ନୂଆଦିଲ୍ଲୀ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର୍) ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏକ ଅଣ-କଂଗ୍ରେସ ଏବଂ ଅଣ-ବିଜେପି ମେଣ୍ଟ ପାଇଁ କେସିଆର ଉଦ୍ୟମ ଆରମ୍ଭ କରିଛନ୍ତି। ଆଜି ଏହାର ଭିତ୍ତି ପଡ଼ିଛି । ଏଥିପାଇଁ କେସିଆରଙ୍କ ଜାତୀୟ ଦଳ ବିଆରଏସ୍ (ଭାରତ ରାଷ୍ଟ୍ର ସମିତି) ଆଜି ଖମ୍ମମରେ ଶକ୍ତି ପ୍ରଦର୍ଶନ କରିଛି। ବିଆରଏସ୍ର ପ୍ରଥମ ବିଶାଳ ଜନସଭାରେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ, ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ଯୋଗ ଦେଇଥିଲେ।
ମଞ୍ଚ ଉପରେ କେସିଆରଙ୍କୁ ସମର୍ଥନ କରିଥିବା ଦଳଗୁଡ଼ିକ ହେଉଛନ୍ତି ଆପ୍, ସିପିଆଇ, ସିପିଏମ୍ ଏବଂ ସମାଜବାଦୀ ପାର୍ଟି। କେସିଆାର ଆଜି ଆପ୍, ବାମଦଳ ଏବଂ ସପା ନେତାମାନଙ୍କ ଉପସ୍ଥିତିରେ ଏକ ଅଣ-କଂଗ୍ରେସ ଏବଂ ଅଣ-ବିଜେପି ମେଣ୍ଟ ପାଇଁ ଆହ୍ବାନ ଦେବାସହ ବିଜେପି ଏବଂ କଂଗ୍ରେସର ନୀତି ସମାନ ବୋଲି କହିଥିଲେ। ବିଜେପି ଏବଂ କଂଗ୍ରେସ କେବଳ ବାକ୍ ଯୁଦ୍ଧରେ ବ୍ୟସ୍ତ ରହି ପରସ୍ପରକୁ ଦାୟୀ କରୁଛନ୍ତି ବୋଲି ସେ କହିଥିଲେ। ବିଆରଏସର ପ୍ରଥମ ଜନସଭାରେ ପ୍ରାୟ ୫ ଲକ୍ଷ ଲୋକ ଯୋଗ ଦେଇଥିଲେ। ସମାବେଶରେ ସମସ୍ତ ବିରୋଧୀ ଦଳ ମୁଖ୍ୟମନ୍ତ୍ରୀ ବିଜେପିକୁ କଡ଼ା ସମାଲୋଚନା କରିଥିବା ବେଳେ ଟିଆରଏସ ଏବଂ ଆପ୍ କଂଗ୍ରେସ ବିରୋଧରେ ମଧ୍ୟ ଗର୍ଜିଛନ୍ତି। ରାଜ୍ୟପାଳମାନେ ନିର୍ବାଚିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା ପ୍ରସଙ୍ଗ ସମସ୍ତ ୩ ମୁଖ୍ୟମନ୍ତ୍ରୀ ଉଠାଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ଅତି ଆରାମଦାୟକ ଚାକିରି ପାଇଥିବା ରାଜ୍ୟପାଳମାନେ କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ହଇରାଣ କରିବେ। ପ୍ରଧାନମନ୍ତ୍ରୀ ମୋଦୀ ହିଁ ସେମାନଙ୍କୁ ଏଥିପାଇଁ ନିର୍ଦ୍ଦେଶ ଦେଉଛନ୍ତି। କେରଳ ମୁଖ୍ୟମନ୍ତ୍ରୀ ବିଜୟନ କହିଛନ୍ତି, ଆଜିର ଜନସଭା ତଥା ରୢାଲିରୁ ବିଜେପି ବିରୋଧରେ ବିଦ୍ରୋହ ଆରମ୍ଭ ହେଲା। ଅଖିଳେଶ ଯାଦବ ତାଙ୍କ ଭାଷଣରେ ବିଜେପି ବିରୋଧରେ ସମସ୍ତ ଧର୍ମନିରପେକ୍ଷ, ଗଣତାନ୍ତ୍ରିକ ଦଳ ଏକଜୁଟ ହେବାପାଇଁ କହିଛନ୍ତି। ଆଜିର ଏହି ଜନସଭାରେ କେସିଆର୍ ଅନେକ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। କେସିଆର କହିଛନ୍ତି, କେନ୍ଦ୍ରରୁ ବିଜେପିକୁ ହଟାଯିବା ପରେ ଦେଶବ୍ୟାପୀ ଦଳିତ ବନ୍ଧୁ ଯୋଜନା କାର୍ଯ୍ୟକାରୀ ହେବ ଏବଂ ବିବାଦୀୟ ଅଗ୍ନିବୀର ନିଯୁକ୍ତି ଯୋଜନା ବାତିଲ କରାଯିବ।