ନୂଆଦିଲ୍ଲୀ : ଦେଶରେ ପୁଣି ଥରେ କରୋନା ସଂକ୍ରମଣ ମାମଲା ବଢୁଥିବାରୁ ଲୋକମାନେ ଯଥାଶୀଘ୍ର ବୁଷ୍ଟର ଡୋଜ ନେଇଯାଆନ୍ତୁ ବୋଲି କେନ୍ଦ୍ର ସରକାରଙ୍କ କୋଭିଡ ଟାସ୍କଫୋର୍ସର ମୁଖ୍ୟ ଡ. ଭି.କେ.ପଲ କହିଛନ୍ତି । ସେ କହିଛନ୍ତି ଯେ ୨ୟ ଡୋଜ ନେବାର ୬ ମାସ ପରେ ଟିକା ପ୍ରଦତ୍ତ ସୁରକ୍ଷା ଦୁର୍ବଳ ହେବା ଆରମ୍ଭ କରିଥାଏ ।ଏଣୁ ଲୋକମାନେ ଯଥାଶୀଘ୍ର ବୁଷ୍ଟର ଡୋଜ ନେବା ଉଚିତ ।
ପୁଣି କେବଳ ବୁଷ୍ଟର ଡୋଜ ନେଲେ ଚଳିବ ନାହିଁ, ଆମକୁ ପୂର୍ବପରି ସତର୍କ ରହିବାକୁ ପଡିବ ବୋଲି ସେ କହିଛନ୍ତି । ଦେଶରେ ଗତ ରବିବାରସୁଦ୍ଧା ୨୦୦କୋଟି ଡୋଜ ଟିକା ଦିଆଯାଇଛି ବୋଲି ସେ କହିଛନ୍ତି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟର ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୬,୯୩୫ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୫୧ ମୃତ୍ୟୁ ରେକର୍ଡ କରାଯାଇଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୧୬,୯୩୫ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪, ୩୭,୬୭,୫୩୪ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ତାମିଲନାଡୁ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ ଅଧିକ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି । ଗତ ୨୪ ଘଣ୍ଟାରେ ହୋଇଥିବା ୫୧ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୫,୨୫,୭୬୦ରେ ପହଞ୍ଚିଛି ।