ଭୁବନେଶ୍ବର: ବଢୁଛି ତୁର୍କୀ ପାଇଁ ଅଡୁଆ । ତୁର୍କୀର ପାକିସ୍ତାନ ପ୍ରୀତି ପାଇଁ ଏବେ ତାକୁ ବହୁମୂଲ୍ୟ ଦେବାକୁ ପଡିବ । କାରଣ ଭାରତରେ ଏବେ ହାସ୍ ଟ୍ୟାଗ୍ ବଏକଟ୍ ତୁର୍କୀ ଟ୍ରେଣ୍ଡ କରୁଥିବା ବେଳେ ଧିରେଧିରେ ବଡ ବଡ଼ ବ୍ୟବସାୟୀମାନେ ମଧ୍ୟ ଏହି ଟ୍ରେଣ୍ଡରେ ସାମିଲ ହୋଇ ତୁର୍କୀକୁ ପାନେ ଦେବାକୁ ଅଣ୍ଟା ଭିଡ଼ିଛନ୍ତି । ତୁର୍କୀ ଭାରତର ଉପରେ ଅନେକ ନିର୍ଭରଶୀଳ ଥିବା ବେଳେ ଏବେ ତୁର୍କୀକୁ ବ୍ୟବସାୟିକ ସ୍ତରରେ ଝଟକା ଦେବାକୁ ଆରମ୍ଭ ହୋଇଛି ଆକ୍ସନ । 

Advertisment

ଏହି କ୍ରମରେ ଓଡିଶାର ବିଭିନ୍ନ ବ୍ୟବସାୟୀମାନେ ମଧ୍ୟ ତୁର୍କୀ ସାମଗ୍ରୀ ଉପରେ ରୋକ ଲଗାଇଛନ୍ତି । ତୁର୍କୀରୁ ସାମଗ୍ରୀ ଆଣିବେନି ବୋଲି ରୋକଠୋକ୍ ମନା କରି ଦେଇଛନ୍ତି । ବିକାଶ ମଣ୍ଡଳ, ଭଦ୍ରକର ଜଣେ ଫଳ ବ୍ୟବସାୟୀ କହିଛନ୍ତି, ଆମ ଶତ୍ରୁ ଦେଶ ପାକିସ୍ତାନକୁ ତୁର୍କୀ ସାହାଯ୍ୟ କରିଥିବାରୁ ତୁର୍କୀଠାରୁ ଆଉ ଆମେ କୌଣସି ଫଳ ଆଣିବୁନି । ତୁର୍କୀକୁ ବେଶି ସେଓ ଆସୁଥିବା ବେଳେ ଏହାକୁ ବନ୍ଦ କରିଛୁ ।

ଭାରତ ସହ ତୁର୍କୀର ବାଣିଜ୍ୟିକ ସମ୍ପର୍କ ବେଶ ପୁରୁଣା । କିନ୍ତୁ ପାକିସ୍ତାନ ପାଇଁ ଭାରତ ସହ ବିଶ୍ବାସଘାତକତା ଏବେ ତୁର୍କୀକୁ ମହଙ୍ଗା ପଡ଼ିବ । କାରଣ ଭାରତରେ ଆରମ୍ଭ ହୋଇଛି ବଏକଟ୍ ତୁର୍କୀ ଅଭିଯାନ । ତୁର୍କୀର ସାମଗ୍ରୀକୁ ସ୍ୱତଃପ୍ରବୃତ୍ତ ଭାବେ ବଏକଟ୍ କରିବାକୁ ଆଗେଇ ଆସିଛନ୍ତି ଭାରତୀୟ । ତୁର୍କୀକୁ ପାନେ ଦେବାକୁ ଏବେ ଏକାଠି ହୋଇଛନ୍ତି ଦେଶବାସୀ । 

ତୁର୍କୀରୁ ଭାରତକୁ ସେଓ, ମାର୍ବଲ, ଲେମ୍ବୁ ଓ ସିମେଣ୍ଟ ଆସିଥାଏ । ଭାରତ ତୁର୍କୀଠୁ ମୁହଁ ଫେରାଇବା ପରେ ପ୍ରଥମ ଝଟକା ଲାଗିଛି ତୁର୍କୀ ସେଓ ଉପରେ । ତୁର୍କୀରୁ ଆସୁଥିବା ସେଓକୁ ବଏକଟ୍ କରିଛନ୍ତି ଲୋକ । ଆଉ ଆଗକୁ ତୁର୍କୀର ମାର୍ବଲ ମାର୍କେଟ ଉପରେ ମଧ୍ୟ ହେବ ବଡ଼ ପ୍ରହାର । କାରଣ ଭାରତକୁ ୭୦% ମାର୍ବଲ ତୁର୍କୀରୁ ଆସେ ।