ମହାଲକ୍ଷ୍ମୀ ଏକ୍ସପ୍ରେସରେ ଯାତ୍ରା କରୁଥିବା ଯାତ୍ରୀ ବଖାଣିଲେ ସେଦିନର ଅନୁଭୂତି; କହିଲେ, ବାହାରେ ବଢ଼ୁଥିଲା ନଦୀର ପାଣି ଓ ଟ୍ରେନ୍‌ ଭିତରେ ପଶିଥିଲା ସାପ

ମୁମ୍ବାଇ: ମୁମ୍ବାଇର ଭାନ୍‌ଙ୍ଗନିରେ ଗତ ଶନିବାର ବର୍ଷା ଜଳରେ ୧୫ଘଣ୍ଟା ଧରି ମହାଲକ୍ଷ୍ମୀ ଏକ୍ସପ୍ରେସ ଫସି ରହିଥିଲା। ଏହି ଏକ୍ସପ୍ରେସ୍‌ରେ ଫସି ରହିଥିବା ୭୦୦ଜଣ ଯାତ୍ରୀଙ୍କୁ ସଫଳତା ପୂର୍ବକ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ସମସ୍ତ ଯାତ୍ରୀଙ୍କୁ କଲ୍ୟାଣ ରେଳ ଷ୍ଟେସନରୁ ଏକ ୧୯ କୋଚ୍‌ ବିଶିଷ୍ଟ ସ୍ୱତନ୍ତ୍ର ଟ୍ରେନରେ କୋହ୍ଲାପୁର ପଠା ଯାଇଥିଲା। ଏହାପରେ ଯାଇ ସମସ୍ତ ଯାତ୍ରୀ ଆଶ୍ୱସ୍ତି ଅନୁଭବ କରିଥିଲେ।

ତେବେ ୧୫ ଘଣ୍ଟା ଧରି ଜଳବନ୍ଦୀରେ ଫସି ଥିବା ଯାତ୍ରୀ କିପରି ଜୀବନ ମରଣ ସହ ସଂଘର୍ଷ କରିଥିଲେ ଉଦ୍ଧାର ହେବା ପରେ ସେମାନେ ସେମାନଙ୍କ ଅନୁଭୂତିକୁ ବଖାଣିଛନ୍ତି। ଏହି ଟ୍ରେନ୍‌ରେ ଯାତ୍ରା କରୁଥିବା ନିନାଦ ନାମକ ଜଣେ ଯାତ୍ରୀଙ୍କ କହିବାନୁସାରେ, ଟ୍ରେନ୍‌ ବାହାରେ ଉଲ୍ଲାସ ନଦୀର ଜଳସ୍ତର ବଢ଼ିବାକୁ ଲାଗିଥାଏ। ଯାତ୍ରୀମାନେ ଚାହିଁକି ବି ଟ୍ରେନ୍‌ ଭିତରୁ ବାହାରକୁ ବାହାରି ପାରୁ ନଥିଲେ। ସାରା ରାତି ଟ୍ରେନ୍‌ ଭିତରେ ସମସ୍ତେ ଉଜାଗ ରହିଥିଲେ ଓ ଏଭଳି ପରିସ୍ଥିତିରୁ କିପରି ଉଦ୍ଧାର ପାଇବେ ସେନଇ ଭଗବାନଙ୍କୁ ପ୍ରାର୍ଥନା ବି କରୁଥିଲେ। କେବଳ ଏତିକି ନୁହେଁ ଏହି ସମୟରେ ଟ୍ରେନ୍‌ ଭିତରେ ସାପ ବି ପଶି ଆସିଥିଲା। ଯାହାକୁ ଦେଖି ଯାତ୍ରୀମାନେ ଆହୁରି ଭୟଭୀତ ହୋଇପଡ଼ିଥିଲେ। କୌଣସି ଉପାୟରେ ସେହି ସାପକୁ ଟ୍ରେନ୍‌ ଭିତରୁ ବାହାର କରାଯାଇଥିଲା। ସମସ୍ତ ଯାତ୍ରୀ ଶେଷର ସୁରକ୍ଷିତ ଭାବେ ଉଦ୍ଧାର ହୋଇଯାଇଥିଲେ। କିନ୍ତୁ ଏବେ ବି ସେଦିନର କଥା ଭାବିଲେ ଲୋକମୂଳ ଟାଙ୍କୁରି ଉଠେ ବୋଲି ନିନାଦ କହିଛନ୍ତି।

ଉଳ୍ଲେଖଯୋଗ୍ୟ: ପ୍ରବଳ ବର୍ଷା ଫଳରେ ଅଣ୍ଟାଏ ଉଚ୍ଚର ବର୍ଷାଜଳ ରେଳ ଧାରଣା ଉପରକୁ ଚାଲି ଆସିବା ଫଳରେ ସେଇ ଧାରଣା ଉପର ଦେଇ ଯାଉଥିବା ମହାଲକ୍ଷ୍ମୀ ଏକ୍ସପ୍ରେସ ମହାରାଷ୍ଟ୍ରର ଥାନେ ଜିଲ୍ଲା ଅନ୍ତର୍ଗତ ଚାମତୋଲି ନିକଟରେ ଆଉ ଆଗକୁ ଯାଇ ପାରି ନଥିଲା। ଫଳରେ ଟ୍ରେନ୍‌ ମଧ୍ୟରେ ଅଟକ ରହିଯାଇଥିବା ୭୦୦ଜଣ ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ଏନ୍‌ଡିଆର୍‌ଏଫ୍‌, ନୌସେନା, ବାୟୁସେନା ଓ ଆରପିଏଫ ପକ୍ଷରୁ ଏକ ବଡ଼ ଧରଣର ଅପରେସନ୍‌ ଆରମ୍ଭ ହୋଇଥିଲା।

ପ୍ରଥମ ପର୍ଯ୍ୟାୟରେ ଉଦ୍ଧାରକାଳୀ ଦଳ ଟ୍ରେନ୍‌ ମଧ୍ୟରୁ ୯ ଜଣ ଗର୍ଭବତୀ ମହିଳା ଯାତ୍ରୀଙ୍କ ସମେତ ୫୦୦ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ, ପରେ ଟ୍ରେନ୍‌ ମଧ୍ୟରେ ରହିଥିବା ଅବଶିଷ୍ଟ ୨୦୦ ଯାତ୍ରୀଙ୍କୁ ଉଦ୍ଧାରକାରୀ ଦଳ ଉଦ୍ଧାର କରିବାରେ ସମର୍ଥ ହୋଇଥିଲେ ।

ସମ୍ବନ୍ଧିତ ଖବର