ଚୀନଠାରୁ ତିବ୍ବତର ସ୍ବାଧୀନତା ନୁହେଁ, ସ୍ବାୟତ୍ତତା ମାଗୁଛୁ : ଦଲାଇଲାମା

ନୂଆଦିଲ୍ଲୀ : ତିବ୍ବତୀୟ ଧର୍ମଗୁରୁ ଚତୁର୍ଦ୍ଦଶ ଦଲାଇ ଲାମା କହିଛନ୍ତି ଯେ ଚୀନଠାରୁ ତିବ୍ବତ ସ୍ବାଧୀନତା ଚାହୁଁନାହିଁ, ବରଂ ସ୍ବାୟତ୍ତତା ଚାହୁଁଛି । ଏହା ସହିତ ତିବ୍ବତୀୟ ବୌଦ୍ଧଧର୍ମର ସଂରକ୍ଷଣ ଚାହୁଁଛି ।

ଜମ୍ମୁ ଓ କଶ୍ମୀର ଗସ୍ତରେ ଥିବା ଦଲାଇଲାମା କହିଛନ୍ତି ଯେ ଚୀନର ଲୋକେ ଜାଣି ସାରିଲେଣି ଯେ ସେ ତିବ୍ବତକୁ ଚୀନଠାରୁ ମୁକ୍ତ କରିବାକୁ ଚାହୁଁନାହାନ୍ତି, ବରଂ ତିବ୍ବତ ପାଇଁ କିଛି ଅର୍ଥପୂର୍ଣ୍ଣ ସ୍ବାୟତ୍ତତା ଓ ତିବ୍ବତୀୟ ବୌଦ୍ଧଧର୍ମର ସଂରକ୍ଷଣ ଚାହୁଁଛନ୍ତି ।

କିଛିଦିନ ପୂର୍ବେ ଚୀନର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଝାଓ ଲିଜାନ କହିଥିଲେ ଯେ ଦଲାଇଲାମା ହେଉଛନ୍ତି ଜଣେ ବିଚ୍ଛିନ୍ନତାବାଦୀ ନେତା । ଏହାର ଜବାବରେ ଦଲାଇଲାମା ଏହା କହିଛନ୍ତି ।

ଚଳିତ ମାସ ୭ ତାରିଖରେ ନିଜର ୮୭ ତମ ଜନ୍ମଦିନ ଅବସରରେ ହିମାଚଳ ପ୍ରଦେଶର ଧର୍ମଶାଳାଠାରେ ଅନୁଷ୍ଠିତ ଏକ ସମାରୋହରେ ଦଲାଇଲାମା କହିଥିଲେ ଯେ ତିବ୍ବତ ସମସ୍ୟା  କେବଳ ଏକ ରାଜନୈତିକ ସମସ୍ୟା ନୁହେଁ, ଏହା ସତ୍ୟର ଲଢେଇ ଏବଂ ସତ୍ୟ ତିବ୍ବତୀୟଙ୍କ ନିକଟରେ ରହିଛି ।

ସୂଚନାଯୋଗ୍ୟ ଯେ ଦଲାଇ ଲାମାଙ୍କ ଦ୍ବାରା ପ୍ରଶାସିତ ତିବ୍ବତକୁ ଚୀନ ବଳପୂର୍ବକ ଅଧିକାର  କରିନେବା ପରେ ୧୯୫୯ରେ ସେ ଭାରତ ପଳାଇଆସିଥିଲେ । ଭାରତ ସରକାର ତାଙ୍କୁ ଆଶ୍ରୟ ଦେବା ପରେ ଧର୍ମଶାଳାଠାରେ ତାଙ୍କ ନେତୃତ୍ବରେ ଏକ ପ୍ରବାସୀ ତିବ୍ବତୀୟ ସରକାର ସ୍ଥାପନ କରାଯାଇଛି । ତେବେ ଚୀନ ତାଙ୍କୁ ଏକ ନମ୍ବର ଶତ୍ରୁ ଭାବେ ଦେଖୁଛି ।

ସମ୍ବନ୍ଧିତ ଖବର