ନୂଆଦିଲ୍ଲୀ: ‘ଯେମିତି ଲାଗୁଥିଲା ଆମେ ମୃତ୍ୟୁଶର୍ଯ୍ୟାରେ ଶୋଇଥିଲୁ....’ ଏହି କଥାକୁ କହିଛନ୍ତି ହରିୟାଣାର ସୁଖବିନ୍ଦର ସିଂହ। ଯିଏକି ସୁଦାନରେ ଫସିଥିଲେ। ଆଉ ସେଠାରୁ ବାହାରି ସାଉଦିଆରବ ରାସ୍ତା ଦେଇ ଦିଲ୍ଲୀରେ ପହଞ୍ଚିଛନ୍ତି।

Advertisment

୪୦ବର୍ଷର  ସୁଖବିନ୍ଦର ପେସାରେ ଜଣେ ଇଞ୍ଜିନିୟର ରହିଛନ୍ତି। ସେ ସେହି ୩୬୦ଜଣ ଭାରତୀୟଙ୍କ ମଧ୍ୟରୁ ଜଣେ ଯିଏକି  ‘ଅପରେସନ କାବେରୀ’ ଜରିଆରେ ପ୍ରଥମବ୍ୟାଚରେ ବାହାରକୁ ଆସିଛନ୍ତି।

ସୁଖବିନ୍ଦର ହରିୟାଣା‌ର ଫରିଦାବାଦରେ ବସବାସ କରନ୍ତି। ସେ ସୁଦାନରେ ଥିବା ପରିସ୍ଥିତିକୁ ମନେ ପକାଇ କହନ୍ତି, ‘ଏବେ ବି ସେ କଥା ମନେପଡ଼ିଲେ ବହୁତ ଭୟ ଲାଗୁଛି। ଆମେ ଗୋଟିଏ ବନ୍ଦ କୋଠରୀରେ ଥିଲୁ। ଏହା ଏମିତି ଏକ କୋଠରୀ ଥିଲା ଯାହା ଆମକୁ ମୃତ୍ୟୁର ଶର୍ଯ୍ୟାରେ ଥିଲା ଭଳି ଲାଗୁଥିଲା।’

ଏହି କ୍ରମରେ ଉତ୍ତରପ୍ରଦେଶର କୁଶୀନଗରରେ ବସବାସ କରୁଥିବା ଛୋଟୁ ସୁଡାନର ଏକ ଫ୍ୟାକ୍ଟ୍ରିରେ କାମ କରୁଥିଲେ। ସେ ଏବେ ବି ବିଶ୍ବାସ କରି ପାରୁନାହାନ୍ତି କି ଭାରତ ଫେରି ଆସିଛନ୍ତି। ଛୋଟୁ କହନ୍ତି, ‘ମୁଁ ମରିକି ପୁଣି ଜୀବିତ ହୋଇ ଆସିଛି। ବଞ୍ଚିଥିଲା ପର୍ଯ୍ୟନ୍ତ କେବେ ବି ସୁଡ଼ାନ ଯିବି ନାହିଁ। ମୁଁ ମୋର ଦେଶରେ ରହି କାମ କରିବି।’

ପଞ୍ଜାବର ହୋସିୟାରପୁରରେ ରହୁଥିବା ତସମେର ସିଂହ ବି ସେହି ଲୋକଙ୍କ ମଧ୍ୟରୁ ଜଣେ ଯିଏକି ସୁଡ଼ାନର ଭୟାବହ ପରିସ୍ଥିତିର ସାମ୍ନା କରି ଫେରିଛନ୍ତି। ତସମେର ସିଂହ କହନ୍ତି,‘ଆମେ ଶବ ଭଳି ସେଠାରେ ଥିଲୁ। ଖାଲି ନିଶ୍ବାସ-ପ୍ରଶ୍ବାସ ଚାଲୁଥିଲା। ଯେଉଁ ରୁମ‌ରେ ଥିଲୁ ସେଠାରେ ବିଜୁଳି କି ପାଣି ନଥିଲା। ମୁଁ କେବେ ଭାବି ନଥିଲି, ସେଭଳି ଭୟାବହ ଓ ଯନ୍ତ୍ରଣାଦାୟକ ପରିସ୍ଥିତିରୁ ଜୀବିତ ଅବସ୍ଥାରେ ମୋ ଦେଶକୁ ଫେରିବି। କିନ୍ତୁ ଭଗବ‌ାନଙ୍କୁ ଅଶେଷ ଧନ୍ୟବାଦ ମୋତେ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି।

ସୂଚନାଯୋଗ୍ୟ,ହିଂସା ପ୍ରବଣ ସୁଦାନରୁ ଯୁଦ୍ଧକାଳୀନ ଭିତ୍ତିରେ ଭାରତୀୟଙ୍କୁ ଉଦ୍ଧାର କରାଯାଉଛି। ଭାରତୀୟ ବାୟୁ‌ସେନାର ୨ଟି ସାମରିକ ବିମାନରେ ୨୫୦ରୁ ଅଧିକ ଭାରତୀୟଙ୍କୁ ସୁଦାନରୁ ଉଦ୍ଧାର କରାଯାଇଛି। ଅନ୍ୟପକ୍ଷେ ନୌସେନା ଜାହାଜରେ ୨୭୮ ଭାରତୀୟ ନାଗରିକ ସୁଦାନ ଛାଡ଼ି ‌ଜେଦାହରେ ପହଞ୍ଚି ସାରିଛନ୍ତି। ଅପରେସନ କାବେରୀ ଅଧୀନରେ ସୁଦାନରୁ ପ୍ରାୟ ୬୭୦ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି।  ପ୍ରଥମ ପର୍ଯ୍ୟାୟରେ ୩୬୦ ଭାରତୀୟ ଗତକାଲି ସନ୍ଧ୍ୟାରେ ଦେଶରେ ପାଦ ଦେଇଥିଲେ। ଏହି ସମୟରେ  ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ବିମାନବନ୍ଦର ଭାରତ ମାତା କି ଜୟ ଧ୍ୱନୀରେ କମ୍ପିଥିବା ବେଳେ ବେଶ୍‌ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା।