ଦେଶରେ ପ୍ରତିବର୍ଷ ଦୁର୍ଘଟଣାରେ ଦେଢ଼ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି: ଗଡ଼କରୀ

ନାଗପୁର: ପ୍ରତିବର୍ଷ ଦେଶରେ ପ୍ରାୟ ୫ ଲକ୍ଷ ଦୁର୍ଘଟଣା ହେଉଛି ଏବଂ ଏଥିଯୋଗୁଁ ୧.୫ ଲକ୍ଷ ଲୋକଙ୍କ ପ୍ରାଣହାନି ହେଉଛି। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଆଜି ନାଗପୁରରେ ଏକ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମରେ ଏହା କହିଛନ୍ତି। ସଡ଼କ ଦୁର୍ଘଟଣା ଯୋଗୁଁ ପ୍ରାୟ ୨.୫ରୁ ୩ ଲକ୍ଷ ଲୋକ ଆହତ ହେଉଛନ୍ତି। ଏହି ଦୁର୍ଘଟଣା ପାଇଁ ଦେଶର ୨ ପ୍ରତିଶତ ଜିଡିପି କ୍ଷତି ହେଉଛି। ଏହାବାଦ୍‌ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଥିବା ୬୨ ପ୍ରତିଶତ ଲୋକଙ୍କ ବୟସ ୧୮ରୁ ୩୫ ବର୍ଷ ମଧ୍ୟରେ ବୋଲି ସେ କହିଛନ୍ତି। ତାମିଲନାଡ଼ୁରେ ସଡ଼କ ଦୁର୍ଘଟଣା କମୁଥିବାରୁ ସେ ତାମିଲନାଡ଼ୁକୁ ପ୍ରଶଂସା କରିଛନ୍ତି। ଏନ୍‌ସିଆରବିର ୨୦୧୮ ତଥ୍ୟକୁ ଆଧାର କରି ଗଡ଼କରୀ ଏହା କହିଛନ୍ତି। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଦ୍ବାରା ଦୁର୍ଘଟଣା ରୋକିବାପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଥିଲେ ସୁଦ୍ଧା ମନ୍ତ୍ରାଳୟ ଏଥିରେ ବିଫଳ ହୋଇଛି। ଦୁର୍ଘଟଣାକୁ ନିୟନ୍ତ୍ରଣ କରାଯାଇପାରି ନାହିଁ ଗଡ଼କରୀ କହିଛନ୍ତି।

୨୦୧୮ରେ ସଡ଼କ ଦୁର୍ଘଟଣା ‌ଯୋଗୁଁ ୧,୩୫,୦୫୧ ଜଣଙ୍କ ମୃତ୍ୟୁ ହୋଇଥିଲା। ଏନ୍‌ସିଆରବି ରିପୋର୍ଟରୁ ଏହା ଜଣାପଡ଼ିଛି। ତେବେ ୨୦୧୭ରେ ସଡ଼କ ଦୁର୍ଘଟଣା ଯୋଗୁଁ ୧,୩୪,୮୦୩ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୨୦୧୬ରେ ୧,୩୫,୬୫୬ ଜଣଙ୍କର ସଡ଼କ ଦୁର୍ଘଟଣା ଯୋଗୁଁ ମୃତ୍ୟୁ ହୋଇଥିଲା। ଗତ କିଛି ବର୍ଷ ଧରି ହିଟ୍‌ ଆଣ୍ଡ୍‌ ରନ୍‌ କେସ୍‌ ବୃଦ୍ଧି ପାଉଛି। ୨୦୧୮ରେ ୪୭,୦୨୮ଟି ହିଟ୍‌ ଆଣ୍ଡ୍‌ ରନ୍‌ କେସ୍‌ ଥିବାବେଳେ ୨୦୧୭ରେ ଏହା ୪୩,୭୨୭ ଥିଲା।

ସମ୍ବନ୍ଧିତ ଖବର