ନୂଆଦିଲ୍ଲୀ: ପାକ୍ ଅଧିକୃତ କଶ୍ମୀର (ପିଓକେ)ର ଲୋକମାନେ ଭାରତର ଅଂଶ ହେବାକୁ ଦାବି କରୁଛନ୍ତି ଏବଂ କେହି ବି ‘ଅସହାୟ’ ପାକିସ୍ତାନ ସହ ଠିଆ ହେବାକୁ ଚାହୁନାହାନ୍ତି ବୋଲି କହିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି (ମଙ୍ଗଳବାର) କହିଛନ୍ତି, ‘୯ବର୍ଷ ତଳେ କେହି ଭାବିଥିଲେ କି ଧାରା ୩୭୦ ଉଚ୍ଛେଦ ହେବ। ଏ ବିଷୟରେ କେହି ଚିନ୍ତା କରିନଥିଲେ... ୨୦୧୯ ଅଗଷ୍ଟ ୫ ତାରିଖରେ ଧାରା ୩୭୦କୁ ଇତିହାସର ଅଳିଆ ଗଦାରେ ଫିଙ୍ଗି ଦିଆଯାଇଥିବା ଆପଣ ଦେଖିଛନ୍ତି। ଆଜି କଶ୍ମୀର ଭାରତର ଆଇନ ଅନୁଯାୟୀ କାର୍ଯ୍ୟ କରୁଛି ଏବଂ ବିକାଶ ଓ ଶାନ୍ତିର ଏକ ନୂତନ ଧାରା ସହିତ ଆଗକୁ ବଢ଼ୁଛି’ ବୋଲି ସେ କହିଛନ୍ତି।
କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ଉପସ୍ଥିତିରେ ଉତ୍ତରପ୍ରଦେଶରେ ୧୨୧୨କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବା ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଏହା କହିଛନ୍ତି।
‘ଆଜି କଶ୍ମୀରରେ କୌଣସି ହିଂସାକାଣ୍ଡ ଘଟୁନାହିଁ। ଏବେ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରୁ ଦାବି ହେଉଛି ଯେ ସେମାନେ ଭାରତର ଅଂଶ ହେବାକୁ ଚାହୁଛନ୍ତି।’ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, କେହି ‘ଦାରିଦ୍ର୍ୟ କବଳିତ’ ପାକିସ୍ତାନ ସହ କେହି ଠିଆ ହେବାକୁ ଚାହୁଁନାହାନ୍ତି। ପାକିସ୍ତାନକୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ୮୦ କୋଟିରୁ ଅଧିକ ଲୋକଙ୍କୁ ମାଗଣା ରାସନ ଯୋଗାଇ ଦେଉଥିବା ବେଳେ ପଡ଼ୋଶୀ ଦେଶର ଲୋକମାନେ ଦିନକୁ ଦୁଇ ଥର ଭୋଜନ ପାଇବା ପାଇଁ ସଂଘର୍ଷ କରୁଛନ୍ତି। ପାକିସ୍ତାନ ନିଜ ପାପ ପାଇଁ ଦଣ୍ଡ ପାଉଛି। ଭାରତ ଏକ ନୂଆ ଯାତ୍ରା ଆରମ୍ଭ କରୁଥିବା ବେଳେ ପାକିସ୍ତାନ ଭୋକ ଉପାସରେ ରହିଛି ବୋଲି ଆଦିତ୍ୟନାଥ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ କହିଛନ୍ତି ଯେ ୯ ବର୍ଷ ତଳେ ସୀମାନ୍ତ ଅଞ୍ଚଳରେ ଅନୁପ୍ରବେଶ ହେଉଥିଲା। କିନ୍ତୁ ଏବେ ତାହା ଆଉ ହେଉନାହିଁ। ଯଦି କେହି ଏପରି କରିବାକୁ ସାହସ କରନ୍ତି, ତେବେ ଶତ୍ରୁପକ୍ଷର ନିଜ ଗଡ଼ ଭିତରେ ଏୟାର ଷ୍ଟ୍ରାଇକ୍ ଓ ସର୍ଜିକାଲ ଷ୍ଟ୍ରାଇକ୍ କରିବାର ସାହସ ଆଜି ଭାରତ ପାଖରେ ରହିଛି।