ନୂଆଦିଲ୍ଲୀ: ଏକ ନିର୍ଦ୍ଦିଷ୍ଟ କିସମର ଆଳୁ ବିହନ ଉପରେ ପେଟେଣ୍ଟକୁ ପୂର୍ବରୁ ପ୍ରତ୍ୟାଖାନ କରାଯାଇଥିବାରୁ ଏହା ବିରୋଧରେ ଆମେରିକାର ପେପ୍‌ସୀ କମ୍ପାନି ଦିଲ୍ଲୀ ହାଇକୋର୍ଟ ଯାଇଥିଲା। କିନ୍ତୁ ଦିଲ୍ଲୀ ହାଇକୋର୍ଟ କମ୍ପାନିର ସେହି ଆବେଦନକୁ ଖାରଜ କରିଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୨୧ ମସିହାରେ ପ୍ରୋଟେକ୍ସନ ଅଫ୍ ପ୍ଲାଣ୍ଟ ଭେରାଇଟିଜ୍ ଆଣ୍ଡ୍ ଫାର୍ମର୍ସ ରାଇଟ୍‌ସ (ପିପିଭିଏଫଆର) ଅଥରିଟି ପେପ୍‌ସୀ କମ୍ପାନିର ଏଫ୍‌ସି୫ ଆଳୁକୁ ପ୍ରଦାନ କରାଯାଇଥବା ବୌଦ୍ଧିକ ସୁରକ୍ଷାକୁ ଖାରଜ କରିଦେଇଥିଲା।

Advertisment

ଭାରତରେ ‌ବିହନ କିସମ ଉପରେ ପେମେଣ୍ଟ ଅନୁମତି ନାହିଁ ବୋଲି ଏହି ସଂସ୍ଥା କହିଥିଲା। କବିତା କୁରୁଗାଣ୍ଟି ନାମକ ଜଣେ କୃଷକ ଅଧିକାର କର୍ମୀ ଆବେଦନ କରିବା ପରେ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଥିଲେ। ତେବେ କର୍ତ୍ତୃପକ୍ଷଙ୍କ ଏହି ନିଷ୍ପତ୍ତି ବିରୋଧରେ କମ୍ପାନି ଦିଲ୍ଲୀ ହାଇକୋର୍ଟ ଯାଇଥିଲା। ଦିଲ୍ଲୀ ହାଇକୋର୍ଟର ବିଚାରପତି ନବୀନ ଚାୱଲା କମ୍ପାନିର ଏହି ଆବେଦନକୁ ଗତ ୫ ତାରିଖରେ ଖାରଜ କରିଦେଇଛନ୍ତି। କମ୍ପାନି ଏହି ରାୟ ସଂପର୍କରେ ଅବଗତ ଅଛି। ଏହାର ସମୀକ୍ଷା କରୁଛି ବୋଲି ପେପସୀ କମ୍ପାନିର ପ୍ରବକ୍ତା କହିଛନ୍ତି। ଉଲ୍ଲେଖଯୋଗ୍ୟ ଭାରତରେ ପେପ୍‌ସୀ କମ୍ପାନି ୧୯୮୯ରେ ଏହାର ଆଳୁ ଚିପ୍ ପ୍ଲାଣ୍ଟ ବସାଇଥିଲା। ଏଥିପାଇଁ କମ୍ପାନି ଚାଷୀଙ୍କୁ ଏଫସି୫ କିସମ ଆଳୁ ବିହନ ଯୋଗାଇ ଦେଇଥାଏ। ସେମାନେ ଉତ୍ପାଦନ କରୁଥିବା ଆଳକୁ କମ୍ପାନି କିଣି ଚିପ୍‌ ପ୍ରସ୍ତୁତ କରିଥାଏ।