ଲୋକଙ୍କ ଚାଲିଚଳଣ କୋଭିଡ୍‌ ସଙ୍କଟ ବଢ଼ାଉଛି, ପର୍ଯ୍ୟଟନ ସ୍ଥଳମାନଙ୍କରେ ଭିଡ଼ ରୋକିବାକୁ ତତ୍ପରତା

ନୂଆଦିଲ୍ଲୀ, ୧୦/୭: ଦେଶରେ କରୋନାର ଦ୍ବିତୀୟ ଲହର ଏବେ ସୁଦ୍ଧା ଦୂର ହୋଇନାହିଁ। ଏବେ ବି ପ୍ରତିଦିନ ୪୦ ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି। କରୋନାର ପ୍ରଥମ ଏବଂ ଦ୍ବିତୀୟ ଲହରରେ ନାନା ଅସୁବିଧାର ସାମ୍ନା ଦେଶକୁ କରିବାକୁ ପଡ଼ିଥିଲା। ଏଥିସହିତ ଆଗାମୀ ଦିନରେ ତୃତୀୟ ଲହର ଆସିବ ବ‌ୋଲି ମଧ୍ୟ ବିଶେଷଜ୍ଞମାନେ ସତର୍କ କରାଇ ସାରିଲେଣି। ଏହାସତ୍ତ୍ବେ ଲୋକଙ୍କ ଚାଲିଚଳଣ ଠିକ୍‌ ରହୁ ନଥିବାରୁ ବିଶେଷଜ୍ଞମାନେ ଆଗକୁ ଜଟିଳ ସ୍ଥିତି ସୃଷ୍ଟି ହେବ ବୋଲି ବୋଲି ଆଶଙ୍କା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଲୋକଙ୍କ ଚାଲିଚଳଣକୁ ନେଇ ଚିନ୍ତା ବ୍ୟକ୍ତି କରିଛନ୍ତି।ଲୋକମାନେ କରୋନା ନିୟମକୁ ଯେଭଳି ଉଲ୍ଲଂଘନ କରୁଛନ୍ତି ଏବଂ କେତେକ ସ୍ଥାନରେ ପ୍ରବଳ ଭିଡ଼ କରୁଥିବା ଚିତ୍ର ସାମ୍ନାକୁ ଆସୁଛି ତାହାକୁ ନେଇ ପ୍ରଧାନମନ୍ତ୍ରୀ ବ୍ୟସ୍ତବିବ୍ରତ ହୋଇ ପଡ଼ିଛନ୍ତି।

କରୋନା ବିପକ୍ଷରେ ଲଢ଼େଇ ସମୟରେ ଅସାବଧାନତା ବା ଖାମଖିଆଲର କୌଣସି ସ୍ଥାନ ରହିବା ଉଚିତ ନୁ‌ହେଁ। ଲୋକମାନେ କେତେକ ସ୍ଥାନରେ ବିନା ମାସ୍କରେ ଏବଂ ବିନା ସାମାଜିକ ଦୂରତାରେ ବୁଲୁଛନ୍ତି। ଏସବୁ ଦେଖିବାକୁ ଭଲ ଲାଗୁନାହିଁ। ଏଥିସହିତ ଏହା ମନରେ ଭୟ ଜାତ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗତ କିଛିଦିନ ହେଲା ଗହଳି ସ୍ଥାନର ଫଟୋ ଏବଂ ଭିଡିଓ ଦେଖିବାକୁ ମିଳିବା ପରେ ଏହାକୁ ନେଇ ବିଭିନ୍ନ ମହଲ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଲୋକମାନେ ମାସ୍କ ଏବଂ ସାମାଜିକ ଦୂରତା ବିନା ଘୂରି ବୁଲୁଥିବାରୁ ଏଭଳି ସ୍ଥିତି ଲାଗି ରହିଲେ ପୁଣି ଦେଶବ୍ୟାପୀ ସଂକ୍ରମଣ ବଢ଼ିବ ବୋଲି ବିଶେଷଜ୍ଞମାନେ ସତର୍କ କରାଇଛନ୍ତି।

ବିଶେଷକରି ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶର ଶୈଳ ନିବାସରେ ଲୋକମାନେ କୋଭିଡ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି ପ୍ରବଳ ଗହଳି କରିଥିଲେ। ଏହାରା ଫଟୋଗୁଡ଼ିକ ସାମାଜିକ ଗଣମାଧ୍ୟମରେ ବହୁଳ ଭାବେ ପ୍ରସାରିତ ହୋଇଥିଲା। ଏହାପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏ ନେଇ ଲୋକଙ୍କୁ ଚେତାଇ ଦେଇଥିଲା। ପୂର୍ବମାସ ତୁଳନାରେ ଭାରତରେ ଏବେ କରୋନାର ଦୈନିକ ସଂକ୍ରମଣ କମ୍ ରହିଛି। କେତେକ ଦେଶରେ ଏବେ ବି ସଂକ୍ରମଣ ବଢ଼ୁଛି ଏବଂ ଭୂତାଣୁ ତାହାର ରୂପ ବଦଳାଉଛି । ତୃତୀୟ ଲହର ଅବଶ୍ୟମ୍ଭାବୀ ଥିବାରୁ ଏବେ ଭାରତରେ ସ୍ବାସ୍ଥ୍ୟସେବାରେ ସୁଧାର ଆଣିବା ପାଇଁ ଯୁଦ୍ଧସ୍ତରରେ ବିଭିନ୍ନ ପ୍ରୟାସ ଜାରି ରହିଛି।

ପର୍ଯ୍ୟଟନ ସ୍ଥଳମାନଙ୍କରେ ଭିଡ଼ ରୋକିବାକୁ ତତ୍ପରତା
ନୂଆଦିଲ୍ଲୀ- : ପର୍ଯ୍ୟଟନ ସ୍ଥଳ ମାନଙ୍କରେ ଯେଉଁ ଭିଡ଼ ଦେଖିବାକୁ ମିଳିଛି ତାକୁ ନେଇ ସରକାର ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଶୈଳ ନିବାସ ଏବଂ ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥଳରେ କୋଭିଡ୍‌ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରମାନେ କେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ତା’ର ସମୀକ୍ଷା ପାଇଁ ଗୃହ ସଚିବ ଭଲ୍ଲା ଆଜି ବୈଠକ କରିଛନ୍ତି। ଏବଂ ଏ ବାବଦରେ ସଂପୃକ୍ତ ରାଜ୍ୟ ସରକାରମାନେ ନୂଆ କଟକଣା ନୀତି ଗ୍ରହଣ କରିବାକୁ କୁହାଯାଇଛି। ଆଜି ଗୃହ ସଚିବ କହିଛନ୍ତି ଯେ ଗୋଆ, ହିମାଚଳପ୍ରଦେଶ, କେରଳ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡ଼ୁ, ଉତ୍ତରାଖଣ୍ଡ ଏବଂ ପଶ୍ଚିମବଙ୍ଗରେ କୋଭିଡ୍‌ ସ୍ଥିତି ଏବଂ ଟିକାକରଣ ସ୍ଥିତି ନେଇ ସହ କୋଭିଡ୍‌ ପରିଚାଳନା ନେଇ ‌ବୈଠକରେ ଆଲୋଚନା ହୋଇଛି । ‌ବୈଠକରେ ଭଲ୍ଲା କହିଛନ୍ତି, ଦ୍ବିତୀୟ ଲହର ଏଯାଏଁ ଶେଷ ହୋଇନି। ମୋଟ୍‌ ପଜିଟିଭ୍‌ ହାର କମିଥାଇପାରେ କିନ୍ତୁ ରାଜସ୍ଥାନ, କେରଳ,ମହାରାଷ୍ଟ୍ର, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡ ଏବଂ ହିମାଚଳପ୍ରଦେଶର କିଛି ଜିଲ୍ଲାରେ ପଜିଟିଭ୍‌ ହାର ଏବେ ବି ୧୦ ପ୍ରତିଶତରୁ ଅଧିକ ରହିଛି। ଏହା ଅତ୍ୟନ୍ତ ଚିନ୍ତାର କାରଣ ବୋଲି ସେ କହିଛନ୍ତି। ରାଜ୍ୟମାନେ ଟେଷ୍ଟ୍‌-ଟ୍ରାକ୍‌-ଟ୍ରିଟ୍‌ -ଟିକ ଏବଂ କୋଭିଡ୍‌ ନିୟମାବଳି ପାଳନ ଭଳି ୫ଟି ରଣନୀତି ପାଳନ କରିବା ଉପରେ ଏହି ବୈଠକରେ ଗୁରୁତ୍ବାରୋପ କରାଯାଇଛି।

ସମ୍ବନ୍ଧିତ ଖବର