  ଆନ୍ଦୋଳନ ତୀବ୍ର ହୋଇଛି । ପୁରୁଣା ଦିଲ୍ଲୀର ପ୍ରସିଦ୍ଧ ଜାମା ମସ୍‌ଜିଦ୍‌ଠାରେ ଶୁକ୍ରବାର ପ୍ରାର୍ଥନା ପରେ ଶତାଧିକ ଆନ୍ଦୋଳନକାରୀ ଏକତ୍ର ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନ ଆଡ଼କୁ ଅଗ୍ରସର ହେଉଥିବା ବେଳେ ପୁଲିସ ସେମାନଙ୍କୁ ବାଧା ଦେଇଛି।

ଏହି ଅନ୍ଦୋଳନରେ କଂଗ୍ରେସ ନେତ୍ରୀ ଅଳକା ଲାମ୍ବା ଏବଂ ଦିଲ୍ଳୀର ପୂର୍ବତନ ବିଧାୟକ ସୋଏବ ଇକବଲ୍‌ ମଧ୍ୟ ସାମିଲ୍‌ ହୋଇଥିବା ସୂଚନା ମିଳିଛି ।  ଲାମ୍ବା କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ‘ଦେଶରେ ବେକାରୀ ହେଉଛି ମୁଖ୍ୟ ସମସ୍ୟା । ମାତ୍ର  ଆପଣ (ପ୍ରଧାନମନ୍ତ୍ରୀ) ଲୋକମାନଙ୍କୁ ଏନ୍‌ଆର୍‌ସି ପାଇଁ ଧାଡ଼ିରେ ଛିଡ଼ା କରାଉଛନ୍ତି, ଯାହାକି ବିମୁଦ୍ରାୟନ ସମୟରେ ପୂର୍ବରୁ ହୋଇସାରିଛି। ଗଣତନ୍ତ୍ରରେ ଦେଶ ପାଇଁ ଓ ସମ୍ବିଧାନ ରକ୍ଷା ପାଇଁ  ସ୍ବର ଉଠିବା ଖୁବ୍ ଜରୁରୀ। ଜଣେ ପ୍ରଧାନମନ୍ତ୍ରୀ କେବେ ଏକଛତ୍ରବାଦୀ ହୋଇ ତାଙ୍କର ମତକୁ ଲୋକଙ୍କ ଉପରେ ଲଦି ଦେଇ ପାରିବେନି।’ 

New Indian Express

ମିଳିଥିବା ସୂଚନା ଅନୁସାରେ,  ମସ୍‌ଜିଦ୍‌ରେ ପ୍ରାର୍ଥନା ସାରି ଆନ୍ଦୋଳନକାରୀମାନେ ଏକତ୍ର ହୋଇ ନାଗରିକତା ସଂଶୋଧନ ଆଇନ୍‌ ଓ ଏନ୍‌ଆର୍‌ସି ବିରୋଧରେ ନାରା ଦେଇ ଶୋଭାଯାତ୍ରାରେ ବାହାରି ଥିଲେ। ଅନ୍ଦୋଳନକାରୀମାନେ ‘ସମ୍ବିଧାନକୁ ବଞ୍ଚାଅ, ଭାରତକୁ ଭାଗ ଭାଗ କରନାହିଁ(ସେଭ୍‌ ଦ କନ୍‌ଷ୍ଟିଚ୍ୟୁସନ୍, ଡୋଣ୍ଟ୍‌ ଡିଭାଇଡ୍‌ ଇଣ୍ଡିଆ)’ ଲେଖାଥିବା ପ୍ଲାକାର୍ଡ ଧରି ବାହାରି ଥିଲେ।  ଭୀମ୍ ସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ମୁକ୍ତ କରିବା ଦାବିରେ ଶହ ଶହ  ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନ ଆଡ଼େ ଯାତ୍ରା କରିଥିଲେ। ପୁଲିସ୍‌ ଆନ୍ଦୋଳନକାରୀଙ୍କୁ ଅଟକାଇବା ପରେ  ଆନ୍ଦୋଳନକାରୀମାନେ ନିଜକୁ ହିଂସା ସୃଷ୍ଟିକାରୀ ନୁହଁନ୍ତି ବୋଲି ପ୍ରମାଣ ଦେବାକୁ ନିଜ ହାତକୁ ବାନ୍ଧି ପକାଇଥିଲେ।

ସମ୍ବନ୍ଧିତ ଖବର