କଲମ୍ବୋ: ରଣନୀତି ଦୃଷ୍ଟିରୁ ଶ୍ରୀଲଙ୍କାର ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ବନ୍ଦର ହମ୍ବନଟୋଟାରେ ଚୀନ୍ର ଏକ ଗୁଇନ୍ଦା ଜାହାଜ ଲାଗିବା ମାମଲାକୁ ନେଇ ଦୁଇଦେଶ ମଧ୍ୟରେ କୂଟନୀତି ସରଗରମ ହୋଇଛି। ଚୀନ୍ ଏହି ଜାହାଜ ଲାଗିବା ପାଇଁ ଅନୁମତି ଦେବା ନିମନ୍ତେ ଆଜି ଶ୍ରୀଲଙ୍କା ଉପରେ ପ୍ରବଳ ଚାପ ସୃଷ୍ଟି କରିଛି। ଶ୍ରୀଲଙ୍କାର ଶୀର୍ଷ ଅଧିକାରୀଙ୍କ ସହିତ ଏହି ମାମଲାରେ ତତ୍କାଳ ବୈଠକ ପାଇଁ କଲମ୍ବୋ ସ୍ଥିତ ଚୀନ୍ ଦୂତାବାସ ଦାବି କରିଛି। ତେବେ ଚୀନ୍ର ଏହି ଗୁଇନ୍ଦା ଜାହାଜ ଶ୍ରୀଲଙ୍କା ବନ୍ଦରରେ ଲାଗିବାକୁ ଭାରତ ପ୍ରବଳ ବିରୋଧ କରିଥିବାରୁ ଶ୍ରୀଲଙ୍କା ଏହି ମାମଲାରେ ଅତି ସତର୍କତାର ସହ ପଦକ୍ଷେପ ନେଉଛି। ପୂର୍ବ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଚୀନ୍ ଗୁଇନ୍ଦା ଜାହାଜ ଲାଗିବା ପାଇଁ ଅନୁମତି ଦେଇଥିଲେ ଏବଂ ଗତକାଲି ଶ୍ରୀଲଙ୍କା ସରକାର ପୂର୍ବ ନିଷ୍ପତ୍ତି କାର୍ଯ୍ୟକାରୀ ହେବନାହିଁ ବୋଲି ଚୀନ୍କୁ ଜଣାଇ ଦେଇଥିଲେ। ଏଥିରେ କ୍ଷୁବ୍ଧ ଚୀନ୍ ଆଜି ଜରୁରୀ ବୈଠକ ଦାବି କରିବା ସହ ପୂର୍ବ ନିର୍ଦ୍ଧାରିତ ଯୋଜନା ମୁତାବକ ଅଗଷ୍ଟ ୧୧ ତାରିଖରେ ହିଁ ଉକ୍ତ ଜାହାଜ ହମ୍ବନଟୋଟା ବନ୍ଦରରେ ଲାଗିବ ବୋଲି କହିବା ପରେ ଏହାକୁ ନେଇ ଛକାପଂଝା ଆରମ୍ଭ ହୋଇଯାଇଛି। ଚୀନ୍ର ଋଣଭାରରେ ବୁଡ଼ି ରହିଥିବା ଶ୍ରୀଲଙ୍କା ଏବେ ଭାରତର ଦାବିକୁ ସମ୍ମାନ ଜଣାଇ ଚୀନ୍ର ଗୁଇନ୍ଦା ଜାହାଜକୁ ଅଟକାଇବା ନିଷ୍ପତ୍ତିରେ କାଏମ ରହିବ ନା ଚୀନ୍ର ନିର୍ଦ୍ଦେଶ ମାନିବାକୁ ବାଧ୍ୟ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି।
ଚୀନ୍ର ଉଆନ ୱାଙ୍ଗ୫ ଜାହାଜ ଚୀନ୍ର ହମ୍ବନଟୋଟା ବନ୍ଦରରେ ଆସନ୍ତା ୧୧ରୁ ୧୭ ତାରିଖ ପର୍ଯ୍ୟନ୍ତ ରହିବା କାର୍ଯ୍ୟକ୍ରମ ଥିଲା। ତେବେ ଭାରତର ଯୁଦ୍ଧପୋତ ଓ ବୁଡ଼ାଜାହାଜର ଗତିବିଧି ନେଇ ଏହି ଗୁଇନ୍ଦା ଜାହାଜ ତଥ୍ୟ ସଂଗ୍ରହ କରିବା ଓ ଉପଗ୍ରହଗୁଡ଼ିକୁ ଟ୍ରାକ୍ କରିବା ଆଶଙ୍କା ଥିବାରୁ ଭାରତ ଏହାର ଜୋରଦାର ବିରୋଧ କରିଥିଲା। ଭାରତର ସୁରକ୍ଷା ଓ ସ୍ବାର୍ଥକୁ ପ୍ରଭାବିତ କଲାଭଳି ଚୀନ୍ର କୌଣସି କାର୍ଯ୍ୟକୁ ଶ୍ରୀଲଙ୍କା ପ୍ରୋତ୍ସାହନ ଦେବା ଉଚିତ ହେବନାହିଁ ବୋଲି ଭାରତ ସ୍ପଷ୍ଟ କରିଦେବା ପରେ ଶ୍ରୀଲଙ୍କା ସରକାର ଗତକାଲି ଏହି ଜାହାଜକୁ ଅଟକାଇବା ପାଇଁ ଚୀନ୍ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/5465ad4g65dag465gdagda.jpg)