୨୫ ବର୍ଷରୁ କମ୍ ବୟସ୍କ ଅଧିକ ପ୍ରଭାବିତ: ୭୬% ଭାରତୀୟଙ୍କଠାରେ ଭିଟାମିନ୍‌ ଡି ଅଭାବ

ନୂଆଦିଲ୍ଲୀ: ଭିଟାମିନ୍ ଡି କିମ୍ବା ‘ସନ୍‌ସାଇନ୍’ ଭିଟାମିନ୍ ଏକ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ବ ଯାହା ଶରୀରରେ କ୍ୟାଲସିୟମ୍ ଏବଂ ଫସଫେଟ୍ ପରିମାଣକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଏହା ପରବର୍ତ୍ତୀ ସମୟରେ ଶକ୍ତିଶାଳୀ ହାଡ଼, ଦାନ୍ତ ଏବଂ ମାଂସପେଶୀ ଗଠନକୁ ପ୍ରୋତ୍ସାହିତ କରେ। ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବା (ଏନ୍‌ଏଚ୍‌ଏସ୍‌) ଅନୁଯାୟୀ, ଭିଟାମିନ୍ ଡି ପିଲାଙ୍କଠାରେ ରିକେଟ୍ ଭଳି ହାଡ଼ର ବିକଳାଙ୍ଗତା ଏବଂ ବୟସ୍କଙ୍କଠାରେ ଅଷ୍ଟିଓମାଲାସିଆ ନାମକ ଅସ୍ଥିରୋଗ-ଜନିତ ଯନ୍ତ୍ରଣାକୁ ରୋକିବାରେ ସାହାଯ୍ୟ କରିଥାଏ।

ଏହି ଜୀବସାରର ଅଭାବ ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ। ଅନୁସନ୍ଧାନରୁ ଜଣାପଡ଼ିଛି ଭିଟାମିନ୍ ଡି ଅଭାବ ସହ ପ୍ରୋଷ୍ଟେଟ୍ କର୍କଟ, ଉଦାସୀନତା, ମଧୁମେହ ଏବଂ ଆଣ୍ଠୁଗଣ୍ଠି ବାତ ଭଳି ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ପର୍କ ରହିଛି। ତେବେ, ଅଧିକ ଚିନ୍ତାର ବିଷୟ ହେଉଛି, ଭାରତର ଏକ ବୃହତ୍ ଜନସଂଖ୍ୟା ଏହି ପୁଷ୍ଟିତତ୍ତ୍ବର ଅଭାବରେ ପୀଡିତ। ଟାଟା ୧ଏମ୍‌ଜି ଲ୍ୟାବ୍‌ସର ତଥ୍ୟରୁ ଜଣାପଡିଛି ଯେ ଭାରତୀୟ ଜନସଂଖ୍ୟାର ପ୍ରାୟ ୭୬% ଲୋକ ଭିଟାମିନ୍ ଡି ଅଭାବରେ ପୀଡିତ। ଏହି ଅଧ୍ୟୟନରେ ଭାରତର ୨୭ଟି ସହରର ୨.୨ ଲକ୍ଷରୁ ଅଧିକ ଲୋକଙ୍କର ପରୀକ୍ଷା କରାଯାଇଥିଲା। ଅନୁସନ୍ଧାନରୁ ଜଣାପଡିଛି ଯେ, ୭୯% ପୁରୁଷ ଏବଂ ୭୫% ମହିଳାଙ୍କ ଶରୀରରେ ଭିଟାମିନ୍ ଡି’ର ଅଭାବ ରହିଛି। ଭିଟାମିନ୍ ଡି ଅଭାବ ଦୃଷ୍ଟିରୁ ବଡ଼ୋଦରା (୮୯%) ଏବଂ ସୁରତ (୮୮%) ଶୀର୍ଷରେ ଥିବାବେଳେ ଏବଂ ଦିଲ୍ଲୀ-ଏନ୍‌ସିଆର ସର୍ବନିମ୍ନ (୭୨%) ସ୍ତରରେ ଥିବା ଜଣାପଡିଛି। ଟାଟା ୧ଏମ୍‌ଜି ତଥ୍ୟର ବିଶ୍ଳେଷଣରୁ ଜଣାପଡିଛି ଯେ, ଭିଟାମିନ୍ ଡି ଅଭାବ ଦ୍ବାରା ଯୁବକମାନେ ଜାତୀୟ ହାର ତୁଳନାରେ ଅଧିକ ପ୍ରଭାବିତ। ୨୫ ବର୍ଷରୁ କମ୍ ବୟସର ୮୪%, ତା’ପରେ ୨୫-୪୦ ବର୍ଷ ବୟସର ୮୧% ଲୋକ ଏହି ଅଭାବର ସମ୍ମୁଖୀନ।

ଟାଟା ୧ଏମ୍‌ଜିର ଚିକିତ୍ସା ବ୍ୟାପାର ଉପାଧ୍ୟକ୍ଷ ଡ. ରାଜୀବ ଶର୍ମାଙ୍କ ଅନୁଯାୟୀ, ଖାଦ୍ୟାଭ୍ୟାସରେ ପରିବର୍ତ୍ତନ, ସୂର୍ଯ୍ୟକିରଣରେ ଖେଳକୁଦର ଅଭାବ, ଅନ୍ତର୍ଦ୍ବାର ଜୀବନଶୈଳୀ ଓ ଅନୁପଯୁକ୍ତ ଖାଦ୍ୟ ଭିଟାମିନ୍ ଡି ଅଭାବର ମୁଖ୍ୟ କାରଣ। ମାଛତେଲରେ ଭିଟାମିନ୍ ଡି ଥାଏ। ପୁଣି ସୂର୍ଯ୍ୟ କିରଣ ଆମ ଦେହରେ ପଡ଼ିଲେ ଭିଟାମିନ ଡି ତିଆରି ହୁଏ। ତେଣୁ ଯେଉଁମାନେ ଭିଟାମିନ ଡି ଅଭାବର ସମ୍ମୁଖୀନ ହୋଇଛନ୍ତି ସେମାନେ ମାଛତେଲ ପରି ଭିଟାମିନ ଡି ଥିବା ଔଷଧ ସେବନ କରିବା ସହିତ ଯଥାସମ୍ଭବ ଅଧିକ ସମୟ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସିବାକୁ ଚେଷ୍ଟା କରିବା ଉଚିତ ବୋଲି ଗବେଷକମାନେ କହିଛନ୍ତି। ଟାଟା ୧ଏମ୍‌ଜି ଲ୍ୟାବ୍‌ସର କ୍ଲିନିକାଲ ମୁଖ୍ୟ ଡ ପ୍ରଶାନ୍ତ ନାଗ କହିଛନ୍ତି, ଯେଉଁମାନେ ମେଦବହୁଳତାଗ୍ରସ୍ତ, ଯେଉଁମାନଙ୍କ ଶରୀର ଭିଟାମିନ୍ ଡି ଠିକ୍‌ଭାବରେ ଅବଶୋଷଣ କରିପାରେ ନାହିଁ ଏବଂ ଯେଉଁମାନଙ୍କର ଅଷ୍ଟିଓମାଲାସିଆ ସମସ୍ୟା ଅଛି ସେମାନେ ନିୟମିତ ଭାବେ ଭିଟାମିନ୍ ଡି ସ୍ତର ଯାଞ୍ଚ କରିବା ଉଚିତ। ଏହା ପ୍ରତି ଛଅ ମାସରେ କିମ୍ବା ବର୍ଷକୁ ଅନ୍ତତଃ ଥରେ କରିବାକୁ ପରାମର୍ଶ ଦିଆଯାଇଛି। ପାଞ୍ଚ ବର୍ଷରୁ କମ୍ ବୟସର ଶିଶୁ, ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମହିଳା, ୬୫ ବର୍ଷରୁ ଅଧିକ ବୟସର ଲୋକ ଏବଂ ସୂର୍ଯ୍ୟ କିରଣ ସଂସ୍ପର୍ଶରେ କମ୍ ଆସୁଥିବା ବ୍ୟକ୍ତି ଭିଟାମିନ୍ ଡି ଅଭାବରେ ସହଜରେ ପୀଡ଼ିତ ହୋଇଥାନ୍ତି।

ସମ୍ବନ୍ଧିତ ଖବର