ନୂଆଦିଲ୍ଲୀ : ସମ୍ବିଧାନର ପ୍ରଣେତା ବି ଆର୍‌ ଆମ୍ବେଦକରଙ୍କ ୧୩୨ତମ ଜନ୍ମବାର୍ଷିକୀରେ କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧି ସରକାର ଉପରେ ଭୀଷଣ ବର୍ଷିଛନ୍ତି। କ୍ଷମତାରେ ଥିବା ଦଳ ଯେଉଁମାନେ ଏହାର ଅପବ୍ୟବହାର କରୁଛନ୍ତି ଏବଂ ସମ୍ବିଧାନକୁ ନଷ୍ଟ କରୁଛନ୍ତି ସେମାନେ ବାସ୍ତବରେ ଦେଶବିରୋଧୀ ବୋଲି ସେ କହିଛନ୍ତି। ସମ୍ବିଧାନକୁ ବିଧିବଦ୍ଧ ଆକ୍ରମଣରୁ ରକ୍ଷା କରିବା ପାଇଁ ଲୋକମାନେ ନିଶ୍ଚିତଭାବେ ଆଗେଇ ଆସିବା ଉଚିତ।

Advertisment

ଟେଲିଗ୍ରାଫରେ ସେ ଆଜି ଲେଖିଥିବା ସ୍ତମ୍ଭରେ ସରକାରଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି। ଏଥିସହିତ ସେ କହିଛନ୍ତି ଧର୍ମ, ଭାଷା, ଜାତି ଏବଂ ଲିଙ୍ଗ ଆଧାରରେ ଭାରତୀୟମାନଙ୍କୁ ପରସ୍ପର ବିରୋଧରେ ଭାଗ କରିବା ପାଇଁ ଯେଉଁମାନେ କ୍ଷମତାର ଅପବ୍ୟବହାର କରୁଛନ୍ତି ସେମାନେ ପ୍ରକୃତ ଦେଶବିରୋଧୀ। ବାବା‌ସାହେବଙ୍କ ଆଦର୍ଶକୁ ଆମେ ଏବେ ବି ସମ୍ମାନ କରୁଥିବାରୁ ଆମକୁ ସେ ଦେଇଥିବା ଭବିଷ୍ୟଦର୍ଶୀ ଚେତାବନୀକୁ ମନେ ରଖିବାକୁ ହେବ। ଆମ୍ବେଦକର କହିଥିଲେ ଶାସନ ଅଧିକାର ପାଇଥିବା ବ୍ୟକ୍ତିମାନଙ୍କ ଆଚରଣ ଉପରେ ସମ୍ବିଧାନର ସଫଳତା ନିର୍ଭର କରେ। ସରକାରୀ ଦଳର ଉଦ୍ୟମ ସତ୍ତ୍ବେ ଭାରତୀୟମାନଙ୍କ ଭାଇଚାରା ମଜଭୁତ ରହିଛି। ଏହି ଭାଇଚାରାକୁ ଆମେ ସର୍ବଦା ଘରେ, ସଂପ୍ରଦାୟରେ ଏବଂ ସଂଗଠନଗୁଡ଼ିକରେ ଆକ୍ରମଣରୁ ରକ୍ଷା କରିବା ଆବଶ୍ୟକ ବୋଲି କଂଗ୍ରେସ ସଂସଦୀୟ ଦେଳ ନେତା ସୋନିଆ ଲେଖିଛନ୍ତି।