ନୂଆଦିଲ୍ଲୀ: ବନ୍ୟା ବିଭୀଷିକା ପାଇଁ ଉତ୍ତର ଭାରତର ଦିଲ୍ଲୀ, ହିମାଚଳ ପ୍ରଦେଶ, ପଞ୍ଜାବ, ରାଜସ୍ଥାନ ଏବଂ ଉତ୍ତର ପ୍ରଦେଶର ବିଭିନ୍ନ ଅଞ୍ଚଳ ଜଳ ଘେରରେ ରହିଛି। ଘରେ ପାଣି ପଶି ଯାଇଥିବାରୁ ପଞ୍ଜାବର ଫିରୋଜପୁରରେ ଲୋକମାନେ ସେମାନଙ୍କ ଗୃହପାଳିତ ପଶୁ ସହିତ ଜାତୀୟ ରାଜପଥରେ ରହିବାକୁ ବାଧ୍ୟ ହୋଇଛନ୍ତି। ଘରକୁ ଯିବାକୁ ହେଲେ  ଉଦ୍ଧାରକାରୀଙ୍କ ଉପରେ ନିର୍ଭର କରିବାକୁ ପଡ଼ୁଛି। ଫିରୋଜପୁରର ଗତି ରାଜୁ କେ ଗାଁରେ ଏକ ପ୍ରାଥମିକ ଏବଂ ଉଚ୍ଚ ମାଧ୍ୟମିକ ସ୍କୁଲ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି। ରାସ୍ତା ଧୋଇଯାଇଥିବାରୁ ଗାଡ଼ିମୋଟର ଯାତାୟାତ କରିପାରୁନାହିଁ।  

Advertisment

ମୃତକଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା
ଫସଲ କ୍ଷତି ପାଇଁ ଏକରକୁ ୨୦ ହଜାର କ୍ଷତିପୂରଣ

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ସୋମବାର ବନ୍ୟା ପ୍ରଭାବିତଙ୍କ ପାଇଁ ରିଲିଫ ଘୋଷଣା କରିଛନ୍ତି। ପଞ୍ଜାବ ବନ୍ୟାରେ ଏପର୍ଯ୍ୟନ୍ତ ୪୮ ଜଣଙ୍କ ଜୀବନ ଯାଇଛି। ତିନି ଜଣ ନିଖୋଜ ଅଛନ୍ତି। ରାଜ୍ୟ ସରକାର ମୃତକଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି। ଚାଷୀମାନଙ୍କ ପାଇଁ କ୍ଷତିପୂରଣ ଘୋଷଣା କରାଯାଇଛି। ଏକ ଏକର ଚାଷ ଜମିରେ ଫସଲ କ୍ଷତି ପାଇଁ ୨୦ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯିବ। ଏହା ଦେଶରେ ଯେକୌଣସି ରାଜ୍ୟ ସରକାରଙ୍କ ପକ୍ଷରୁ ଫସଲ କ୍ଷୟକ୍ଷତି ନେଇ ସର୍ବାଧିକ ସହାୟତା ବୋଲି ମାନ୍ କହିଛନ୍ତି। ବନ୍ୟା କ୍ଷୟକ୍ଷତି ନେଇ ଚଣ୍ଡିଗଡ଼ଠାରେ ରାଜ୍ୟ କ୍ୟାବିନେଟ ବୈଠକ ପରେ ମୁଖ୍ୟମନ୍ତ୍ରୀ ଚିକିତ୍ସିତ ହେଉଥିବା ମୋହାଲି ହସ୍ପିଟାଲରୁ  ଏହି ଘୋଷଣା କରିଛନ୍ତି। ସେହିପରି ଚାଷ ଜମିରେ ବାଲି ଚରି ଯାଇଥିବାରୁ ଏହି ସବୁ ବାଲି ସେମାନେ ନଭେମ୍ବର ସୁଦ୍ଧା ବିକି ପାରିବେ। ଏଥିପାଇଁ ରାଜ୍ୟ ସରକାରଙ୍କଠାରୁ କୌଣସି ଏନ୍‌ଓସି ନେବାକୁ ପଡ଼ିବନି ବୋଲି କ୍ୟାବିନେଟରେ ନିଷ୍ପତ୍ତି ହୋଇଛି।

ଆଜି ସ୍ଥିତି ସମୀକ୍ଷା କରିବେ‌ ମୋଦୀ
ନୂଆଦିଲ୍ଲୀ:  ପଞ୍ଜାବରେ ଗମ୍ଭୀର ବନ୍ୟା ସ୍ଥିତି ରହିଛି। ଭାରତୀୟ ସେନା  ଦ୍ବାରା ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି।  ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ଏବଂ ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇଯାଇଛି।  ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ଥିତି ସମୀକ୍ଷା ପାଇଁ ଆସନ୍ତାକାଲି (ମଙ୍ଗଳବାର) ପଞ୍ଜାବ ଗସ୍ତ କରିବେ। ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରଥମେ ‌ମତଦାନ  କରିବା ପରେ ସେ ବନ୍ୟାଞ୍ଚଳ ଗସ୍ତରେ ଯିବେ। ବିଜେପି ମୁଖ୍ୟ ସୁନୀଲ ଜାଖର ଏନେଇ ସୂଚନା ଦେଇଛନ୍ତି।  ଉଲ୍ଲେଖଯୋଗ୍ୟ ଯେ ପଞ୍ଜାବ ଦଶନ୍ଧିର ସବୁଠାରୁ ବଡ଼ ବନ୍ୟା ସାମ୍ନା କରୁଛି।  ହିମାଚଳପ୍ରଦେଶ ଏବଂ ଜମ୍ମୁ କାଶ୍ମୀରରେ ସତଲେଜ, ବ୍ୟାସ ଏବଂ ରାବୀ ନଦୀ ଫୁଲୁଥିବାରୁ ପଞ୍ଜାବରେ ବନ୍ୟା ସ୍ଥିତି ଭୟଙ୍କର ରୂପ ନେଇଛି। ରବିବାର ଅନ୍ୟ ୨ ଜଣଙ୍କର ବନ୍ୟା ଜନିତ କାରଣ ପାଇଁ ମୃତ୍ୟୁ ହେବାପରେ ମୃତ୍ୟୁସଂଖ୍ୟା ୪୮ ପହଞ୍ଚିଛି। ତେବେ କିଛି ସ୍ଥାନ‌ରେ ଜଳସ୍ତର କମିଥିଲେ ବି ପରିସ୍ଥିତି ସଙ୍ଗିନ ରହିଛି।