ଅନଲାଇନରେ ଆଧାର ନମ୍ବର ସେୟାର କରିବା ପୂର୍ବରୁ ସତର୍କତା ଅବଲମ୍ବନ କର, ୟୁଆଇଡିଏଆଇର ପରାମର୍ଶ

ନୂଆଦିଲ୍ଲୀ : ଲୋକମାନେ ନିଜର ଆଧାର ନମ୍ବର ବା ଆଧାରକାର୍ଡ ଫଟୋ ଅନଲାଇନରେ ସେୟାର କରିବାପୂର୍ବରୁ ସତର୍କତା ଅବଲମ୍ବନ କରିବା ଉଚିତ ବୋଲି ୟୁଆଇଡିଏଆଇ ପକ୍ଷରୁ ସତର୍କ କରିଦିଆଯାଇଛି । ଗୁଗୁଲ ସର୍ଚ୍ଚରେ ଲୋକମାନଙ୍କର ଆଧାର ତଥ୍ୟ ମିଳୁଥିବା ନେଇ ଏକ ଅଭିଯୋଗର ଉତ୍ତର ରଖି ୟୁଆଇଡିଏଆଇ ପକ୍ଷରୁ କୁହାଯାଇଛି ଯେ ଏହା ସହ ଆଧାରର ସୁରକ୍ଷା ବ୍ୟବସ୍ଥା ସହିତ କୌଣସି ସମ୍ପର୍କ ନାହିଁ । ଲୋକମାନେ ବିଭିନ୍ନ କାରଣରୁ ଅନଲାଇନରେ ନିଜର ଆଧାର ନମ୍ବର ବା ଆଧାର କାର୍ଡକୁ ଅପଲୋଡ କରୁଛନ୍ତି । ଥରେ ଅନଲାଇନରେ ଅପଲୋଡ କଲେ ତାହା ଗୁଗୁଲ ସର୍ଚ୍ଚ ମାଧ୍ୟମରେ ଧରାପଡେ । କିନ୍ତୁ ଆଧାର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଯୋଗୁଁ ଯେ ଏହା ହେଲା ତାହା କହିବା ଠିକ୍‌  ନୁହେଁ । ଏହା ସହିତ ଆଧାରର କେନ୍ଦ୍ରୀୟ ଡାଟାବେସର କୌଣସି ସମ୍ପର୍କ ନାହିଁ । କିନ୍ତୁ ଏହା ଦୁର୍ଭାଗ୍ୟଜନକ ଯେ ଏ ନେଇ ବିଭିନ୍ନ ଗଣମାଧ୍ୟମରେ ବିଭ୍ରାନ୍ତିମୂଳକ ରିପୋର୍ଟ ପ୍ରକାଶ ପାଉଛି । ୟୁଆଇଡି ପକ୍ଷରୁ ଆହୁରିମଧ୍ୟ କୁହାଯାଇଛି ଯେ  ଅନ୍ୟ ସମସ୍ତ ପରିଚୟ ପତ୍ର ପରି ଆଧାର ମଧ୍ୟ ଏକ ପରିଚୟ ବ୍ୟବସ୍ଥା । ଏହା ଗୋପନୀୟ ନୁହେଁ ।  କେବଳ ଜଣଙ୍କର ଆଧାର ନମ୍ବର ଜାଣିଗଲେ ଯେ ଜଣେ ତାହାର ଦୁରୁପଯୋଗ କରିପାରିବ ତାହା ସତ୍ୟ ନୁହେଁ । କାରଣ ଏଥିପାଇଁ ବାୟୋମେଟ୍ରିକ୍‌ ଅଥେଣ୍ଟିକେସନ ଅବଶ୍ୟକ । ଏହା ସତ୍ତ୍ୱେ ଲୋକମାନେ ଅନଲାଇନରେ ଆଧାର ନମ୍ବର ବା କାର୍ଡ ସେୟାର କଲାବେଳେ ସତର୍କତା ଅବଲମ୍ବନ କରନ୍ତୁ ବୋଲି ୟୁଆଇଡିଏଆଇ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର