୧୨ ବର୍ଷରୁ ଅଧିକ ବୟସର ପିଲାଙ୍କ ଟିକାକୁ ଅନୁମତି

ନୂଆଦିଲ୍ଲୀ : ଜାଇଡସ୍‌ କାଡିଲାର ୩ ଡୋଜ୍‌ କୋଭିଟ୍‌ ଟିକା ଜାଇକୋଭ୍‌-ଡି’ ର ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିଛି। କେନ୍ଦ୍ର ସରକାରଙ୍କ ଟିକା ବିଶେଷଜ୍ଞ କମିଟି ଜାଇଡସର ଏହି ଟିକାକୁ ବ୍ୟବହାର ସ୍ବୀକୃତି ଦେଇଛନ୍ତି। ୧୨ ବର୍ଷରୁ ଅଧିକ ବୟସ ବର୍ଗଙ୍କୁ ଏହି ଟିକା ଦିଆ‌ଯିବ। ଅହମଦାବାଦ୍‌ର ଏହି କମ୍ପାନି ଗତ ଜୁଲାଇ ୧ ତାରିଖରେ ଟିକା‌ର ଜରୁରୀ ବ୍ୟବହାର ପାଇଁ ଡିସିଜିଆଇରେ ଆବେଦନ କରିଥିଲା। କମ୍ପାନି ଦେଶରେ ୫୦ରୁ ଅଧିକ କେନ୍ଦ୍ରରେ ଟିକାର ସବୁଠୁ ଅଧିକ ନୈଦାନିକ ପରୀକ୍ଷଣ କରିଥିବା କହିଛି। ୧୨ ବର୍ଷରୁ ଊର୍ଦ୍ଧ୍ବ ୧୦୦୦ ଶିଶୁଙ୍କଠାରେ ଏହି ଟିକାର ପରୀକ୍ଷଣ ହୋଇଛି। ଏହା କରୋନା ସଂକ୍ରମଣ ବିରୋଧରେ ବିଶ୍ବର ପ୍ରଥମ ଡିଏନ୍‌ଏ ଟିକା ହେବ।

ଜାଇଡସ୍‌ କାଡିଲା ସମେତ ଦେଶରେ ଏବେ ୬ଟି ଟିକାର ବ୍ୟବହାର ପାଇଁ ଅନୁମତି ମିଳିଛି। କମ୍ପାନି କହିଛି, ଏହା ବାର୍ଷିକ ୧୦ରୁ ୧୨ କୋଟି ଡୋଜ୍‌ ପ୍ରସ୍ତୁତ କରିବାପାଇଁ ଯୋଜନା କରିଛି ଏବଂ ଟିକା ଗଚ୍ଛିତ ରଖିବା ଆରମ୍ଭ କରିଦେଇଛି। ମିସନ୍‌ କୋଭିଡ୍‌ ସୁରକ୍ଷା ଅଧୀନରେ ବାୟୋଟେକ୍‌ନୋଲୋଜି ବିଭାଗ ସହ ମିଶି ଜାଇଡକ୍‌ କାଡିଲା ଏହି ଟିକା ପ୍ରସ୍ତୁତ କରିଛି। ଭାରତ ବା‌ୟୋଟେକ୍‌ର କୋଭାକ୍ସିନ୍‌ ପରେ ଏହା ଦ୍ବିତୀୟ ସ୍ବଦେଶୀ ଟିକା। ଏହି ଟିକା ନୂଆ ପ୍ରଜାତି ବି‌ରୋଧରେ ଏବଂ ବିଶେଷ କରି ଡେଲ୍‌ଟା ପ୍ରଜାତି ବିରୋଧରେ ଫଳପ୍ରଦ ବୋଲି ଟିକା ନିର୍ମାଣକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର