ନୂଆଦିଲ୍ଲୀ: ଭାରତର କରୋନା ବିରୋଧୀ ଲଢ଼େଇକୁ ଅଧିକ ମଜବୁତ କରିବା ପାଇଁ କେନ୍ଦ୍ର ସରକାର ଆଉ ୨ଟି କୋଭିଡ ଟିକା ଏବଂ ଗୋଟିଏ ଆଣ୍ଟିଭାଇରାଲ୍‌ ଔଷଧର ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ଦେଶବ୍ୟାପୀ ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଆଜି ଏ ସଂକ୍ରାନ୍ତରେ ଟୁଇଟ୍ କରି ସୂଚନା ଦେଇଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ କରୋନା ସହ ଲଢ଼ିବା ପାଇଁ ଏବେ ଭାରତ ପାଖରେ ୮ଟି ଟିକା ଉପଲବ୍ଧ ଅଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ, ସିଡିଏସ୍‌ସିଓ (ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରାଲ ଅର୍ଗାନାଇଜେସନ୍‌) ଗୋଟିଏ ଦିନରେ ୨ଟି ଟିକା ଏବଂ ଗୋଟିଏ ଆଣ୍ଟିଭାଇରାଲ୍‌ ଔଷଧକୁ ସ୍ବୀକୃତି ଦେଇଥିବାରୁ ଏସବୁର ଉତ୍ପାଦନ ପ୍ରକ୍ରିୟା ମଧ୍ୟ ତ୍ବରାନ୍ବିତ ହେବ। ସରକାର ହାଇଦ୍ରାଦାବାଦ ସ୍ଥିତ ବାୟୋଲୋଜିକାଲ-ଇର କୋର୍ବେଭାକ୍ସ ଟିକା, ‌ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର କୋଭଭାକ୍ସ ଟିକା ଏବଂ ଆଣ୍ଟି ଭାଇରାଲ୍‌ ଔଷଧ ମୋଲ୍‌ନୁପିରାଭିର୍‌ର ଏମର୍ଜେନ୍ସି ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ଦେଶରେ ମୋଲୁନୁପିରାଭିର୍‌ ଉତ୍ପାଦନ ପାଇଁ ୧୩ଟି ସ୍ଥଂସ୍ଥାକୁ ଅନୁମତି ମିଳିଛି। ଜରୁରୀ ବ୍ୟବହାର ନିମନ୍ତେ ଏହି ଟାବ୍‌ଲେଟ ସର୍ତ୍ତମୂଳକ ଭାବେ ବିକ୍ରି ହେବ।

Advertisment

କୋର୍ବେଭାକ୍ସ ‌ହେଉଛି ସଂପୂର୍ଣ୍ଣ ସ୍ବଦେଶୀ ଟିକା। ଏମର୍ଜେନ୍ସି ବ୍ୟବହାରଜନିତ ଟିକା ସଂଖ୍ୟା ୮କୁ ବୃଦ୍ଧି ପାଇଥିବାରୁ ଆଗକୁ ସମସ୍ତଙ୍କ ପାଇଁ ବୁଷ୍ଟର ଡୋଜ୍‌ ନିମନ୍ତେ ରାସ୍ତା ଖୋଲିଯିବ ବୋଲି କୁହାଯାଉଛି। କରୋନା ସହ ଲଢ଼ିବା ପାଇଁ ପୂର୍ବରୁ କୋଭିସିଲ୍ଡ, କୋଭାକ୍ସିନ, ସ୍ପୁଟନିକ୍‌-ଭି, ମଡୋର୍ଣ୍ଣା, ଜନସନ୍ ଆଣ୍ଡ ଜନସନ୍‌ , ଜାଇକଭ୍‌-ଡି କୁ ଏମର୍ଜେନ୍ସି ବ୍ୟବହାର ପାଇଁ ସ୍ବୀକୃତି ମିଳିଥିଲା। ଆଜି ୨ଟି ଟିକାକୁ ମଂଜୁରି ପ୍ରଦାନ ଏ ଦିଗରେ ବହୁତ ବଡ଼ ପଦକ୍ଷେପ ବୋଲି କୁହାଯାଇଛି। ତେବେ ଟିକାକରଣ ପାଇଁ ଏବେ କେବଳ କୋଭିସିଲ୍‌ଡ, କୋଭାକ୍ସିନ ଏବଂ ସ୍ପୁଟ୍‌ନିକ-ଭି ଟିକା ଉପଲବ୍ଧ ହେଉଛି।