ପ୍ରକାଶ ପାଇଲା ସ୍କୁଲ ଶିକ୍ଷାକୁ ନେଇ ପରଫରମାନ୍ସ ଗ୍ରେଡିଂ ଇଣ୍ଡେକ୍ସ : ଗତବର୍ଷ ତୁଳନାରେ ଓଡ଼ିଶାର ସ୍କୋରିଂ ଅଧିକ

ନୂଆଦିଲ୍ଲୀ : କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ସ୍କୁଲ୍‌ ଶିକ୍ଷାରେ ଗୁଣବତ୍ତାର ସୁଧାର ଆଣିବା ପାଇଁ ‘ପରଫରମାନ୍ସ ଗ୍ରେଡିଂ ଇଣ୍ଡେକ୍ସ’ ବ୍ୟବସ୍ଥା ଲାଗୁ କରିଛନ୍ତି। ସମୁଦାୟ ୭୦ଟି ସୂଚକାଙ୍କ ଆକଳନ କରାଯାଇ ୧୦୦୦ ନମ୍ବର ଅନ୍ତର୍ଗତ ରାଜ୍ୟମାନଙ୍କର ଗ୍ରେଡିଂ କରାଯାଇଛି। ୨୦୧୮-୧୯ ମସିହା ପାଇଁ ଏହାର ରିପୋର୍ଟ ପ୍ରକାଶ ପାଇଛି।

ଏହି ପରଫରମାନ୍ସ ଗ୍ରେଡିଂ ଇଣ୍ଡେକ୍ସରେ କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡିଗଡ଼ ଏବଂ ଗୁଜରାଟ ଓ କେରଳ ରାଜ୍ୟ ୮୫୦ ରୁ ଊର୍ଦ୍ଧ୍ବ ପଏଣ୍ଟ୍‌ ସହିତ ଶୀର୍ଷ ରାଜ୍ୟମାନଙ୍କ ତାଲିକାରେ ରହିଛନ୍ତି। ୮୫୧ରୁ ୯୦୦ ମଧ୍ୟରେ ସ୍କୋରିଂ କରିଥିବା ଚଣ୍ଡିଗଡ଼, ଗୁଜରାଟ ଓ କେରଳ ଗ୍ରେଡ୍-୧+ ରେ ରହିଥିବାବେଳେ ୮୦୧ରୁ ୮୫୦ ସ୍କୋରିଂରେ ମହାରାଷ୍ଟ୍ର ଓ ଦିଲ୍ଲୀ ଗ୍ରେଡ୍ ୧ରେ ରହିଛନ୍ତି। ୭୫୧ ରୁ ୮୦୦ ସ୍କୋରିଂରେ ଦାଦ୍ରା ଓ ନଗର ହାବେଳୀ, ପୁଡ଼ୁଚେରୀ, ଗୋଆ, ପଞ୍ଜାବ, ହରିଆଣା, ରାଜସ୍ଥାନ, ହିମାଚଳ ପ୍ରଦେଶ, ସିକ୍କିମ, ଝାଡ଼ଖଣ୍ଡ, ତାମିଲନାଡୁ, କର୍ଣ୍ଣାଟକ, ତେଲେଙ୍ଗାନା ଓ ମଧ୍ୟପ୍ରଦେଶ ଗ୍ରେଡ୍-୨ରେ ରହିଛନ୍ତି। ସେହିଭଳି ପରଫରମାନ୍ସ ଗ୍ରେଡିଂ ଇଣ୍ଡେକ୍ସ ୨୦୧୮-୧୯ରେ ୭୦୧ରୁ ୭୫୦ ସ୍କୋରିଂରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତ୍ରିପୁରା, ଆସାମ, ଉତ୍ତରପ୍ରଦେଶ, ଛତିଶଗଡ଼, ଉତ୍ତରାଖଣ୍ଡ, ଡାମନ ଓ ଡ୍ୟୁ, ପଶ୍ଚିମବଙ୍ଗ, ଜାମ୍ମୁ-କାଶ୍ମୀର ଓ ଲଦାଖ୍ ଗ୍ରେଡ୍ ୩ରେ ରହିଛନ୍ତି। ୬୫୧ରୁ ୭୦୦ ସ୍କୋରିଂରେ, ଆଣ୍ଡାମାନ ଓ ନିକୋବର, ବିହାର, ଲାକ୍ଷାଦ୍ବୀପ ଓ ମିଜୋରାମ ଗ୍ରେଡ୍ ୪ରେ ଥିବାବେଳେ ୬୦୧ରୁ ୬୫୦ ସ୍କୋରିଂରେ ମଣିପୁର, ମେଘାଳୟ ଓ ନାଗାଲା‌ଣ୍ଡ ଗ୍ରେଡ୍ ୫ରେ ଓ ୮୫୧ରୁ ୬୦୦ ସ୍କୋରିଂରେ ଅରୁଣାଚଳ ପ୍ରଦେଶ ଗ୍ରେଡ୍ ୬ରେ ରହିଥିବା ରିପୋର୍ଟରେ ଉଲ୍ଲେଖ ଅଛି।

ପ୍ରଥମ ପରଫରମାନ୍ସ ଗ୍ରେଡିଂ ଇଣ୍ଡେକ୍ସ ୨୦୧୭-୧୮ର ପ୍ରକାଶନ ୨୦୧୯ରେ ହୋଇଥିଲା। ୨୦୧୭-୧୮ ପରଫରମାନ୍ସ ଗ୍ରେଡିଂ ଇଣ୍ଡେକ୍ସ ତୁଳନାରେ ଓଡ଼ିଶାର ସ୍କୋରିଂ ଏଥର ଅଧିକ ରହିଛି। ପରଫରମାନ୍ସ ଗ୍ରେଡିଂ ଇଣ୍ଡେକ୍ସ ଅନୁସାରେ ଲର୍ଣ୍ଣିଂ ଆଉଟକମ୍ ଓ ଗୁଣବତ୍ତା ଶିକ୍ଷାରେ ଓଡ଼ିଶା ୧୮୦ରୁ ୧୩୦ ସ୍କୋର କରିଛି। ଆସେସ୍ ଅଫ୍ ଏଜୁକେସନରେ ଓଡ଼ିଶା ୮୦ରୁ ୬୭ ସ୍କୋର କରିଥିବା ବେଳେ ଶିକ୍ଷା ଭିତ୍ତିଭୂମିରେ ୧୫୦ରୁ ଓଡ଼ିଶା ୭୨ ସ୍କୋର କରି ସବୁଠାରୁ ନିମ୍ନରେ ରହିଛି। ଇକ୍ବିଟିରେ ୨୩୦ରୁ ୧୯୦ ସ୍କୋରିଂ କରିବା ସହିତ ଗଭର୍ଣ୍ଣାନ୍ସ ପ୍ରୋସେସରେ ୩୬୦ରୁ ଓଡ଼ିଶା ୨୮୨ ସ୍କୋରିଂ କରିଛି। ଗଭର୍ଣ୍ଣାନ୍ସ ପ୍ରୋସେସରେ ଓଡ଼ିଶା ୧୬.୩୯ ପ୍ରତିଶତ ସହ ସର୍ବୋତ୍ତମ ପ୍ରଗତି କରିଥିବା ବେଳେ ଭିତ୍ତିଭୂମିରେ ୧୬.୬୭ ପ୍ରତିଶତ ହ୍ରାସତା ଆସିଥିବା ଗ୍ରେଡିଂରେ ଉଲ୍ଲେଖ ଅଛି। ଅପରପକ୍ଷେ ରାଜସ୍ଥାନ, ଚଣ୍ଡୀଗଡ଼, କର୍ଣ୍ଣାଟକ, ଲର୍ଣ୍ଣିଂ ଆଉଟକମ୍‌‌ରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିଥିବା ବେଳେ ଆସେସ୍‌ ଟୁ ଏଜୁକେସନରେ କେରଳ, ହରିୟ‌ାଣା ଓ ଆନ୍ଧ୍ରପ୍ରଦେଶର ସ୍କୋରିଂ ସର୍ବୋତ୍ତମ ରହିଛି। ଗୋଆ, ଚଣ୍ଡୀଗଡ଼ ଓ ଦିଲ୍ଲୀର ଭିତ୍ତିଭୂମି ବିକାଶରେ ସ୍କୋରିଂ ସନ୍ତୋଷଜନକ ରହିଛି। ପରଫରମାନ୍ସ ଗ୍ରେଡିଂ ଇଣ୍ଡେକ୍ସ ରାଜ୍ୟମାନଙ୍କୁ ସ୍କୁଲ ଶିକ୍ଷାକୁ ନେଇ ଯେଉଁସବୁ କ୍ଷେତ୍ରରେ ଅଧିକ ଫୋକସ୍ କରାଯାଇପାରିବ ସେ ଦିଗରେ ବିଶେଷ ସହାୟକ ହୋଇ ପାରିବ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର